Chandrayaan-3: ବୈଜ୍ଞାନିକଙ୍କ ସମ୍ମାନର୍ଥେ ୧୫୦ ମିଟର ତ୍ରିରଙ୍ଗା ନେଇ ଛାତ୍ରଛାତ୍ରୀଙ୍କ ରାଲି - ଚନ୍ଦ୍ର ପୃଷ୍ଠରେ ପାଦ ଥାପିଛି ଭାରତ

🎬 Watch Now: Feature Video

thumbnail

By ETV Bharat Odisha Team

Published : Aug 24, 2023, 7:51 PM IST

ରାଇରଙ୍ଗପୁର: ଚନ୍ଦ୍ରପୃଷ୍ଠରେ ପାଦ ଥାପିଛି ଭାରତ । ୧୪୦ କୋଟି ଭାରତୀୟଙ୍କ ଶୁଭେଚ୍ଛା ନେଇ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ଚନ୍ଦ୍ରଯାନ-3 ଚନ୍ଦ୍ରରେ ଅବତରଣ କରି ଭାରତ ଏକ ସ୍ବର୍ଣ୍ଣିମ ଇତିହାସ ରଚନା କରିଛି । ସାରା ବିଶ୍ବ ଏନେଇ ଖୁସି ପ୍ରକଟ କରିଥିବା ବେଳେ ସାରା ଦେଶ ଉତ୍ସବ ମୁଖର ହୋଇ ଉଠିଛି । ଏହି କ୍ରମରେ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ସହରରେ ଉତ୍ସବ ଦେଖିବାକୁ ମିଳିଛି । ଇସ୍ରୋର ବୈଜ୍ଞାନିକମାନଙ୍କୁ ସମ୍ମାନ ସହ ଶୁଭେଚ୍ଛା ଜଣାଇବା ପାଇଁ ଆଜି କରଞ୍ଜିଆ ସହରରେ ୧୫୦ ମିଟର ଲମ୍ବର ବିଶାଳ ତ୍ରିରଙ୍ଗା ଧରି ବିଶାଳ ଜନ ଶୋଭାଯାତ୍ରା କରାଯାଇଛି । ଏହି ଗର୍ବ ଓ ଖୁସିର ମୁହୁର୍ତ୍ତରେ ସହରର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ, ସମାଜସେବୀ ଓ ସ୍ଥାନୀୟ ବାସିନ୍ଦାମାନେ ଏହି ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାରେ ଯୋଗ ଦେଇଥିଲେ । ଆଜି ଦିନ ପାଖାପାଖି ୧୧ଟା ବେଳେ ଛାତ୍ରଛାତ୍ରୀ ଭାରତର ଜାତୀୟ ପତାକା ଧରି ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାରେ ବାହାରି କରଞ୍ଜିଆ ସହର ପରିକ୍ରମା କରିଥିଲେ । 

ଅଧିକ ପଢନ୍ତୁ: Aditya-L1 Mission: ‘ସେପ୍ଟେମ୍ବରରେ ଇସ୍ରୋର ମିଶନ ସୂର୍ଯ୍ୟ, ସରିଛି ପ୍ରସ୍ତୁତି’

ସେପଟେ ଭାରତର ଏହି ସଫଳତା ପାଇଁ କରଞ୍ଜିଆ ସହରରେ ସ୍କୁଲ୍‌, କଲେଜ୍‌ଗୁଡ଼ିକରେ ପରସ୍ପର ମଧ୍ୟରେ ମିଠା ବଣ୍ଟନ କରାଯାଇଥିଲା । ଏହାସହ ଭାରତ ମାତା କି ଜୟ ନାରାରେ ପ୍ରକମ୍ପିତ ହୋଇଥିଲା ସାରା ପରିବେଶ । ଚନ୍ଦ୍ର ପୃଷ୍ଠରେ ଚନ୍ଦ୍ରଯାନ-୩ର ସଫଳ ଅବତରଣ ପରେ ସମସ୍ତ ଭାରତୀୟ ମାନଙ୍କ ପାଇଁ ଗର୍ବ ଓ ଗୌରବ ଆଣି ଦେଇଥିବା ଇସ୍ରୋର ବୈଜ୍ଞାନିକମାନଙ୍କୁ ଧନ୍ୟବାଦ ଜଣାଇ ଉତ୍ସବ ମନାଇଥିଲେ ସହରବାସୀ ।

ଇଟିଭି ଭାରତ, ମୟୂରଭଞ୍ଜ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.