ନୂଆଦିଲ୍ଲୀ: ଚୀନରେ କାୟା ବିସ୍ତାର କରୁଥିବା କୋରୋନା କାରଣରୁ ସମଗ୍ର ବିଶ୍ବବାସୀ ଭୟଭୀତ ଅବସ୍ଥାରେ ଥିବାବେଳେ ଚିନ୍ତା ବଢାଇଲାଣି ଆଉ ଏକ ଜ୍ବର । ଇଂଲଣ୍ଡରେ ସ୍କାରଲେଟ୍ ଫିଭର୍(Scarlet Fever) ପିଲାମାନଙ୍କୁ ସଂକ୍ରମିତ କରୁଥିବା ଜଣାପଡିଛି । ମିଡିଆ ରିପୋର୍ଟ ଅନୁସାରେ ଏହି ଜ୍ବର କାରଣରୁ ସେଠାରେ 19 ଜଣ ପିଲାଙ୍କ ଜୀବନ ଯାଇ ସାରିଲାଣି ।
ଏହା ବ୍ୟତୀତ ଗତ ସପ୍ତାହରେ 10 ହଜାର ନୂଆ ମାମଲା ମଧ୍ୟ ଚିହ୍ନଟ ହୋଇଛି । ବ୍ରିଟେନର ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସେପ୍ଟେମ୍ବର 12ରୁ ଡିସେମ୍ବର ମଧ୍ୟରେ ପ୍ରାୟ 30,000 ମାମଲା ଚିହ୍ନଟ ହୋଇସାରିଛି । ଏହାପୂର୍ବରୁ 2017 ଏବଂ 2018 ରେ ମଧ୍ୟ ସ୍କାରଲେଟ୍ ଜ୍ବରରେ ଅଧିକାଂଶ ପିଲା ପୀଡିତ ହୋଇଥିଲେ ।
ସ୍କାରଲେଟ୍ ଜ୍ବର କଣ ଏବଂ ଏହାର ଲକ୍ଷଣ:-
ଭାରତରେ ଏହି ଜ୍ୱରକୁ ଲାଲ ରଙ୍ଗର ଜ୍ୱର ମଧ୍ୟ କୁହାଯାଏ, ଯାହା ଜୀବାଣୁ ସଂକ୍ରମଣ ଦ୍ବାରା ହୋଇଥାଏ । ଏହି ଜ୍ୱରରେ ରୋଗୀର ଗଳା ଯନ୍ତ୍ରଣା ସହିତ ଫୁଲିଯାଏ ଏବଂ ଭୀଷଣ ଜ୍ୱର ହୋଥାଏ । ସେହିପରି ରୋଗୀର ବେକରେ ଲାଲ ଦାଗ ଦେଖାଯିବା ସହ ଶରୀରରେ ଦାଗ ମଧ୍ୟ ଦେଖାଯାଏ । ଏହି ରୋଗ 5 ରୁ 15 ବର୍ଷର ପିଲାମାନଙ୍କ ପାଇଁ ଅତ୍ୟନ୍ତ ବିପଜ୍ଜନକ । ସଠିକ୍ ସମୟରେ ଚିକିତ୍ସା ହୋଇନପାରିଲେ ଏହା ସାଂଘାତିକ ହୋଇଯାଏ ।
କହି ରଖୁଛୁ ଯେ, ବର୍ତ୍ତମାନ ଚୀନରେ ଓମିକ୍ରୋନର ଉପ-ପ୍ରକାର BF.7 ମୃତ୍ୟୁର ବିଭୀଷିକା ରଚୁଛି । ସେଠାରେ ପ୍ରତିଦିନ 10 ଲକ୍ଷ ସଂକ୍ରମିତ ଚିହ୍ନଟ ହେବା ସହ ଦିନକୁ ଯାଉଛି 5 ହଜାରରୁ ଅଧିକ ଜୀବନ । ଏହାକୁ ନେଇ ସମଗ୍ର ବିଶ୍ବରେ ଭୟର ବାତାବରଣ ଖେଳିଯାଇଛି । ଆମ ଦେଶରେ ଚିହ୍ନଟ ହୋଇଥିବା BF.7 ଭାରିଏଣ୍ଟର 4ଟି ମାମଲା ମଧ୍ୟରୁ ଓଡିଶାର ଜଣେ ବ୍ୟକ୍ତି ଥିବା ଜଣାପଡିଛି । ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଉଛି । ଭୟଭୀତ ନହୋଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । ଏଥିସହ ବାହାରକୁ ଯିବା ସମୟରେ ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତା ନିୟମ ମାନିବାକୁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ ।