ମହିଳା ଶିଳ୍ପୀଙ୍କ ଅପୂର୍ବ କଳାକୃତି, ନିର୍ଜୀବ ପଥରରେ ଭରୁଛନ୍ତି ଜୀବନ - ପଥରରେ ଖୋଦେଇ
🎬 Watch Now: Feature Video
Published : Aug 24, 2023, 4:28 PM IST
ବାଲେଶ୍ବର: କୁହାଯାଏ ଜଣେ ମହିଳା ଯେବେ କିଛି ନୂଆ କରିବା ପାଇଁ ପଣ କରିନିଏ ତେବେ ତା ଆଗରେ ସବୁ ବାଧାବିଘ୍ନ ପାଣି ପରି ମିଳେଇ ଯାଇଥାଏ । ଆଉ ସେହି ମହିଳା ଜଣଙ୍କ ସଫଳତାର ଶୀର୍ଷରେ ପହଞ୍ଚିବା ପାଇଁ କୌଣସି ଶକ୍ତି ଅଟକାଇ ପାରେନା । ସେମିତି ଜଣେ ମହିଳା ହେଉଛନ୍ତି ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ ବଉଳ ଗଡ଼ିଆ ଅଞ୍ଚଳର ସରସ୍ବତୀ ମହାପାତ୍ର । ସରସ୍ବତୀଙ୍କ ନିହାଣ ମୁନରେ ପଥର ହୋଇଯାଉଛି ଜୀବନ୍ତ । ଶିଳ୍ପୀ ସରସ୍ବତୀଙ୍କ ହାତର ସ୍ପର୍ଶରେ ପଥର ବି ଜୀବନ୍ତ ହୋଇ ଚମକୁଛି । ନିଜର ଦୃଢ଼ ଇଚ୍ଛାଶକ୍ତି ଏବଂ କଠିନ ପରିଶ୍ରମ ଆଜି ତାଙ୍କୁ କେବଳ ବାଲେଶ୍ଵର ନୁହେଁ ବରଂ ସାରା ରାଜ୍ୟରେ ଏକ ସ୍ବତନ୍ତ୍ର ପରିଚୟ ଦେଇଛି ।
ସରସ୍ବତୀ ବାଲେଶ୍ଵର ଜିଲ୍ଲାର ପ୍ରଥମ ପଥର ଶିଳ୍ପୀ ଭାବେ ପରିଚିତ । ସକାଳଠାରୁ ସନ୍ଧ୍ୟା ଯାଏଁ ସେ ନିର୍ଜୀବ ପଥରରେ ନିହାଣର ସ୍ପର୍ଶ ଦେଇ ମୂର୍ତ୍ତି ତିଆରିରେ ଲାଗି ପଡ଼ନ୍ତି । ପଥର ମୂର୍ତ୍ତି କାମ ଶିଖିବା ପାଇଁ ୧୯୮୩ ମସିହାରେ ସେ ଟ୍ରେନିଂ ପାଇଁ ଯାଇଥିଲେ । ଯାହାର ଉପହାର ସ୍ବରୂପ ତାଙ୍କୁ କୁଶଳୀ ପଥର କାରିଗରୀ ଭାବେ ବିଭିନ୍ନ ଆଡୁ ପ୍ରଶଂସା ସୁଅ ଛୁଟୁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହ ସମ୍ବର୍ଦ୍ଧନା କରିଛନ୍ତି ।
ଏହା ବି ପଢନ୍ତୁ- ହଜିଯାଉଛି ପାରମ୍ପରିକ କାରୁକାର୍ଯ୍ୟ, ପଥରକୁ ଜୀବନ ଦେଉଥିବା କାରିଗର ହାତ ଖାଲି
ଖାଲି ସେତିକି ନୁହେଁ ସରସ୍ବତୀ ନିଜେ ରୋଜଗାରକ୍ଷମ ହେବାସହ ଅନ୍ୟ ମହିଳାମାନଙ୍କୁ ମଧ୍ୟ ରୋଜଗାରର ବାଟ ଦେଖାଇଛନ୍ତି । ଏଥିପାଇଁ ସେ ନିଜ ଶିଳ୍ପ କାରଖାନାରେ ୩୫ଜଣ ମହିଳା ଓ ପୁରୁଷଙ୍କୁ ପଥର କାମ ଶିଖାଇ ନିୟୋଜିତ କରିଛନ୍ତି । ଏବେ ମୁଗୁନି ପଥରର ବେଶ ଚାହିଦା ରହିଥିବା ବେଳେ ଏଠାରୁ ନିର୍ମିତ ପଥର ମୂର୍ତ୍ତି ଦେଶର ବିଭିନ୍ନ ସ୍ଥାନକୁ ଯାଉଥିବା ସହିତ ବିଦେଶକୁ ମଧ୍ୟ ରପ୍ତାନି କରାଯାଉଛି । ଏଥିରେ ଭଲ ଦୁଇ ପଇସା ରୋଜଗାର କରି ପରିବାର ଚଳାଇ ପାରୁଛନ୍ତି ସରସ୍ବତୀ ।
ଇଟିଭି ଭାରତ, ବାଲେଶ୍ବର