ଆଜି ରାମଙ୍କ ବେଶରେ ଦର୍ଶନ ଦେବେ ଶ୍ରୀଜିଉ - ସୁବର୍ଣ୍ଣପୁର ନ୍ୟୁଜ
🎬 Watch Now: Feature Video
ସୁବର୍ଣ୍ଣପୁର: ଆଜି ଆଷାଢ଼ ମାସ ଶୁକ୍ଳ ଷଷ୍ଠୀ ତିଥିରେ ରାମ ଓ ବଳରାମଙ୍କ ବେଶ ଧାରଣ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ଶ୍ରୀ ଜଗନ୍ନାଥ ଓ ବଳଭଦ୍ର । ଗତକାଲି ଶୁକ୍ଳ ପଞ୍ଚମୀ ତିଥିରେ ଶ୍ରୀ ବଡ଼ ଜଗନ୍ନାଥ ବାମନ ଓ ଶ୍ରୀ ବଳଭଦ୍ର ପର୍ଶୁରାମ ବେଶ ଧାରଣ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ । ଶ୍ରୀ ଗୁଣ୍ଡିଚାକୁ ଚତୁର୍ଦ୍ଧାମୂର୍ତ୍ତି ପହଞ୍ଚିବା ପରେ ନୃସିଂହ ଦେବଙ୍କ ସହିତ ଅବସ୍ଥାନ କରି ବିଭିନ୍ନ ବେଶ ଧାରଣ କରୁଛନ୍ତି । ପରମ୍ପରା କ୍ରମେ ସେବାୟତମାନେ ବେନି ଭାଇଙ୍କୁ ବେଶ କରୁଛନ୍ତି ।
ତେବେ ନୃସିଂହ ମହାପ୍ରଭୁଙ୍କ ସହିତ ତିନି ବିଗ୍ରହଙ୍କ ଦର୍ଶନ ପାଇଁ ଶ୍ରୀ ଗୁଣ୍ଡିଚାରେ ଶ୍ରଦ୍ଧାଳୁଙ୍କ ବେଶ ଭିଡ଼ ଦେଖିବାକୁ ମିଳୁଛି । ଶ୍ରଦ୍ଧାଳୁ ମାନେ ଶ୍ରୀ ଗୁଣ୍ଡିଚା ଗୁଡି ପରିସରରୁ ଧୂପ, ଦୀପ, ନୈବେଦ୍ୟ ବିଭିନ୍ନ ଦୋକାନରୁ ସଂଗ୍ରହ କରି ବିଗ୍ରହଙ୍କୁ ଅତି ଆନନ୍ଦରେ ସମର୍ପଣ କରୁଛନ୍ତି । ଦେବୋତ୍ତର ବିଭାଗ, ସ୍ଥାନୀୟ ସ୍ବେଚ୍ଛାସେବୀ ଓ ଶ୍ରୀ ଗୁଣ୍ଡିଚା ରଥଯାତ୍ରା କମିଟି ପକ୍ଷରୁ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଯାତ୍ରା କମିଟି ପକ୍ଷରୁ ମନ୍ଦିର ସାଂସ୍କୃତିକ ମଞ୍ଚରେ ଭଜନ ସନ୍ଧ୍ୟାର ଆୟୋଜନ କରାଯାଉଛି । ହଜ଼ାର ହଜ଼ାର ଶ୍ରଦ୍ଧାଳୁ ସନ୍ଧ୍ୟା ଆରତୀ ସହିତ ବେନି ଭାଇଙ୍କ ବେଶ ଦର୍ଶନ କରିବାର ସୌଭାଗ୍ୟ ଲାଭ କରୁଛନ୍ତି । ଦେବୋତ୍ତର ବିଭାଗର ସୀମିତ ଆର୍ଥିକ ସହଯୋଗରେ ଯାତ୍ରା କମିଟି ପକ୍ଷରୁ ମନ୍ଦିରକୁ ଆକର୍ଷଣୀୟ ଭାବେ ସଜ୍ଜିତ କରାଯାଇଛି ।
ଇଟିଭି ଭାରତ, ସୁବର୍ଣ୍ଣପୁର