ହାଇଦ୍ରାବାଦ: କୋରୋନା ପରେ ଲୋକଙ୍କୁ ଏବେ ମାନସିକ ଅଶାନ୍ତି ଘେରକୁ ଠେଲି ଦେଇଛି ଛଟେଇ । ଅନେକ ଲୋକ ଏବେ ଚାକିରି ହରାଇ ବିଶାଦରେ । ରିପୋର୍ଟ ଅନୁସାରେ ଡାକ୍ତରଖାନାରେ ଏବେ ମାନସିକ ରୋଗୀଙ୍କ ସଂଖ୍ୟା ବଢୁଛି । ଏହି କାରଣରୁ ଲୋକେ ମଧ୍ୟ ଠିକ୍ରେ ଶୋଇପାରୁ ନାହାନ୍ତି । ଏହା ପରବର୍ତ୍ତୀ ସମୟରେ ଜଟିଳ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ । ଏଥିରୁ ମୁକୁଶିବା ପାଇଁ ଜୀବନଶୈଳୀରେ ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି । କେତେକ ଛୋଟ-ବଡ କଥାକୁ ଧ୍ୟାନରେ ରଖିପାରିଲେ ମାନସିକ ଚାପରୁ ବାହାରି ପାରିବା...
ପ୍ରଥମେ କହିରଖୁଛୁ ଯେ, ମାନସିକ ଅଶାନ୍ତିର କାରଣ କେବଳ ଛଟେଇ ବା ଚାକିରି ଯିବା ନୁହଁ । ଆମ ଦୈନନ୍ଦିନ ଜୀବନରେ ଏପରି ସମସ୍ୟା ସୃଷ୍ଟିହୁଏ, ଯାହା ଆମକୁ ଚିନ୍ତାରେ ପକାଇଦିଏ । ଫଳରେ ଆମେ ବିଶାଦଗ୍ରସ୍ତ ହୋଇଯାଆନ୍ତି, ଏସମସ୍ତ ସମସ୍ୟାରୁ ବାହାରିବା ପାଇଁ ନିମ୍ନରେ ଦିଆଯାଇଥିବା କେତେକ ଉପାୟ ଅବଲମ୍ବନ କରିପାରିବେ...
ନିଜକୁ ଭଲ କଥା କୁହନ୍ତୁ:- ନିଜକୁ ଖୁସି ରଖିବା ନିଜକୁ ସ୍ବାନ୍ତନା ଦେବା ଏବଂ ଆତ୍ମ ଖୁସିକୁ ପ୍ରାଧାନ୍ୟ ଦେବା ଖୁସି ରହିବାର ପ୍ରଥମ ପଥ । ତେଣୁ ସର୍ବ ପ୍ରଥମେ ନିଜକୁ ଭଲ କଥା କୁହନ୍ତୁ । ଅର୍ଥାତ୍ ସକରାତ୍ମକ ଭାବନାରେ ବଞ୍ଚିବାକୁ ଚେଷ୍ଟା କରନ୍ତୁ । କୌଣସି ପରିସ୍ଥିତିକୁ ଭୟ ନକରି ଆତ୍ମସମୀକ୍ଷା କରନ୍ତୁ । ନିଜ ସହ ବାର୍ତ୍ତାଳାପ କରନ୍ତୁ । କାରଣ ଦୁଃଖ ସମୟରେ ଆମେ ନିଜେ ହିଁ ନିଜର ଶତ୍ରୁ ପାଲଟିଯାଆନ୍ତି । ତେଣୁ ନିଜ ପ୍ରତି ଦାୟିତ୍ବବାନ ହୁଅନ୍ତୁ ।
ଏକତ୍ରିତ ହୁଅନ୍ତୁ:- ଅଧିକାଂଶ ସମୟରେ ଖୁବ୍ ଏକୁଟିଆ ଲାଗିଥାଏ । ପାଖରେ କେହି ନଥିବା ଭଳି ମନେହୁଏ । ଏହି ଭାବନା ଆସିବା ମାତ୍ରେ ନିଜକୁ ଖୁବ୍ ଭଲ ଲାଗୁଥିବା ଭଳି କାର୍ଯ୍ୟ କରନ୍ତୁ । ଆତ୍ମୀୟ ସ୍ବଜନଙ୍କ ସହ ବାର୍ତ୍ତାଳାପ କରନ୍ତୁ । କୌଣସି ସ୍ଥାନ ଭ୍ରମଣରେ ଯାଆନ୍ତୁ । ଆମ ଖୁସି ଯେତେବେଳେ ଚାପ ଦ୍ବାରା ପ୍ରଭାବିତ ହୋଇଯାଇଛି ବୋଲି ଭାବନ୍ତି ସେତେବେଳେ ପ୍ରିୟଜନଙ୍କ ସହ ଖୁସିର ମୁହୂର୍ତ୍ତ ଏହାକୁ ଦୂର କରିଥାଏ ।
