ହାଇଦ୍ରାବାଦ: ସୁସ୍ଥ ଏବଂ ଫିଟ୍ ରହିବା ପାଇଁ ଆବଶ୍ୟକ ପରିମାଣରେ ପୁଷ୍ଟିକର ଏବଂ ସୁସ୍ଥ ଖାଦ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ବୟସ ଅନୁସାରେ ଆବଶ୍ୟକ ପରିମାଣର ପୃଷ୍ଟିକର ଖାଦ୍ୟ ଖାଇବା ଆବଶ୍ୟକ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଥାଆନ୍ତି । କିନ୍ତୁ ବେଳେବେଳେ ଅର୍ଥନୈତିକ କାରଣରୁ କିମ୍ବା ଆବଶ୍ୟକ ପରିମାଣର ଶସ୍ୟ ଉପଲବ୍ଧ ନହେବା ସହିତ ବିଭିନ୍ନ କାରଣରୁ ଅନେକ ଲୋକ ଆବଶ୍ୟକ ପରିମାଣର ଖାଦ୍ୟ ଶସ୍ୟ ପାଇବାରେ ସକ୍ଷମ ହୁଅନ୍ତି ନାହିଁ । ଆଜି ବିଶ୍ବ ଖାଦ୍ୟ ଦିବସ । ପ୍ରତ୍ୟେକ ବର୍ଷ ଅକ୍ଟୋବର ମାସର 16 ତାରିଖକୁ ବିଶ୍ବ ଖାଦ୍ୟ ଦିବସ ଭାବେ ପାଳନ କରାଯାଏ । ବିଶ୍ୱ ଖାଦ୍ୟ ଦିବସ କେବଳ ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଏକ ସୁସ୍ଥ ଖାଦ୍ୟର ଆବଶ୍ୟକତା ବିଷୟରେ ଅବଗତ କରାଇବା ପାଇଁ ଏକ ସୁଯୋଗ ଦେଇନଥାଏ ବରଂ କୃଷି ମାଧ୍ୟମରେ ଅର୍ଥନୈତିକ ପ୍ରଗତି ପାଇଁ ପ୍ରୟାସ କରିବା ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଖାଦ୍ୟ ଉପଲବ୍ଧତାକୁ ସୁନିଶ୍ଚିତ କରିବାର ସୁଯୋଗ ଦେଇଥାଏ ।
ବିଶ୍ବ ଖାଦ୍ୟ ଦିବସର ଥିମ: ପ୍ରତିବର୍ଷ ଅକ୍ଟୋବର ମାସ 16 ତାରିଖରେ ଏକ ଥିମ ନେଇ ବିଶ୍ବ ସ୍ବାସ୍ଥ୍ୟ ଦିବସ ପାଳନ କରାଯାଏ । ଚଳିତ ବର୍ଷର ଥିମ ରହିଛି "ଜଳ ହିଁ ଭୋଜନ, ଜଳ ହିଁ ଜୀବନ । କେହି ବି ବଞ୍ଚିତ ରହିବେ ନାହିଁ ।"
ବିଶ୍ବ ଖାଦ୍ୟ ଦିବସର ଇତିହାସ ଏବଂ ଉଦ୍ଦେଶ୍ୟ: ଖାଦ୍ୟାଭାବ ତଥା ଦାରିଦ୍ର୍ୟ ଜନିତ ସମସ୍ୟା ତଥା ଏହାର ନିରାକରଣ ସମ୍ପର୍କରେ ବିଶ୍ବବାସୀଙ୍କ ଦୃଷ୍ଟି ଆକର୍ଷଣ କରିବା ଏହି ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ । ଏହାସହ ବିଶ୍ବରୁ କ୍ଷୁଧା ଦୂରୀକରଣ ପାଇଁ ପଦକ୍ଷେପ ନେବା । ଯେକୌଣସି