Watch: ଦାଣ୍ଡିଆ ନାଚରେ ମସଗୁଲ ଜଗତସିଂହପୁରବାସୀ

By ETV Bharat Odisha Team

Published : Oct 22, 2023, 8:59 PM IST

thumbnail

ପାରାଦ୍ବୀପ: ନବରାତ୍ରୀରେ ଚିକ୍‌ମିକ୍‌ ଆଲୁଅରେ ଝଲସି ଉଠୁଛି ଜଗତସିଂହପୁର । ଜମିଲାଣି ଦାଣ୍ଡିଆ ନାଇଟ ଭିଡ । ପାରାଦ୍ୱୀପ ଓ ଜଗତସିଂହପୁର ସହରରେ ନବରାତ୍ର ଓ ଦାଣ୍ଡିଆର ଆୟୋଜନ କରାଯାଇଛି । ଏହି ଅବସରରେ ମହିଳା ହୁଅନ୍ତୁ କି ପୁରୁଷ ସମସ୍ତେ ଦାଣ୍ଡିଆ ନାଚରେ ମସଗୁଲ ହୋଇ ପଡୁଥିବା ଦେଖିବାକୁ ମିଳିଛି । ପାରାଦ୍ୱୀପ ସହରର ବିଭିନ୍ନ ହୋଟେଲରେ ମଧ୍ୟ ଦାଣ୍ଡିଆ ନୃତ୍ୟର ଆୟୋଜନ କରାଯାଉଛି । ନବରାତ୍ର ପୂଜା ଦିନ ଠାରୁ ଆରମ୍ଭ ହୋଇଥିବା ଦାଣ୍ଡିଆ ନୃତ୍ୟ ଆସନ୍ତାକାଲି(ସୋମବାର) ପର୍ଯ୍ୟନ୍ତ ଚାଲିବ । ଶାରଦୀୟ ପାର୍ବଣର ନବପତ୍ରିକା ଦିନଠାରୁ ନବଦୁର୍ଗାଙ୍କ ପୂଜାର୍ଚ୍ଚନା କରାଯାଇଥାଏ । ସେହିଦିନଠାରୁ ଦାଣ୍ଡିଆ ନୃତ୍ୟ ଲୋକେ ପରିବେଷଣ କରିଥାନ୍ତି । ପାରାଦ୍ୱୀପର ବିଭିନ୍ନ ଶିଳ୍ପ ସଂସ୍ଥା ଗୁଡିକ ମଧ୍ୟ ଦାଣ୍ଡିଆର ଆୟୋଜନ କରିଥିଲେ ।

ଇଫ୍କୋ ପକ୍ଷରୁ ସ୍ଥାନୀୟ କର୍ଣ୍ଣଫରେନ୍ସ ହଲରେ ଦାଣ୍ଡିଆର ଆୟୋଜନ କରାଯାଇଥିଲା । କମ୍ପାନୀର ବରିଷ୍ଠ ଅଧିକାରୀମାନେ ପ୍ରଥମେ ମା, ଦୁର୍ଗାଙ୍କ ପୂଜାର୍ଚ୍ଚନା କରିବା ପରେ ଦାଣ୍ଡିଆ ନାଚିଥିଲେ । ପ୍ରତ୍ୟେକ ବର୍ଷ ଇଫ୍କୋ ପକ୍ଷରୁ ପାରାଦ୍ୱୀପ ବାସୀଙ୍କୁ ନେଇ ଆୟୋଜନ କରାଯାଇ ଆସୁଛି । ଆଜି ମହାଷ୍ଟମୀ ତିଥିରେ ମଧ୍ୟ ବିଭିନ୍ନ ସ୍ଥାନରେ ଲୋକେ ମା’, ଦୁର୍ଗାଙ୍କୁ ପୂଜାର୍ଚ୍ଚନା କରିବା ସହିତ ଦାଣ୍ଡିଆ ନାଚିଥିଲେ । ଦାଣ୍ଡିଆ ନୃତ୍ୟ ଓଡ଼ିଶାର ପରମ୍ପରା ହୋଇ ନଥିଲେ ମଧ୍ୟ ଲୋକେ ଏହାକୁ ଧୀରେ ଧୀରେ ଆପଣେଇ ନେଉଥିବା ଦେଖିବାକୁ ମିଳୁଛି । ବିଶ୍ୱାସ ରହିଛି ନବରାତ୍ର ସମୟରେ ଉପବାସ ରଖି ନବଦୁର୍ଗାଙ୍କୁ ଆରାଧନା କଲେ ଅଶେଷ ପୁଣ୍ୟ ଅର୍ଜନ ହୋଇଥାଏ । ସେହିପରି ମା’ଙ୍କୁ ସନ୍ତୁଷ୍ଟ କରିବା ପାଇଁ ଦାଣ୍ଡିଆ ନୃତ୍ୟ ପରିବେଷଣ କରାଯାଇଥାଏ । 

ଏହା ମଧ୍ୟ ପଢନ୍ତୁ....କଟକରେ ଆରମ୍ଭ ହେଲା ଦାଣ୍ଡିଆ ନାଇଟ୍ସ

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.