ହାଇଦ୍ରାବଦ: ବାୟୁ, ପାଣି କିମ୍ବା ମାଟି ଯେଉଁଠାରେ ବି ପ୍ରଦୂଷଣ ବିସ୍ତାର ହେଉନା କାହିଁକି, ଏହା ଉଭୟ ମାନବ ସମାଜ ଏବଂ ପରିବେଶକୁ କ୍ଷତି ପହଞ୍ଚାଇଥାଏ । ଗତ କିଛି ବର୍ଷ ମଧ୍ୟରେ, ଲୋକମାନଙ୍କ ମଧ୍ୟରେ ଏପରି ଅନେକ ଗୁରୁତର ରୋଗର ବୃଦ୍ଧି ଘଟିଛି, ଯେଉଁଥି ପାଇଁ ପ୍ରଦୂଷଣ ସବୁଠାରୁ ଦାୟୀ ବୋଲି ବିବେଚନା କରାଯାଏ । ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ଏବଂ ପରିବେଶ ସଚେତନତା ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଡିସେମ୍ବର 2 ରେ ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ(National Pollution Control Day) ପାଳନ କରାଯାଏ ।
ଏହି ଦିନ ପାଳନ କରିବାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ କାରଣ ହେଉଛି, ଭୋପାଳରେ 1984ରେ ଘଟିଥିବା ଗ୍ୟାସ ଲିକ୍ ଦୁର୍ଘଟଣା(Bhopal gas tragedy)କୁ ମଧ୍ୟ ମନେ ପକାଇବା । ଭୋପାଳ ଗ୍ୟାସ୍ ଟ୍ରାଜେଡି ଦେଶବାସୀଙ୍କୁ ଚେତାଇ ଦେଇଥିଲା ଯେ, ପରିବେଶ ଅତ୍ୟଧିକ ପ୍ରଦୂଷିତ ହେଲେ କେବଳ ଜୀବନ ଯାଏନି, ଭବିଷ୍ୟତ ପିଢି ମଧ୍ୟ ଏହି କାରଣରୁ କ୍ଷତିଗ୍ରସ୍ତ ହୁଏ । ଯଦିଓ ଏହା ପୂର୍ବରୁ ଅନ୍ତର୍ଜାତୀୟସ୍ତରରେ ଏହିପରି ଘଟଣା ଘଟିଥିଲା କିନ୍ତୁ ଆମ ଦେଶ ପାଇଁ ଏହା ପ୍ରଥମ ଘଟଣା ଥିଲା ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ଆମ ଦେଶରେ ପ୍ରାୟ 14 କୋଟି ଲୋକ ନିଶ୍ବାସରେ ଦୂଷିତ ବାୟୁ ଗ୍ରହଣ କରୁଛନ୍ତି । ଏହାର ଫଳାଫଳ ହେଉଛି ସାଧାରଣ ଲୋକଙ୍କ ମଧ୍ୟରେ କେବଳ କର୍କଟ ନୁହେଁ ଅନେକ ପ୍ରକାରର ରୋଗ ମଧ୍ୟ କ୍ରମାଗତ ଭାବରେ ବୃଦ୍ଧି ପାଉଛି । ବାୟୁ, ଜଳ ଏବଂ ମାଟିରେ ବୃଦ୍ଧି ପାଉଥିବା ପ୍ରଦୂଷଣ ।
ଏହାର ପରିବେଶ ଉପରେ ପ୍ରଭାବ ବିଷୟରେ ଲୋକଙ୍କୁ ଅବଗତ କରାଇବା, ଅତ୍ୟଧିକ ପ୍ରଦୂଷଣ ହେତୁ ବଢୁଥିବା ସମସ୍ୟାର ସମାଧାନ କରିବାକୁ ତଥା ଆଇନ ଏବଂ ନିୟମ ସମ୍ବନ୍ଧରେ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ 2 ଡିସେମ୍ବରରେ ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ ପାଳନ କରାଯାଏ ।