ମନୁଷ୍ୟ ଯେପରି ଭୋକିଲା କିମ୍ବା କୁପୋଷିତ ନରହିବେ ସେହି ଦିଗରେ କାର୍ଯ୍ୟ କରିବା ପାଇଁ ପଦକ୍ଷେପ ନେବା ଉଚିତ । ଏହି ଅବସରରେ ଲୋକଙ୍କୁ ସଚେତନ କରାଇବା ଲକ୍ଷ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ କରାଯାଇଥାଏ ।
ସୂଚନାଯୋଗ୍ୟ ଯେ, ବିଶ୍ବରୁ କ୍ଷୁଧାକୁ ଦୂର କରିବା ତଥା ସମଗ୍ର ବିଶ୍ୱରେ କ୍ଷୁଧା ଦୂର କରିବା ପାଇଁ ପ୍ରୟାସ କରିବା ଉଦ୍ଦେଶ୍ୟରେ ମିଳିତ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ ଦ୍ବାରା 1979 ମସିହା ଅକ୍ଟୋବର 16 ତାରିଖରେ ବିଶ୍ବ ଖାଦ୍ୟ ଦିବସ ପ୍ରତିଷ୍ଠା କରାଯାଇଥିଲା । ଏହାପୂର୍ବରୁ ଖାଦ୍ୟ ମିଳିତ ଜାତିସଂଘ ଦ୍ୱାରା ଏକ ସାଧାରଣ ଅଧିକାର ଭାବରେ ମାନ୍ୟତା ପାଇଥିଲା । କିନ୍ତୁ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଏକ ସୁସ୍ଥ ଖାଦ୍ୟର ଆବଶ୍ୟକତାକୁ ବୁଝିବା ପାଇଁ 1945 ମସିହାରେ ମିଳିତ ଜାତିସଂଘ ଖାଦ୍ୟକୁ ସମସ୍ତଙ୍କ ପାଇଁ ଏକ ବିଶେଷ ଅଧିକାର ଭାବରେ ମାନ୍ୟତା ଦେଇଥିଲା ।
ଏହା ମଧ୍ୟ ପଢନ୍ତୁ: Fasting In Navratri: ଉପବାସରେ ଖାଆନ୍ତୁ ନାହିଁ ଏହି ଖାଦ୍ୟ, ହୋଇପାରେ ସ୍ବାସ୍ଥ୍ୟ ସମସ୍ୟା
ବିଶ୍ବ ଖାଦ୍ୟ ଦିବସର ମହତ୍ତ୍ବ: ବିଶେଷଜ୍ଞଙ୍କ କହିବା ଅନୁସାରେ, ଯଦିଓ ଖାଦ୍ୟ ବ୍ୟବସାୟ ବିଶ୍ବରେ ଅନେକ ଅଗ୍ରଗତି କରୁଛି ତଥାପି ଆଜି ମଧ୍ୟ ଦେଶର ଅନେକ ସ୍ଥାନରେ ସୁସ୍ଥ ଖାଦ୍ୟର ଅଭାବ ଏବଂ ଖାଦ୍ୟ ଉତ୍ପାଦନରେ ହ୍ରାସର ସମ୍ମୁଖୀନ ହେଉଛନ୍ତି । ତେବେ ଏହି କାରଣ ପାଇଁ ମୁଦ୍ରାସ୍ଫୀତି, ଦାରିଦ୍ର୍ୟ, ସାମାଜିକ ଅସମାନତା, ପରିବେଶ ଜନିତ ସମସ୍ୟା, ଯୁଦ୍ଧ ଏବଂ ମହାମାରୀ ଭଳି ପରିସ୍ଥିତି ଦାୟୀ ବୋଲି କୁହାଯାଇଛି । ବିଶ୍ବର ଅନେକ ଦେଶ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେଥିପାଇଁ ବିଶେଷଜ୍ଞମାନେ ଏହାକୁ ଏକ ବିଶ୍ୱସ୍ତରୀୟ ସମସ୍ୟା ବୋଲି ବିବେଚନା କରନ୍ତି ।
