ପ୍ରତିଶୃତି ଦେଇ ଠକିଦେଲେ: ହ୍ବିଲଚେୟାରରେ ବଲାଙ୍ଗୀରରୁ ଭୁବନେଶ୍ବର କରିଥିଲେ ଯାତ୍ରା, ଏଯାଏଁ ମିଳିନି ସହାୟତା - ହ୍ବିଲଚେୟାର
🎬 Watch Now: Feature Video
ବଲାଙ୍ଗୀର: ଜିଲ୍ଲାର ଦିବ୍ୟାଙ୍ଗ ଯୁବକ ଡଗର ନାୟକ । ତିନି ଚକିଆ ସାଇକେଲରେ ବଲାଙ୍ଗୀରରୁ ଭୁବନେଶ୍ବର ପର୍ଯ୍ୟନ୍ତ ଯାତ୍ରା କରି ଚର୍ଚ୍ଚାରେ ଆସିଥିଲେ । ତେବେ ସେ ନିଜ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ସାହାଯ୍ୟ ପାଇଁ ଗୁହାରି କରିବାକୁ ଯାଇଥିଲେ । ଯେଉଁଠି ତାଙ୍କୁ ପ୍ରତିଶୃତି ମିଳିଥିଲା । ହେଲେ ଏଯାଏଁ ତାହା ସତ ହୋଇପାରିନାହିଁ ବୋଲି ସେ ଅଭିଯୋଗ ଆଣିଛନ୍ତି । ଏକ ତିନି ଚକିଆ ଯାନ ମାଧ୍ୟମରେ କିଛି ବ୍ୟବସାୟ କରିବେ ବୋଲି ସେ ମନସ୍ଥ କରି ପ୍ରଶାସନ ନିକଟରେ ଆର୍ଥିକ ସହାୟତା ପାଇଁ ଦାବି କରିଥିଲେ ।
ବଲାଙ୍ଗୀର ଟିକ୍ରାପଡ଼ା ବୈଜନ୍ତି ସାହିରେ ରହୁଥିବା ଦିବ୍ୟାଙ୍ଗ ଡଗର ନାୟକଙ୍କ ବୟସ ମାତ୍ର ୨୫ବର୍ଷ । ତେବେ ଜନ୍ମରୁ ତାଙ୍କର ଗୋଟିଏ ଗୋଡ଼ ଅଚଳ। ସେହିପରି ତାଙ୍କ ବାପା ମାନସିକ ରୋଗରେ ପୀଡ଼ିତ ଓ ମାଆ କୋମାରେ ଶଯ୍ୟାଶାୟୀ ଅଛନ୍ତି । ତେବେ ସେ ଓ ତାଙ୍କ ଭଉଣୀ ଏଠି କାମ କରି ନିଜର ପରିବାର ପ୍ରତିପୋଷଣ କରନ୍ତି । ରୋଗୀଣା ମାଆ ବାପାଙ୍କ ଔଷଧ ଖର୍ଚ୍ଚ ବହନ କରିଥାନ୍ତି । ହେଲେ ଏହା ଯଥେଷ୍ଟ ହୋଇପାରୁ ନାହିଁ ବୋଲି ସେମାନେ କହିଛନ୍ତି । ଏଣୁ ସେ ଗୋଟିଏ ତିନି ଚକିଆ ସ୍କୁଟି ସହ ଏକ ଦୋକାନ କରିବା ପାଇଁ ସାହାଯ୍ୟ ଚାହିଁଥିଲେ। ଯାହା ପାଇଁ ସେ ଅନେକ ଥର ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ ହେଲେ କିଛି ଆର୍ଥିକ ସହାୟତା ମିଳିନଥିଲା ।
ଏହା ବି ପଢନ୍ତୁ- ସୁଶାନ୍ତ ସିଂଙ୍କୁ ମିଳିଲାନି ମନ୍ତ୍ରୀ ପଦ; ଅସନ୍ତୋଷ ଝାଡିଲେ ବଲାଙ୍ଗୀର ବିଜେଡି କର୍ମୀ
ଏଣୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ନିଜ ଦାବି ଜଣାଇବା ପାଇଁ ଗତ ଏପ୍ରିଲ ୧ ତାରିଖରେ ବଲାଙ୍ଗୀରରୁ ଭୁବନେଶ୍ବର ନିଜ ହାତ ଚଳିତ ତିନି ଚକିଆ ସାଇକଳରେ ୬ଦିନର ଯାତ୍ରା କରି ସେଠି ଯାଇଥିଲେ । ତେବେ ମୁଖ୍ୟମନ୍ତ୍ରୀଙ୍କୁ ସେ ଦେଖା କରି ପାରିନଥିଲେ, ହେଲେ ତାଙ୍କ କାର୍ଯ୍ୟାଳୟ ତାଙ୍କୁ ସବୁ ଦାବି ପୂରଣ ପାଇଁ ପ୍ରତିଶୃତି ଦେଇଥିବାର ସେ କହିଛନ୍ତି । ଏହାକୁ ଏବେ ମାସେ ବିତିଥିଲେ ମଧ୍ୟ ତାଙ୍କର ଦାବି ଉପରେ କୌଣସି ପଦକ୍ଷେପ ନିଆଯାଇନଥିବାର ସେ ଅଭିଯୋଗ କରିଛନ୍ତି । ତେବେ ବଲାଙ୍ଗୀର ଜିଲ୍ଲାପାଳ ଏଥିରେ ପଦକ୍ଷେପ ନେବେ ବୋଲି ସେ ଆଶା ନେଇ ପୁଣି ଜିଲ୍ଲାପାଳ ଦ୍ବାରସ୍ଥ ହୋଇଥିବାର କହିଛନ୍ତି ।
ତେବେ ଏହି ଦିବ୍ୟାଙ୍ଗ ଅସହାୟ ଯୁବକ ଡଗର ନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ବଡ ପ୍ରଶଂସକ ଅଟନ୍ତି । ମୁଖ୍ୟମନ୍ତ୍ରଙ୍କ ସବୁ କାର୍ଯ୍ୟକ୍ରମରେ ସେ ନିଜ ତିନି ଚକିଆ ସାଇକଲ ନେଇ ପହଞ୍ଚି ଯାଇଥାନ୍ତି । ତେବେ ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ ତାଙ୍କ ଗୁହାରି ଶୁଣିବେ ଓ ତାଙ୍କର ଦୁଃଖ ଦୁର୍ଦ୍ଦଶା କେବେ ଦୂର ହେବ ତାହା ସମୟ କହିବ। ଏ ନେଇ ଡଗର କହିଛନ୍ତି, " ମୁଁ ତିନି ଚକିଆ ସ୍କୁଟି ପାଇଁ କିଛି ଆର୍ଥିକ ସହାୟତା ଦାବି କରିଥିଲି । ଏହାଦ୍ବାରା ମୁଁ କିଛି ବ୍ୟବସାୟ କରି ପ୍ରତିପୋଷଣ କରିବି । ଏଥିଲାଗି ମୁଁ ନବୀନ ନିବାସ ଯାଇଥିଲି । ସେଠାରେ କାଗଜପତ୍ର ଦେବା ପରେ ସେମାନେ ଆର୍ଥିକ ସହାୟତା ପାଇଁ ପ୍ରତିଶୃତି ଦେଇଥିଲେ । ହେଲେ ଏଯାଏଁ ମିଳିନାହିଁ ।"
ଇଟିଭି ଭାରତ, ବଲାଙ୍ଗୀର