RathaKhala Halchal: ଆଜି ତିନି ରଥରେ ଲଗାଯିବ ୪୪ ଗୋଟି ଯୋଖା - ରଥଖଳା ହାଲଚାଲ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/640-480-18655732-thumbnail-16x9-gfvm.jpg)
ପୁରୀ: ପାଖେଇ ଆସୁଛି ବିଶ୍ବନିୟନ୍ତାଙ୍କ ଘୋଷଯାତ୍ରା । ବଡଦାଣ୍ଡରେ ଭକ୍ତ ଭଗବାନ ହେବେ ଏକାକାର । ଦାରୁବ୍ରହ୍ମଙ୍କୁ ଚର୍ମଚକ୍ଷୁରେ ଦେଖିବ ସାରା ଜଗତ । ଶ୍ରୀଜିଉଙ୍କ ଘୋଷଯାତ୍ରା ପାଇଁ ଶ୍ରୀକ୍ଷେତ୍ର ରଥଖଳାରେ ନିର୍ମାଣ ଚାଲିଛି ରଥ । ପ୍ରବଳ ଗୁଳୁଗୁଳି ଗରମକୁ ଖାତିର ନକରି ମହାପ୍ରଭୁଙ୍କ ରଥ ନିର୍ମାଣରେ ଲାଗିଛନ୍ତି ରଥ ନିର୍ମାଣକାରୀ ସେବକ। ଗତକାଲି ସୁଦ୍ଧା ତିନି ରଥର ପୋଲ ଗୟଳ ଏବଂ ଛନ୍ଦା ଗୟଳ ପଡିଥିଲା। ଆଜି ତିନି ରଥର ମୋଟ ୪୪ ଗୋଟି 'ଯୋଖା' ଲଗାଯିବ । ତାଳଧ୍ୱଜ ରଥରେ ୧୬ ଟି, ଦର୍ପଦଳନ ରଥରେ ୧୨ ଟି ଏବଂ ନନ୍ଦିଘୋଷ ରଥରେ ୧୬ ଟି ଯୋଖା ଲଗାଯାଇଛି ।
ଏଥିସହ ଆଜି ତିନି ରଥର ପାଞ୍ଚୋଟି ଲେଖାଁଏ 'ଜଗତ ପୃଷ୍ଠ ଶେଣୀ' ଚଉପଟ କାର୍ଯ୍ୟ ଶେଷ ହୋଇଛି । ସେହିପରି ତିନିରଥର ଦୁଇଟି ଲେଖାଁଏ ଧୂଳି ଦଣ୍ଡା ନିର୍ମାଣ ଶେଷ ହେବା ସହ ନନ୍ଦିଘୋଷ ରଥ, ତାଳଧ୍ୱଜ ରଥର ଦୁଇଟି ଲେଖାଁଏ ଏବଂ ଦର୍ପଦଳନ ରଥର ତିନୋଟି 'ଢମକ' ନିର୍ମାଣ ଶେଷ ହୋଇଛି । ତିନିରଥର 'ଚନ୍ଦ୍ରଶାଳୀ' ର ଅଁଳା ନିର୍ମାଣ ପାଇଁ ଆଜି ରଥ ଆମୀନ ତିନି ରଥ ଚାଳିକୁ ୧୨ ଫୁଟିଆ କଞ୍ଚା ମହି କାଠ ଯୋଗାଇ ଥିଲେ। ସେଗୁଡିକର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି । ତିନିରଥର ରୂପକାର ସେବକ ମାନେ ନାଟ ଗୋଡ଼ରେ ରୂପ ଖୋଦେଇ ଜାରି ରଖିଛନ୍ତି। ଦୋଳବେଦୀ କମାର ଶାଳରେ ତିନି ରଥର ଓଝା ସେବକ ମାନେ ତିନି ରଥ ପାଇଁ ଆବଶ୍ୟକ ଯୋଖା କଣ୍ଟା ନିର୍ମାଣ ସାରି ଯୋଗାଇବା ପରେ ତିନି ରଥର ଭୂଇଁ ପାଇଁ ବିଡ଼ିଆ କଣ୍ଟା,ପୋଟକ ଓରା କଣ୍ଟା ନିର୍ମାଣ କରୁଛନ୍ତି। ସେପଟେ ଚିତ୍ରକର ସେବକମାନେ ତିନି ରଥର ପାର୍ଶ୍ଵ ଦେବାଦେବୀ, ସଖୀ ଓ ଶିଖ ଡମ୍ବୁରୁରେ ରଙ୍ଗ କାର୍ଯ୍ୟ ଆରମ୍ଭ କରିଛନ୍ତି।
ଇଟିଭି ଭାରତ,ପୁରୀ