ପ୍ରଭାତରୁ ଦର୍ଶନ କରନ୍ତୁ ମାଆ ତାରିଣୀଙ୍କ ଦିବ୍ୟ ଆଳତୀ - କରୁଣାମୟୀ ମାଆ ତାରିଣୀ
🎬 Watch Now: Feature Video
କେନ୍ଦୁଝର: କରୁଣାମୟୀ ମାଆ ତାରିଣୀ.... ଘଟଗାଁ ରାଣୀ ସେ ଦୁଃଖ ହାରିଣୀ । ଭକ୍ତର ମାଆ । ମାଆ ତାରିଣୀଙ୍କ ମହିମା ଅପାର । ତାଙ୍କ ଶରଣ ତଳେ ସବୁ ଦୁଃଖ ତରିଯାଏ । ଭକ୍ତର ପ୍ରତି ମନବାଞ୍ଛା ପୂରଣ କରେ ମାଆ । ସେଇଥି ପାଇଁ କାହିଁ କେଉଁ ମୂଲକରୁ ଭକ୍ତଟିଏ ଚାଲିଆସେ ମାଆ ପାଖକୁ । ମାଆଙ୍କ ଆଳତୀ ଦର୍ଶନ କଲେ ଦିନ ଶୁଭମୟ ହୋଇଥାଏ ବୋଲି ବିଶ୍ବାସ ରହିଛି । ଏଣୁ ସକାଳୁ ସକାଳୁ ମାଁଙ୍କ ଦିବ୍ୟ ଆଳତୀ ଦର୍ଶନ କରିବାକୁ ଭକ୍ତଙ୍କ ଭିଡ଼ ଜମିଥାଏ ।
କେନ୍ଦୁଝର ଜିଲ୍ଲା ପ୍ରସିଦ୍ଧ ଘଟଗାଁ ପୀଠରେ ପ୍ରତିଦିନ ପ୍ରଭାତରୁ ଅଧିଷ୍ଠାତ୍ରୀ ମାଆ ତାରିଣୀଙ୍କର ଦିବ୍ୟ ଆଳତୀ କରାଯାଏ । ପ୍ରଭାତରୁ ମନ୍ଦିର ପୂଜକ ଓ ସେବାୟତ ମାଆଙ୍କ ଦିବ୍ୟ ଆଳତୀ କରନ୍ତି । ନାଲି ସିନ୍ଦୁର ଓ ମନ୍ଦାରରେ ଝଟକୁଛନ୍ତି ମାଆ । ଘଣ୍ଟ ଘଣ୍ଟା, ଶଙ୍ଖ, ହୁଳହୁଳି, ହରିବୋଲ ଓ ମାଆଙ୍କ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହୋଇ ଉଠୁଛି ପୁରା ପରିବେଶ । ଯାହା ମନ୍ଦିରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରୁଛି । ସକାଳୁ ମାଆଙ୍କ ଦିବ୍ୟ ଆଳତୀ ଦର୍ଶନ କଲେ ଜୀବନର ସବୁ ପାପକ୍ଷୟ ହୋଇଥାଏ । ମାଆଙ୍କ ଅଶେଷ କୃପା ମିଳିଥାଏ ବୋଲି ବିଶ୍ବାସ ରହିଛି ।
କେନ୍ଦୁଝର ଜିଲ୍ଲାର ଘଟଗାଁରେ ଥିବା ତାରିଣୀପୀଠ ଓଡିଶାର ଏକ ପ୍ରସିଦ୍ଧ ତୀର୍ଥକ୍ଷେତ୍ର । ଏଠାକାର ଅଧିଷ୍ଠାତ୍ରୀ ଦେବୀ ତାରିଣୀ । 1480 ମସିହାରେ ପୁରୀର ତତ୍କାଳୀନ ଗଜପତିଙ୍କ ଆଦେଶକ୍ରମେ ମାଆ ତାରିଣୀଙ୍କ ନୂଆ ମନ୍ଦିର ଘଟଗାଁରେ ଶକ୍ତିପୀଠ ଭାବେ ସ୍ଥାପନ କରାଯାଇଥିଲା । ମାଆଙ୍କ ପାଖରେ ମାନସିକ କଲେ ତାହା ନିଶ୍ଚୟ ପୂରଣ ହୁଏ ବୋଲି ବିଶ୍ବାସ ରହିଛି । ସେଥିପାଇଁ ଦୂରଦୂରାନ୍ତରୁ ପ୍ରତିଦିନ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ । କୁହାଯାଏ ମାଆ ହେଉଛନ୍ତି ପ୍ରତ୍ୟକ୍ଷ ଦେବୀ । ତେଣୁ ମନସ୍କାମନା କରି ମାଆକୁ ନଡିଆଟିଏ ଯାଚି ଦେଲେ ଭକ୍ତର ମନବାଞ୍ଛା ପୂରଣ ହୁଏ ବୋଲି ଲୋକ ବିଶ୍ବାସ ରହିଛି ।
ମାଆଙ୍କ ଦୁଇଟି ପର୍ବ ଚଇତି ଓ ଆଷାଢି ପ୍ରତିବର୍ଷ ପାଳନ ହୁଏ । ଏହି ଦିନ ଘଟଗାଁ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥାଏ । ମାଆଙ୍କ ମହିମା ସତରେ ଅପାର । ତାଙ୍କ ଶରଣରେ ପଶିଲେ ଜୀବନର ସବୁ ଦୁଃଖ ଦୂର ହୁଏ ବୋଲି ବିଶ୍ବାସ ରହିଛି । ପ୍ରତିଦିନ ମାଁଙ୍କୁ ଦର୍ଶନ ପାଇଁ ରାଜ୍ୟର କୋଣ ଅନୁକୋଣରୁ ଭକ୍ତଙ୍କ ସୁଅ ଛୁଟିଥାଏ ।
ଇଟିଭି ଭାରତ, କେନ୍ଦୁଝର