ପ୍ରିୟର ଜିନିଷ ପ୍ରତି ସମୟ ଦିଅନ୍ତୁ:- ପ୍ରିୟର ଜିନିଷ ପ୍ରତି ସମୟ ଦିଅନ୍ତୁ, ଅର୍ଥାତ୍ ନିଜକୁ କେଉଁ ଜିନିଷ ଭଲ ଲାଗେ ତାହା ଭାବନ୍ତୁ । ପସନ୍ଦର କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ । ବେଳେବେଳେ ଆମ ସମ୍ମୁଖରେ ଏକା ସାଙ୍ଗରେ ଏକାଧିକ ଚ୍ୟାଲେଞ୍ଜ ଆସିଯାଏ । ଆମେ ଏହି ସମୟରେ ଚାପରେ ପଡିଯାଉ, କେଉଁ ନିଷ୍ପତ୍ତି ନେବା ଉଚିତ୍ ଅନୁଚିତ୍ ଜାଣିପାରନ୍ତିନି । ଏହି ସମୟରେ ଆତ୍ମବିଚାର କରିବା ଗୁରୁତ୍ବପୂର୍ଣ୍ଣ । କେଉଁ ନିଷ୍ପତ୍ତି ନେଲେ ନିଜେ ଖୁସି ରହିପାରିବେ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ । ନିଜ ପାଇଁ କିଛି କରୁଛନ୍ତି କି ? ଏହି ପ୍ରଶ୍ନ ସର୍ବାଦା ନିଜକୁ ପଚାରନ୍ତୁ, ଯାହା ସବୁଠୁ ଗୁରୁତ୍ବପୂର୍ଣ୍ଣ ।
ବର୍ତ୍ତମାନରେ ବଞ୍ଚିବାକୁ ଚେଷ୍ଟା କରନ୍ତୁ:- ଭବିଷ୍ୟତର ଚିନ୍ତାରେ ବର୍ତ୍ତମାନକୁ ନଷ୍ଟ କରିଦେବା ବର୍ତ୍ତମାନ ସମୟର ଏକ ବଡ ବ୍ୟାଧି । ଯାହା ଆମ ହାତରେ ନଥାଏ, ଆମେ ସେହି ବାବଦରେ ଅଧିକ ଭାବିଥାନ୍ତି । ଫଳରେ ମାନସିକ ଚାପ ବୃଦ୍ଧିପାଏ । ତେଣୁ ସର୍ବଦା ବର୍ତ୍ତମାନରେ ବଞ୍ଚିବାକୁ ଚେଷ୍ଟା କରନ୍ତୁ । ଆଶା ରଖନ୍ତୁ, କର୍ମ କରନ୍ତୁ କିନ୍ତୁ ଫଳ ଆଶାରେ ନିଜକୁ କଷ୍ଟ ଦିଅନ୍ତୁ ନାହିଁ । ସମୟ ଏବଂ ଯାହା ଘଟିଯାଉଛି ତାହାକୁ ଗ୍ରହଣ କରିବାକୁ ଚେଷ୍ଟା କରନ୍ତୁ । ଧୀରେଧୀରେ ନିଶ୍ଚିତ ରୂପେ ଚାପ ଦୂର ହୋଇଯିବ ।
ନିଜ ସହ ଛବି ଉତ୍ତୋଳନ କରିବା ଜୀବନର ଏକ ପ୍ରମୁଖ ଖୁସି:- ହସିବା, ଖୁସି ରହିବା କର୍ଟିସୋଲ୍ ଏବଂ ଏଣ୍ଡୋରଫିନ୍ ମୁକ୍ତ କରିବାରେ ସାହାଯ୍ୟ କରେ, ଯାହା ଆପଣଙ୍କ ପ୍ରତିରକ୍ଷା ପ୍ରଣାଳୀକୁ ମଜଭୁତ କରିପାରେ, ଯନ୍ତ୍ରଣାକୁ ହ୍ରାସ କରିଥାଏ ଏବଂ ଧୈର୍ଯ୍ୟ ବଢାଇଥାଏ । ଏକ ସୁନ୍ଦର ଫଟୋ ସୁଟ୍ କରିବା ଦ୍ବାରା ମଧ୍ୟ ମାନସିକ ଚାପକୁ ଦୂର କରିଥାଏ । କାରଣ ଏହିସମୟରେ ଜଣେ ବ୍ୟକ୍ତି ନିଶ୍ଚିତ ରୂପେ ନିଜ ଭିତରେ ହଜି ଯାଇଥାଏ । ଯେକୌଣସି ସମୟରେ ଖୁସି ରହିବା ଦ୍ବାରା ସ୍ବାସ୍ଥ୍ୟ ଉପରେ ସୁପ୍ରଭାବ ପଡିଥାଏ । ଏହି ସମୟରେ ନିଜର ପ୍ରିୟ କମେଡି ଶୋ' ଦେଖିପାରିବେ । ଯେଉଁସବୁ ରୁଚିରେ ଆଗ୍ରହ ଥାଏ, ସେସବୁକୁ କରିପାରିବେ, ଯେପରିକି ଗୀତ ଗାଇବା ନୃତ୍ୟ କରିବା ଇତ୍ୟାଦି ।
ଅନ୍ୟମାନଙ୍କ ସହ ସଂଯୋଗରେ ରୁହନ୍ତୁ କିନ୍ତୁ ଅଧିକ ନୁହେଁ:- ବେଳେବେଳେ ସମ୍ପର୍କରେ ଫାଟ ଆମକୁ ଅଧିକ କଷ୍ଟ ଦେଇଥାଏ । ପ୍ରିୟଜନଙ୍କଠାରୁ ବିଚ୍ଛେଦ ଆମକୁ ମର୍ମାହତ କରିଦିଏ । ତେଣୁ ସାମାଜିକ ପ୍ରାଣୀ ହିସାବରେ ଅନ୍ୟମାନଙ୍କ ସହ ମିଳାମିଶା କରନ୍ତୁ ମାତ୍ର ଅତ୍ୟଧିକଠାରୁ ଦୂରେଇ ରୁହନ୍ତୁ । କାରଣ "ଅତି ସର୍ବତ୍ର ବର୍ଜନ୍ୟମ୍" । ତେଣୁ ନିଜର ଭାବପ୍ରବଣତାକୁ ନିଜ ଅଧୀନରେ ରଖନ୍ତୁ ।