ପ୍ରଦୂଷଣ ସମ୍ବନ୍ଧୀୟ ନିୟମ ଓ ଆଇନ:-
ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସର ମୂଳ ଉଦ୍ଦେଶ୍ୟ କେବଳ ଲୋକଙ୍କୁ ପ୍ରଦୂଷଣ ଏବଂ ଏହାର ମାରାତ୍ମକ ପ୍ରଭାବ ବିଷୟରେ ଅବଗତ କରାଇବା ନୁହେଁ, ବରଂ କୌଣସି ପ୍ରତିକୂଳ ପରିସ୍ଥିତିରେ ପରିଚାଳନା ତଥା ନିୟନ୍ତ୍ରଣର ପଦ୍ଧତି ତଥା ପ୍ରୟାସ ବିଷୟରେ ଜନସଚେତନତା ସୃଷ୍ଟି କରିବା, ବିଶେଷକରି ଶିଳ୍ପ ବିପର୍ଯ୍ୟୟ ସମୟରେ । କେବଳ ଶିଳ୍ପ ପ୍ରଦୂଷଣକୁ ଏଡ଼ାଇବା ପାଇଁ ନୁହେଁ ବରଂ ସମସ୍ତ ପ୍ରକାର ପ୍ରଦୂଷଣକୁ ଏଡ଼ାଇବା ପାଇଁ ଭାରତ ସରକାର ଏବଂ ବିଭିନ୍ନ ସାମାଜିକ ସଂଗଠନ ଦ୍ୱାରା ଅନେକ ଉପାୟରେ ପ୍ରୟାସ ଜାରି ରହିଛି ।
ପ୍ରଦୂଷଣର ନିୟନ୍ତ୍ରଣ ଏବଂ ପ୍ରତିରୋଧ ପାଇଁ ମଧ୍ୟ ଭାରତ ସରକାର ସମୟ ସମୟରେ ନିୟମ ଏବଂ ଆଇନ ପ୍ରଣୟନ କରିଛନ୍ତି, ଯେଉଁଥିରେ ପ୍ରଦୂଷଣ ନିୟନ୍ତ୍ରଣ ଏବଂ ପ୍ରତିରୋଧ ବ୍ୟତୀତ ପରିବେଶ ସୁରକ୍ଷା, ବିପଦପୂର୍ଣ୍ଣ ରାସାୟନିକ ଉତ୍ପାଦନ, ଏହାର ସଂରକ୍ଷଣ ଏବଂ ଏହାର ନିୟମ ଆମଦାନୀ, ବର୍ଜ୍ୟବସ୍ତୁ ପରିଚାଳନା ସମ୍ବନ୍ଧୀୟ ନିୟମ, ରାସାୟନିକ ଦୁର୍ଘଟଣା ସମ୍ବନ୍ଧୀୟ ବିପର୍ଯ୍ୟୟ ପରିଚାଳନା ପାଇଁ ନିୟମ, ଜୈବ ଚିକିତ୍ସା ବର୍ଜ୍ୟବସ୍ତୁ ପରିଚାଳନା, ଓଜନ୍ ହ୍ରାସକାରୀ ପଦାର୍ଥ ସମ୍ବନ୍ଧୀୟ ନିୟମ ଏବଂ ଶବ୍ଦ, ଜଳ ଓ ଜମି ପ୍ରଦୂଷଣ ସମ୍ବନ୍ଧୀୟ ନିୟମ ଅନ୍ତର୍ଭୁକ୍ତ କରାଯାଇଛି ।
ଏହି ନିୟମ ଏବଂ ନିୟମାବଳୀ ବ୍ୟତୀତ, ସେମାନଙ୍କର ମନିଟରିଂ ମଧ୍ୟ ସରକାରୀ ସ୍ତରରେ ନିରନ୍ତର କରାଯାଇଥାଏ । କେନ୍ଦ୍ରୀୟ ଏବଂ ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିୟମିତ ଭାବେ ବିଭିନ୍ନ ରାଜ୍ୟରେ ଶିଳ୍ପ ଦ୍ୱାରା ପରିବେଶ ଅନୁକୂଳ ଏବଂ ସଠିକ୍ ଢଙ୍ଗରେ ଟେକ୍ନୋଲୋଜି ବ୍ୟବହାର କରାଯାଉଛି କି ନାହିଁ ଯାଞ୍ଚ କରାଯାଏ । ଏହା ବ୍ୟତୀତ ସେହି ଶିଳ୍ପ ଗୁଡିକରେ ଜଳ, ବାୟୁ, ଭୂମି ଏବଂ ଜଙ୍ଗଲ ପରି ପ୍ରାକୃତିକ ସମ୍ପଦ ସୁରକ୍ଷାର ଯେପରି କୌଣସି ନିୟମ ଉଲ୍ଲଘଂନ ନ କରେ ସେଥିପ୍ରତି ଧ୍ୟାନ ଦିଆଯାଏ ।
