RathaKhalaHalchal: ତିନି ରଥର ଦଣ୍ଡା ଫ୍ରେମରେ ଦୁଇଟି ଲେଖାଁଏ 'ଗରଗରା' ପଡିଲା - ଜଗନ୍ନାଥ ରଥଯାତ୍ରା

🎬 Watch Now: Feature Video

thumbnail

By

Published : May 31, 2023, 4:31 PM IST

ପୁରୀ: ପାଖେଇ ଆସୁଛି ବିଶ୍ବନିୟନ୍ତାଙ୍କ ଘୋଷଯାତ୍ରା । ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ମାଉସୀ ଘରକୁ ଯିବେ କାଳିଆ ସାଆନ୍ତେ । ବଡଦାଣ୍ଡରେ ଭକ୍ତ ଭଗବାନ ହେବେ ଏକାକାର । ଦାରୁବ୍ରହ୍ମଙ୍କୁ ଚର୍ମଚକ୍ଷୁରେ ଦେଖିବ ସାରା ଜଗତ ।  ଶ୍ରୀଜୀଉଙ୍କ ଘୋଷଯାତ୍ରା ପାଇଁ ଶ୍ରୀକ୍ଷେତ୍ର ରଥଖଳାରେ ନିର୍ମାଣ ଚାଲିଛି ରଥ । ରଥ ନିର୍ମାଣ ଆଜି 37 ଦିନରେ ପହଞ୍ଚିଥିବା ବେଳେ ଆଗୁଆ ଚାଲିଛି ରଥ ନିର୍ମାଣ କାମ । ତିନିରଥର ଦଣ୍ଡା ଫ୍ରେମରେ ଦୁଇଟି ଲେଖାଁଏ ‘ଗରଗରା' ପଡିବା ସହ ତିନିରଥର ଉଭୟ ପାର୍ଶ୍ବରେ ଗୋଟିଏ ଲେଖାଁଏ ବଡ ପୋଲ ଗୟଳ ପଡି ସାରିଛି।  ‘ଚାରିନାହାକା' ଉଠିବା ପରେ ତିନି ରଥରେ ୪ଟି ଲେଖାଁଏ ୨୦ ଫୁଟିଆ କାଠ ଫାଳି ଗୟଳ ଉପରେ ପକାଯାଇ ଭାରା ବନ୍ଧା ଯାଇ ଥିଲା । 

ଏହାପରେ ତିନିରଥରେ ୪ ଗୋଟି ଲେଖାଁଏ ‘ଚାରିନାହାକା' କୁ ଗରଗରା ବିନ୍ଧ ରେ ଭୁଂଜା ଯିବାପରେ, ତିନିରଥର ମୁଖ୍ୟ ମହାରଣା ଗରଗରାରେ ମାହାର୍ଦ ରଖି ନଡ଼ିଆ ବାଡେଇ ଅନୁକୂଳ ପୂଜା ସମ୍ପନ୍ନ କଲାପରେ, ତିନିରଥର ଭୋଇ ସେବକ ମାନେ ଏକା ସାଙ୍ଗରେ ତିନିରଥର ନାହାକାକୁ ଗରଗରା ବିନ୍ଧ ଭିତରେ ଚାରି ନାହାକା ସାଲକୁ ରଖି ଠିଆ କଲାପରେ ଭୋଇ ସେବକ ମାନେ ଏକସଙ୍ଗରେ ହରି ବୋଲ ଧ୍ବନି ଦେଇଥିଲେ। ତିନିରଥର ଚାରିନାହାକା ଉଠି ସାରିଥିବା ବେଳେ ତିନିରଥର ଦୁଇ ପାର୍ଶ୍ଵର ଗୁଜ ଏବଂ ଜଳଯନ୍ତ୍ର ଦଣ୍ଡା ଉପରେ ସଂଯୋଗ କରାଯାଇ ତା’ ଉପରେ ପାର୍ଶ୍ବ ନିରାଡି ଦୁଇପଟେ ସ୍ଥାପନ କରାଯାଇଅଛି । ତାଳଧ୍ବଜ ରଥ ଏବଂ ନନ୍ଦିଘୋଷ ରଥରେ ଆଉ ଦୁଇଟି ଲେଖାଁଏ ୪ଟି ପୋଲ ଗୟଳ ସ୍ଥାପନ କରାଯାଇଛି । 

ଏଥିସହ ଆଜି ଦର୍ପଦଳନ ରଥରେ ଆଉ ଗୋଟିଏ ଲେଖାଁଏ ସାନ ପୋଲ ଗୟଳ ସ୍ଥାପନ କରାଯାଇଅଛି । ଏଥି ସହିତ ତିନି ରଥର ୧୦ ଗୋଟି ପୋଲ ଗୟଳରେ ୪୦ ଗୋଟି ଟାଣ ବା ଖମ୍ବୀ ଏବଂ ୨୦ ଗୋଟି ତିଖଗୁଜ ବା କୋଣଗୁଜ ମୋଟ ୩୨ ଟି ଅସୁଆରୀ ସଂଯୋଗ ହୋଇଅଛି । ତିନି ରଥର ଆଗଆଣି ଏବଂ ପଛଆଣି ବଡ ଛନ୍ଦା ଗୟଳ ର ବାନ୍ଧେଣି ପଡିଛି । ଆସନ୍ତାକାଲି ଛନ୍ଦା ଗୟଳ,ନିରାଡ଼ି ରେ କାପ କରାଯାଇ କଣ୍ଟା ବାଡ଼ିଆ କାର୍ଯ୍ୟ ସମ୍ପନ୍ନ ହେବ । ଏହିପରି ନନ୍ଦିଘୋଷ ରଥ ଏବଂ ତାଳଧ୍ବଜ ରଥରେ ୬ ଟି ଲେଖାଁଏ ୧୨ ଟି ଛନ୍ଦା ଗୟଳ ଲାଗିବା ସହିତ ଦର୍ପଦଳନ ରଥର ୪ ଗୋଟି ଛନ୍ଦା ଗୟଳ ଲାଗିବା ବାକି ରହିଛି । ତିନିରଥର ରୂପକାର ସେବକ ମାନେ ତିନିରଥର ସିଂହାସନ ର ଚିତ୍ର ଖୋଦେଇ କାର୍ଯ୍ୟ ଶେଷ କରି ତିନି ରଥର ନାଟ ଗୋଡ଼ରେ ରୂପଚିତ୍ର ତଥା ଖୋଦେଇ କାର୍ଯ୍ୟ ଜାରି ରଖିଛନ୍ତି। ଦୋଳବେଦୀ କମାର ଶାଳରେ ଓଝା ସେବକ ମାନେ ଗୟଳ କଣ୍ଟା ନିର୍ମାଣ ଶେଷ କରି ଯୋଖା କଣ୍ଟା ଏବଂ ଧ୍ଵଜ ବତା କଣ୍ଟା ନିର୍ମାଣ କରୁଛନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.