ରାଜ୍ୟବାସୀଙ୍କୁ ପଦ୍ମବିଭୂଷଣ ଉତ୍ସର୍ଗ କଲେ ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏସ.ଏମ କ୍ରିଷ୍ଣା - ଏସ ଏମ କ୍ରିଷ୍ଣାଙ୍କୁ ପଦ୍ମବିଭୂଷଣ
🎬 Watch Now: Feature Video
ହାଇଦ୍ରାବାଦ: ଗତକାଲି କେନ୍ଦ୍ର ସରକାର ଦ୍ବାରା ଘୋଷିତ ପଦ୍ମ ସମ୍ମାନରେ ରହିଛି ଭେଟେରାନ ରାଜନେତା ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ.ଏମ କ୍ରିଷ୍ଣାଙ୍କ ନାମ । ଦୀର୍ଘ 6ଦଶନ୍ଧି ଧରି ରାଜନୀତିରେ ଉଲ୍ଲେଖନୀୟ ଅବଦାନ ପାଇଁ ପବ୍ଲିକ ଆଫାଏର୍ସ ବର୍ଗରେ ଦେଶର ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନରେ ସେ ସମ୍ମାନିତ ହେବାକୁ ଯାଉଛନ୍ତି । ଏସ.ଏମ କ୍ରିଷ୍ଣା ଏହି ସମ୍ମାନକୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । 90 ବର୍ଷୀୟ ଏହି ଭେଟେରାନ ରାଜନେତା, ଏହି ପୁରସ୍କାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେହିପରି ଏହି ପୁରସ୍କାର ତାଙ୍କର ନୁହେଁ ସମଗ୍ର ସମଗ୍ର କର୍ଣ୍ଣାଟକର । ସେ ଏହାକୁ ଅତି ବିନମ୍ରତାର ସହ ଗ୍ରହଣ କରିବା ସହ ରଜ୍ୟବାସୀଙ୍କୁ ଉତ୍ସର୍ଗ କରୁଛନ୍ତି ବୋଲି କହିଛନ୍ତି କ୍ରିଷ୍ଣା ।
ଜାତୀୟ ଗଣମାଧ୍ୟମ ସଂସ୍ଥା ଏଏନଆଇକୁ ଦେଇଥିବା ସାକ୍ଷାତକାରରେ କ୍ରିଷ୍ଣା କହିଛନ୍ତି, ‘‘ଏହି ପୁରସ୍କାର ପାଇଁ ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଧନ୍ୟବାଦ ଦେଉଛି । ମତେ ଚୟନ କରାଯାଇଥିବାକୁ ଭାରତ ସରକାରଙ୍କୁ ଧନ୍ୟବାଦ । ଏଥିପାଇଁ ମୁଁ କର୍ଣ୍ଣାଟକବାସୀଙ୍କ ନିକଟରେ କୃତଜ୍ଞ । ଏହି ସମ୍ମାନକୁ ମୁଁ ରାଜ୍ୟବାସୀଙ୍କୁ ଉତ୍ସର୍ଗ କରୁଛି ।’’
ଉଭୟ କର୍ଣ୍ଣାଟକ ଓ ଜାତୀୟ ରାଜନୀତିରେ ଲମ୍ବା ଇନିଂସି ଖେଳିଥିବା ଏସ.ଏମ କ୍ରୀଷ୍ଣା 1962 ମସିହାରେ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । 2004 ରେ ସେ କଂଗ୍ରେସରୁ କର୍ଣ୍ଣାଟକର 16ତମ ମୁଖ୍ୟମନ୍ତ୍ରୀ ଭାବେ ପଦ ସମ୍ଭାଳି ଥିଲେ । ସେ ମହାରାଷ୍ଟ୍ରର ରାଜ୍ୟପାଳ ଭାବରେ କାର୍ଯ୍ୟ କରିଥିଲେ ଏବଂ 2009 ରୁ 2012 ପର୍ଯ୍ୟନ୍ତ ମନମୋହନ ସିଂଙ୍କ ନେତୃତ୍ୱାଧୀନ ୟୁପିିଏ ମେଣ୍ଟ ସରକାରରେ ବୈଦେଶିକ ମନ୍ତ୍ରୀ ହୋଇଥିଲେ । ସେ 1971 ରୁ 2014 ପର୍ଯ୍ୟନ୍ତ ଅନେକ ଥର ଲୋକସଭା ଏବଂ ରାଜ୍ୟସଭାକୁ ଯାଇଛନ୍ତି ।
ସେ ଜଣେ ଆଇନ ସ୍ନାତକ ସହ ଏକାଧିକ ବିଷୟରେ ଉଚ୍ଚଶିକ୍ଷିତ । ସେ ଆମେରିକାର ଟେକ୍ସାସର ଡାଲାସର ସାଉଥ୍ ମେଥୋଡିଷ୍ଟ ୟୁନିଭରସିଟିରୁ ମଧ୍ୟ ଉଚ୍ଚଶିକ୍ଷା ଲାଭ କରିଥିଲେ । ପରେ ପ୍ରତିଷ୍ଠିତ ୱାଶିଂଟନ୍ ଡିସିର ଜର୍ଜ ୱାଶିଂଟନ୍ ୟୁନିଭରସିଟି ଲ-ସ୍କୁଲରୁ ଆଇନରେ ମଧ୍ୟ ସ୍ନାତକ ହାସଲ କରି ଭାରତ ଫେରିଥିଲେ ।
ସେ 2017 ରେ କଂଗ୍ରେସ ସହ ପ୍ରାୟ 5 ଦଶନ୍ଧିର ସମ୍ପର୍କ ଛିନ୍ନ କରି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ତାଙ୍କ ମୁଖ୍ୟମନ୍ତ୍ରୀତ୍ବ ସମୟରେ ବେଙ୍ଗାଲୁରୁରେ ପ୍ରଯୁକ୍ତିବିଦ୍ୟାର ଯୁଗ ଆରମ୍ଭ ହୋଇଥିଲା । ପରେ ବେଙ୍ଗାଲୁରୁ ଦେଶର ଇଲୋକ୍ଟ୍ରୋନିକ୍ସ ରାଜଧାନୀ ଭାବେ ମାନ୍ୟତା ପାଇଥିଲା । ରାଜନୀତିରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଚଳିତବର୍ଷ ସମ୍ମାନଜନକ ପଦ୍ମବିଭୂଷଣରେ ସମ୍ମାନିତ କରିବା ପାଇଁ ଘୋଷଣା କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