ବୋଇତ ବନ୍ଦାଣ କରି ଐତିହ୍ୟ ପରମ୍ପରାକୁ ମନେ ପକାଇଲେ ପାଟଣାବାସୀ

By ETV Bharat Odisha Team

Published : Nov 27, 2023, 11:41 AM IST

thumbnail

କେନ୍ଦୁଝର: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣମା । ଧାର୍ମିକ କାର୍ତ୍ତିକ ମାସର ଶେଷ ଦିନ । ନଦୀ, ପୋଖରୀ ତୁଠରୁ ଶୁଭୁଛି ବୋଇତ ବନ୍ଦାଣର ସ୍ବର। ଆ-କା-ମା-ବୈ ,ପାନ-ଗୁଆ-ଥୋଇ, ପାନ-ଗୁଆ ତୋର ମାସିକ ଧର୍ମ ମୋର । ଏହି ଗୀତ ଗାଇ ନଦୀରେ ଡଙ୍ଗା ଭସାଉଛନ୍ତି ପ୍ରତିଟି ଓଡିଆ । ବଢ଼ି ଭୋରରୁ ପୁଷ୍କରିଣୀ ଓ ନଦୀରେ ଡଙ୍ଗା ଭସାଇବାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଏହି ଅବସରରେ ପ୍ରାଚୀନ ଉତ୍କଳର ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇଛନ୍ତି ରାଜ୍ୟବାସୀ । ଏହି ପବିତ୍ର କାର୍ତ୍ତିକ ମାସ ଅବସରରେ ଚଳଚଞ୍ଚଳ ହୋଇପଡ଼ିଛି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ବୈତରଣୀ ନଦୀ କୂଳରେ ଥିବା ରାଜନଗରର ଶୈବ କାବେରୀ ପୀଠ । ଶ୍ରଦ୍ଧାଳୁମାନେ ଭୋରରୁ ବୁଡ଼ ପକାଇ ପାନ ଗୁଆ ଥୋଇ ଡ଼ଙ୍ଗା ଭସାଇବା ପରେ ରାଜନଗରର ଆରାଧ୍ୟ ଦେବତା ଦଧିବାମନ ଜୀଉଙ୍କୁ ଦର୍ଶନ କରି ଆଶିଷ ଭିକ୍ଷା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ - ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ରାତିରୁ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ

ସେହିପରି ବୋଇତ ବନ୍ଦାଣ କମିଟି ତରଫରୁ ରାଜନଗର ଘାଟରେ ୪୦ଫୁଟ ଲମ୍ବ ଓ ୨୦ ଫୁଟ ଓସାରର ଏକ ସୁସ୍ୱଜ୍ଜିତ ବୋଇତକୁ ବନ୍ଦାଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଜଗନ୍ନାଥ ନାଏକ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି ବୋଇତ ବନ୍ଦାଣ କାର୍ଯ୍ୟକ୍ରମକୁ ଦେଖିବାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା । ତେବେ ଏହି ଭିଡ଼କୁ ଆଖି ଆଗରେ ରଖି ତୁରୁମୁଙ୍ଗା ପୋଲିସ ତରଫରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା । ସେହିପରି କାର୍ତ୍ତିକ ମାସ ଅବସରରେ ଜିଲ୍ଲାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ମନ୍ଦିରରେ ମଧ୍ୟ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା ।

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.