ହାଇଦ୍ରାବାଦ: ମହିଳାମାନେ ସୁନ୍ଦର ଦେଖାଯିବା ପାଇଁ ଉଚ୍ଚ ବା ହାଇ ହିଲ୍ ପିନ୍ଧିବାକୁ ପସନ୍ଦ କରନ୍ତି । କେତେକ ମହିଳା ଗର୍ଭାବସ୍ଥାରେ ହାଇ ହିଲ୍ ପିନ୍ଧନ୍ତି । କିନ୍ତୁ ଏଭଳି କରିବା ଅନୁଚିତ । କାରଣ ଏହା ଅତ୍ୟନ୍ତ ବିପଜ୍ଜନକ ହୋଇପାରେ । ମହିଳାମାନେ ଏହା କରିବା ଠାରୁ ଦୂରେଇ ରହିବା ଉଚିତ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ହାଇ ହିଲ୍, ଚପଲ କିମ୍ବା ଜୋତା ଗର୍ଭଧାରଣକୁ ବହୁତ କଷ୍ଟସାଧ୍ୟ କରିପାରେ । ଏହା ପଛରେ ଅନେକ ବୈଜ୍ଞାନିକ କାରଣ ମଧ୍ୟ ଅଛି । ତେବେ ଜାଣନ୍ତୁ ଗର୍ଭାବସ୍ଥାରେ କାହିଁକି ହିଲ୍ ପିନ୍ଧିବା ବିପଜ୍ଜନକ ହୋଇପାରେ ।
ଗର୍ଭାବସ୍ଥାରେ ହାଇ ହିଲ ପିନ୍ଧିବା ଦ୍ବାରା ଏହି ସମସ୍ୟା ହୋଇଥାଏ:
1. ପିଠିରେ ଯନ୍ତ୍ରଣା: ଅଧିକ ସମୟ ଧରି ହାଇ ହିଲ ପିନ୍ଧିବା ଦ୍ବାରା ଶାରୀରିକ ସ୍ଥିତି ଠିକ ରୁହେ ନାହିଁ । ଅଧିକ ସମୟ ଏହା ପିନ୍ଧିବା ଦ୍ବାରା ପେଲଭିକ୍ ମାଂସପେଶୀ ବଙ୍କା ହୋଇଯାଏ । ଏହି କାରଣରୁ ପିଠି ମଧ୍ୟ ବଙ୍କା ବା ନଇଁ ଯାଇଥାଏ । ଅନ୍ୟପଟେ ଗର୍ଭାବସ୍ଥାରେ ଶୀଘ୍ର ଓଜନ ବଢିଥାଏ, ଏହି ସମୟରେ ହାଇହିଲ ପିନ୍ଧିବା ଦ୍ବାରା ଗୋଇଠି ଏବଂ ପିଠିରେ ଯନ୍ତ୍ରଣା ଆରମ୍ଭ ହୋଇଥାଏ । ଏହାସହ ପାଦର ଲିଗାମେଣ୍ଟରେ ମଧ୍ୟ ସମସ୍ୟା ହୋଇପାରେ ।
2. ମାଂସପେଶୀରେ ଯନ୍ତ୍ରଣା: ଦୀର୍ଘ ସମୟ ଧରି ହାଇ ହିଲ୍ ପିନ୍ଧି ପାଦର ମାଂସପେଶୀ ସଙ୍କୁଚିତ ହୋଇଯାଏ ଏବଂ ମାଂସପେଶୀରେ ଯନ୍ତ୍ରଣା ମଧ୍ୟ ହୋଇଥାଏ । ତେବେ ଏହା ଦ୍ବାରା ମାଂସପେଶୀରେ ରକ୍ତଜମାଟ ବାନ୍ଧିବା ସହ ଗୋଲଗୋଲ ଆକାର ହୋଇ ଫୁଲିଯାଇଥାଏ । ଗର୍ଭାବସ୍ଥାରେ ଏହା ଆହୁରି ସମସ୍ୟା କରିପାରେ ।
ଏହା ମଧ୍ୟ ପଢନ୍ତୁ: Lung Cancer Detection By AI: ଫୁସଫୁସ କର୍କଟ ଚିହ୍ନଟରେ AIର ଭୂମିକା ଗୁରୁତ୍ବପୂର୍ଣ୍ଣ
3. ଗର୍ଭପାତର ଆଶଙ୍କା: ହାଇ ହିଲ୍ ପିନ୍ଧିବା ଏବଂ ଏହାକୁ ଦୀର୍ଘ ସମୟ ପିନ୍ଧିବା ଗର୍ଭାବସ୍ଥାରେ ବିପଜ୍ଜନକ ହୋଇପାରେ । ଏହି କାରଣରୁ ଗର୍ଭବତୀ ମହିଳାମାନଙ୍କ ଠାରେ ଗର୍ଭପାତ ହେବାର ଆଶଙ୍କା ଯଥେଷ୍ଟ ବୃଦ୍ଧି ପାଇଥାଏ । ସେଥିପାଇଁ ମହିଳାମାନେ ଗର୍ଭାବସ୍ଥାରେ ହାଇ ହିଲ୍ ପିନ୍ଧିବା ଠାରୁ ଦୂରେଇ ରହିବା ଉଚିତ୍ ।
4.ଗୋଡର ସନ୍ତୁଳନ ଦୁର୍ବଳ ହୋଇପାରେ: ଗର୍ଭାବସ୍ଥାରେ ଅତ୍ୟଧିକ ଓଜନ ବୃଦ୍ଧି ହେତୁ ଅନେକ ହରମୋନାଲ ପରିବର୍ତ୍ତନ ମଧ୍ୟ ହୋଇଥାଏ । ଏହି କାରଣରୁ ଆଣ୍ଠୁ ଦୁର୍ବଳ ହୋଇଯାଏ ଏବଂ ସନ୍ତୁଳନ କରିବାରେ ଅସୁବିଧା ହୁଏ । ହିଲ୍ ପିନ୍ଧିବା ଏହି ସମସ୍ୟାକୁ ଆହୁରି ବଢାଇପାରେ ଏବଂ ଠିଆ ହେବା ସମୟରେ ପଡ଼ିବାର ଆଶଙ୍କା ମଧ୍ୟ ଅଧିକ ରହିଥାଏ । ଯାହା ଉଭୟ ମା ଏବଂ ପିଲାଙ୍କ ପାଇଁ ବିପଦଜ୍ଜନକ ହୋଇପାରେ ।
5. ପାଦ ଫୁଲିଯିବା: ଯେତେବେଳେ ଜଣେ ମହିଳା ଗର୍ଭବତୀ ରହିଥାଆନ୍ତି ସେତେବେଳେ ଗୋଡ ବା ପାଦ ଫୁଲା ଏକ ସାଧାରଣ ସମସ୍ୟା ହୋଇଥାଏ । ଆରାମଦାୟକ ଜୋତା ଏବଂ ଚପଲ ନ ପିନ୍ଧିବା ଦ୍ବାରା ଏହା ପ୍ରାୟତଃ ହୋଇଥାଏ । ଟାଇଟ୍ ଜୋତା ଏବଂ ହିଲ୍ ହେତୁ ରକ୍ତ ସଞ୍ଚାଳନ ଠିକ ଭାବେ ହୋଇନଥାଏ । ଫଳରେ ଏହି ସମସ୍ୟା ଆହୁରି ବୃଦ୍ଧି ପାଇଥାଏ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