କଣ କହୁଛି ପରିସଂଖ୍ୟାନ: ମିଳିତ ଜାତିସଂଘର ଖାଦ୍ୟ ସୁରକ୍ଷା ଏବଂ ପୁଷ୍ଟିକର ଖାଦ୍ୟ ରିପୋର୍ଟ 2022 ଅନୁସାରେ ଭାରତରେ 97 କୋଟିରୁ ଅଧିକ ଲୋକ ଅର୍ଥାତ୍ ଦେଶର ପ୍ରାୟ 71 ପ୍ରତିଶତ ଲୋକ ପୁଷ୍ଟିକର ଖାଦ୍ୟ ଯୋଗାଇବାରେ ବା ଖାଇବାରେ ଅସମର୍ଥ । ସେହିପରି ନେପାଳରେ ଏହି ହାର 84 ପ୍ରତିଶତ ରହିଥିବା ବେଳେ ପାକିସ୍ତାନରେ 83.5, ଶ୍ରୀଲଙ୍କାରେ 49, ବ୍ରାଜିଲରେ 19 ଏବଂ ଚାଇନାରେ ଏହା ପ୍ରାୟ 12 ପ୍ରତିଶତ ବୋଲି ରିପୋର୍ଟରେ ଦର୍ଶାଯାଇଛି ।
ଅନେକ ଦେଶରେ ହାର କମ ଅଧିକ ରହିଥିଲେ ହେଁ ଆଜି ମଧ୍ୟ ଅନେକ ଲୋକ ସୁସ୍ଥ ଖାଦ୍ୟରୁ ବଞ୍ଚିତ ବୋଲି ଅସ୍ବୀକାର କରାଯାଇ ପାରିବ ନାହିଁ । ଯାହାର ଗୋଟିଏ ପ୍ରଭାବ ପୁଷ୍ଟିହୀନତାର ରୂପରେ ମଧ୍ୟ ଦେଖାଯାଏ । ଏହି ରିପୋର୍ଟରେ କୁହାଯାଇଛି ଯେ ଯଦିଓ ଖାଦ୍ୟ ଉତ୍ପାଦନରେ ଭାରତ ବିଶ୍ୱରେ ଦ୍ୱିତୀୟ ଏବଂ ଡାଲି, ଚାଉଳ, ଗହମ, ମାଛ, କ୍ଷୀର ଏବଂ ପନିପରିବା ଉତ୍ପାଦନରେ ବିଶ୍ୱରେ ପ୍ରଥମ ସ୍ଥାନରେ ରହିଛି, ତଥାପି ଜନସଂଖ୍ୟା ଅନୁପାତରେ ଖାଦ୍ୟର ଅଭାବ ଦେଖାଯାଉଛି । ପୁଷ୍ଟିହୀନତାରୁ ରିପୋର୍ଟରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ, 2021 ମସିହାରେ ବିଶ୍ବରେ 76.8 କୋଟି ଲୋକ କୁପୋଷଣର ଶିକାର ହୋଇଥିଲେ । ସେଥିମଧ୍ୟରୁ 22.4 କୋଟି ଅର୍ଥାତ୍ ପ୍ରାୟ 29 ପ୍ରତିଶତ ଭାରତୀୟ ରହିଥିଲେ । ପୁଷ୍ଟିହୀନତା ଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ ନୁହେଁ ବରଂ ପରିବାର, ଗୋଷ୍ଠୀ, ସମ୍ପ୍ରଦାୟ ତଥା ଜାତୀୟ ସ୍ତରରେ କୃଷି ମାଧ୍ୟମରେ ଉଭୟ ସ୍ୱାସ୍ଥ୍ୟ ଏବଂ ଅର୍ଥନୀତିର ଉନ୍ନତି ପାଇଁ ଉଦ୍ୟମ କରିବା ପାଇଁ ବିଶ୍ୱ ଖାଦ୍ୟ ଦିବସ ହେଉଛି ଏକ ସୁଯୋଗ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