ଶନିବାର ଦ୍ୱିତୀୟ ରଥଯାତ୍ରା ସମନ୍ଵୟ କମିଟି ବୈଠକ, ସୁରୁଖୁରୁରେ ରଥଯାତ୍ରା ଆୟୋଜନ ନେଇ ହେବ ଆଲୋଚନା - ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ
🎬 Watch Now: Feature Video
ପୁରୀ: ପାଖେଇ ଆସୁଛି ମହାପ୍ରଭୁଙ୍କ ଘୋଷଯାତ୍ରା। ତେବେ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାରେ ଆୟୋଜନ କରିବା ପାଇଁ ଆସନ୍ତାକାଲି ଆଇନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପୁରୀରେ ଦ୍ବିତୀୟ ରଥଯାତ୍ରା ସମନ୍ଵୟ କମିଟି ବୈଠକ ଅନୁଷ୍ଠିତ ହେବ । ଏଥିରେ ସେବାୟତ, ବିଭିନ୍ନ ବିଭାଗର ବରିଷ୍ଠ ପ୍ରଶାସନିକ ଅଧିକାରୀ ଯୋଗ ଦେବେ। ରଥଯାତ୍ରାରେ କିଭଳି ସବୁ ସମସ୍ୟା ସମାଧାନ ହୋଇ ପାରିବ ସେନେଇ ଆଲୋଚନା ହେବା ସହ ବିଭିନ୍ନ ନିଷ୍ପତ୍ତି ନିଆଯିବ । ତେବେ ଆସନ୍ତାକାଲି ବୈଠକରେ ଅନେକ ପ୍ରସଙ୍ଗ ଉଠାଯିବ ବୋଲି ବରିଷ୍ଠ ସେବାୟତ ଓ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ କହିଛନ୍ତି । ବିଶେଷ କରି ରାସ୍ତାଘାଟ ମରାମତି, ନିରବଚ୍ଛିନ୍ନ ପାନୀୟ ଜଳ ଯୋଗାଣ, ଶୃଙ୍ଖଳିତ ଯାତ୍ରୀ ପରିବହନ ବ୍ୟବସ୍ଥା, ହୋଟେଲ୍ ଲଜ ଗୁଡିକରେ ଭକ୍ତଙ୍କଠାରୁ ଅତ୍ୟଧିକ ଭଡ଼ା ନନେବା ପ୍ରସଙ୍ଗ ଆଲୋଚନା ହେବ ବୋଲି ଶ୍ରୀ ମନ୍ଦିରର ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର କହିଛନ୍ତି ।
ସେହିପରି ପୁରୀ ମେଡ଼ିକାଲରେ ଡାକ୍ତର ଅଭାବ, ବିପର୍ଯ୍ୟୟ ଚିକିତ୍ସ ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରସଙ୍ଗ ଉଠିବ । ସବୁ ପ୍ରସ୍ତୁତି ବୈଠକରେ ସବୁ ସମସ୍ୟା ସମାଧାନ ହେବ ବୋଲି ପ୍ରତିଶୃତି ଦିଆଯାଉ ଥିବାବେଳେ ବୈଠକ ଶେଷ ପରେ ଏହା କାର୍ଯ୍ୟକାରୀ ହେଉ ନଥିବା ଅଭିଯୋଗ କରିଛନ୍ତି ଅନେକ ସେବାୟତ । ସେପଟେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ମହାପାତ୍ର ଅସମ୍ପୂର୍ଣ୍ଣ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ନେଇ ଚିନ୍ତା ପ୍ରକଟ କରିଛନ୍ତି । ରଥ ଯାତ୍ରା ଓ ସ୍ନାନଯାତ୍ରରେ ଲକ୍ଷଲକ୍ଷ ଭକ୍ତ ଆସିବାକୁ ଥିବା ବେଳେ ଶ୍ରୀମନ୍ଦିରର ଚାରି ପାଖରେ ଯେଭଳି ନିର୍ମାଣ କାର୍ଯ୍ୟ ଚାଲିଛି ତାହା ବେଶ୍ ଅସୁବିଧା ହେବ । ସେହିପରି ଶ୍ରୀମନ୍ଦିର ସମ୍ମୁଖ, ବଡଦାଣ୍ଡର ରାସ୍ତା ସମତୁଲ କରିବା, ରଥକାଠ ଦାନ କରୁଥିବା ବ୍ୟକ୍ତିଙ୍କୁ ଅଧିକରୁ ଅଧିକ ସମ୍ବର୍ଦ୍ଧିତ କରିବା ପ୍ରସଙ୍ଗ ମଧ୍ୟ ଆଲୋଚନା ହେବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ କହିଛନ୍ତି ।
ଇଟିଭି ଭାରତ, ପୁରୀ