ଅସୁସ୍ଥ କରିପାରେ ପ୍ରଦୂଷଣ:-
ଶିଳ୍ପ କାରଣରୁ ପ୍ରଦୂଷଣ ବାୟୁ, ମୃତ୍ତିକା ଏବଂ ଜଳକୁ ପ୍ରଦୂଷିତ କରୁଛି, ବିଷାକ୍ତ ଗ୍ୟାସ କିମ୍ବା ଯାନବାହାନରୁ ବାହାରୁଥିବା ଧୂଆଁ କିମ୍ବା ଅନ୍ୟାନ୍ୟ କାରଣରୁ ଏହା ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ମଣିଷର ଅନେକ ଗୁରୁତର ରୋଗ ସୃଷ୍ଟି କରିପାରେ ।
ଭୋପାଳ ଗ୍ୟାସ ଦୁର୍ଘଟଣା:-
ଭୋପାଳ ଗ୍ୟାସ ଦୁଃଖଦ ଘଟଣା ବିଶ୍ୱର ସବୁଠୁ ବଡ ଶିଳ୍ପ ପ୍ରଦୂଷଣ ବିପର୍ଯ୍ୟୟ ବୋଲି ବିବେଚନା କରାଯାଏ । ସୂଚନାଯୋଗ୍ୟ ଯେ, 1984 ମସିହାରେ, 2 ରୁ 3 ଡିସେମ୍ବର ରାତିରେ, ଭୋପାଳର ୟୁନିଅନ୍ କାର୍ବାଇଡ୍ରେ ରାସାୟନିକ କାରଖାନାରୁ ମିଥାଇଲ୍ ଆଇସୋସାଇନେଟ୍ (MIC) ନାମକ ଏକ ବିଷାକ୍ତ ରାସାୟନିକ ପଦାର୍ଥ ଏବଂ ଅନ୍ୟାନ୍ୟ ରାସାୟନିକ ପଦାର୍ଥ ନିର୍ଗତ ହୋଇଥିଲା । ପରିସଂଖ୍ୟାନ ଅନୁଯାୟୀ, ଏହି ଦୁର୍ଘଟଣାରେ 500,000 ରୁ ଅଧିକ ଲୋକଙ୍କର ଘଟଣା ସମୟରେ ହିଁ ଜୀବନ ଯାଇଥିଲା ।
ସେହିପରି ଦୁର୍ଘଟଣାର ଶିକାର ହୋଇଥିବା ଅନେକ ଲୋକେ ପରବର୍ତ୍ତୀ ସମୟରେ ପ୍ରାଣ ହରାଇଥିଲେ । ସମସ୍ତ ମୃତ୍ୟୁ କେବଳ ବିଷାକ୍ତ ଗ୍ୟାସ୍ ସଂସ୍ପର୍ଶରେ ଆସିବା କାରଣରୁ ହୋଇନଥିଲା, ଅଧିକାଂଶ ଲୋକେ ଏହି ବିପର୍ଯ୍ୟୟର ପାର୍ଶ୍ବ ପ୍ରତିକ୍ରିୟାରେ ପ୍ରାଣ ହରାଇଥିଲେ । ଯେପରି ଆର୍ଥିକ, ପ୍ରଦୂଷଣ ଏବଂ ଅକ୍ଷମତା କାରଣ ଇତ୍ୟାଦି । ଏହି କାରଣରୁ ଜେନେଟିକ୍ ରୋଗ ମଧ୍ୟ ଚିହ୍ନଟ କରାଯାଇଥିଲା ।
ଏହି ଦୁର୍ଘଟଣାର ସ୍ମୃତି ଭାବରେ ପ୍ରତିବର୍ଷ ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ ପାଳନ କରାଯାଏ । ଉଲ୍ଲେଖନୀୟ କଥା ହେଉଛି, ଏହି ବର୍ଷ 2022 ହେଉଛି ଭୋପାଳ ଗ୍ୟାସ ଦୁର୍ଘଟଣାର 38ତମ ବାର୍ଷିକୀ । ତେଣୁ ଏପରି ଘଟଣାର ଯେପରି ପୁନରାବୃତ୍ତି ନହୁଏ ସେଥିପ୍ରତି ପ୍ରତିଟି ନାଗରିକଙ୍କୁ ସଚେତନ ହେବା ଉଚିତ୍ ।