thumbnail

Nikki Yadav Murder Case: ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ, ୯ ତାରିଖ ଯାଏଁ ବଞ୍ଚିଥିଲେ ନିକି

By

Published : Feb 16, 2023, 12:31 PM IST

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରେମିକାକୁ ମାରି ଫ୍ରିଜ ଭିତରେ ରଖିବା ଘଟଣାରେ ମୃତ ଯୁବତୀ ନିକି ଯାଦବଙ୍କ ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି । ଏଥିରେ ସ୍ପଷ୍ଟ ଭାବେ ଦେଖାଯାଉଛି ଯେ, ନିକି ଫେବୃୟାରୀ ୯ ତାରିଖ ଯାଏଁ ଜୀବିତ ଥିଲେ  । ଏହି ଫୁଟେଜ ହେଉଛି ଉତ୍ତମ ନଗର ସ୍ଥିତ ଭଡା ଘରର, ଯେଉଁଠାରେ ନିକି ୫ ମାସ ହେଲା ରହୁଥିଲେ  । ପ୍ରଥମ ଫୁଟେଜରେ ୯ ତାରିଖ ପୂର୍ବାହ୍ନ ପ୍ରାୟ ୧ଟା ବେଳେ ଯୁବତୀ ନିଜ ରୁମକୁ ଫେରୁଥିବା ଦେଖିବାକୁ ମିଳିଛି  ।

ସେହି ଦ୍ବିତୀୟ ଫୁଟେଜଟି ସେହି ଦିନ ରାତି ପ୍ରାୟ ସାଢେ ୯ଟା ସମୟର ଅଟେ । ଏହି ସମୟରେ ନିକି ବାହାରକୁ ଯାଉଥିବାର ଦେଖାଯାଇଛି । ଭିଡିଓକୁ ଦେଖିଲେ ଏପରି ଲାଗୁଛି ଯେମିତି ନିକି ଅଭିଯୁକ୍ତ ପ୍ରେମିକ ସାହିଲକୁ ଅପେକ୍ଷା କରିଛନ୍ତି । କାରଣ ଫେବୃୟାରୀ ୯ ତାରିଖ ଦିନ ହିଁ ସାହିଲର ନିର୍ବନ୍ଧ ହୋଇଥିଲା । ସେହି ଦିନ ରାତିରେ ନିକିଙ୍କ ଡାକରାରେ ପ୍ରାୟ ୧୦ଟା ୧୫ ମିନିଟ୍ ସମୟରେ ସାହିଲ ନିଜ କାରରେ ସେଠାକୁ ଆସିଥିଲା  ।  

ଏହାର ୨୦ ମିନିଟ ପରେ ସେ ନିକି ସାଥିରେ ଆନନ୍ଦ ବିହାର ଆଡକୁ ଯାଇଥିଲା  । ଏହି ସମୟରେ ଦୁହେଁ ପ୍ରଥମେ ଗୋଆ ଓ ପରେ ହିମାଚଳ ଯିବାକୁ ପ୍ଲାନିଂ କରିଥିଲେ । କିନ୍ତୁ ଆନନ୍ଦ ବିହାରରୁ ଆଇଏସବିଟି ଯିବା ପରେ ସାହିଲ ନିକିକୁ ହତ୍ୟା କରିଥିଲା । ଏହି ଘଟଣାରେ ଅଭିଯୁକ୍ତକୁ ଗିରଫ କରି କୋର୍ଟରେ ହାଜର କରାଯିବା ପରେ ୫ ଦିନିଆ ପୋଲିସ ରିମାଣ୍ଡରେ ପଠାଯାଇଛି । ହତ୍ୟାକାଣ୍ଡ ସମ୍ପର୍କରେ ଲଗାତାର ତାକୁ ପଚରାଉଚରା କରାଯାଉଛି । ଏହାରି ଭିତରେ ଗତକାଲି(ବୁଧବାର) ନିକିଙ୍କର ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ରିପୋର୍ଟରେ ତାଙ୍କୁ ଗଳା ଚିପି ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଛି  ।

ପ୍ରକାଶଥାଉ କି, ନିକି ବିବାହ ପାଇଁ ପ୍ରେମିକ ସାହିଲ ଉପରେ ବାରମ୍ବାର ଚାପ ପକାଉଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଗତ କିଛି ମାସ ହେବ ତିକ୍ତତା ଲାଗି ରହିଥିଲା । ସାହିଲ ବିବାହ ପାଇଁ ରାଜି ହେଉନଥିଲା । ଏଣୁ ସେ ନିକିଙ୍କୁ ହତ୍ୟା କରି ଏକ ଢାବାରେ ଥିବା ଫ୍ରିଜ ଭିତରେ ଲୁଚାଇ ଦେଇଥିଲା । ହତ୍ୟା କରିବାର ୧୨ ଘଣ୍ଟା ପରେ ଘରଲୋକ ଠିକ କରିଥିବା ଝିଅ ସହ ବିବାହ କରିଥିଲା ଅଭିଯୁକ୍ତ  ।  

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.