ଶୀତ ଋତୁ ଆସିଗଲାଣି । ଶୀତ ଦିନେ ଥଣ୍ଡା ଓ ଜ୍ବରରେ ଆକ୍ରାନ୍ତ ହେବା ସମ୍ଭାବନା ଅଧିକ । ପାଣିପାଗ ବଦଳୁଥିବାରୁ ଜ୍ବର ହୁଏ । ଅତିଶୟ କ୍ଲାନ୍ତି ଓ ଶରୀରିର ଯନ୍ତ୍ରଣା ବି ହୁଏ । ଏସବୁ ଲକ୍ଷଣ ଦେଖିବା ମାତ୍ରକେ ଆମେ ଡାକ୍ତରଙ୍କ ସହ ପରାମର୍ଶ କରି ଔଷଧ ଖାଇବା ଆରମ୍ଭ କରିଦେଉ । କିନ୍ତୁ ଅନେକ ସମୟରେ ଆମେ ଭୁଲିଯାଇଥାଉ ଯେ, କେମିକାଲ ପ୍ରସ୍ତୁତ ସେସବୁ ଔଷଧ ଖାଇଲେ ପାର୍ଶ୍ବ ପ୍ରତିକ୍ରିୟା ମଧ୍ୟ ହୋଇଥାଏ । କମ ବା ଆଦୌ ପାର୍ଶ୍ବ ପ୍ରତିକ୍ରିୟା ନ ଥିବା ଔଷଧ ତ ଆପଣଙ୍କ ରୋଷେଇ ଘରେ ମିଳିବ । ଏମିତି ଅନେକ ମସାଲା ଓ ଖାଦ୍ୟ ରହିଛି, ଯାହା କି ଥଣ୍ଡା ଓ ଜ୍ବର କମାଇବା ସହ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବ ।
୧. ଅଦା - ଭାରତୀୟ ରୋଷେଇ ଘରେ ଅଦାର ସର୍ବଦା ଗୁରୁତ୍ବ ରହି ଆସିଛି । ଏହାର ଆଣ୍ଟିଭାଇରାଲ ଓ ଆଣ୍ଟିବ୍ୟାକଟେରିଆଲ ଗୁଣ ରହିଛି । ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ବିଭିନ୍ନ ସଂକ୍ରମଣ ହ୍ରାସ କରିଥାଏ ଅଦା । କୌଣସି ପରିବା ତରକାରୀ ହେଉ ବା ପାନୀୟ, ସବୁଥିରେ ପଡିଥାଏ ଅଦା । ଚା’ରେ ଅଦା ପକାଇ ପିଇେଲେ ସ୍ବାସ୍ଥ୍ୟ ପାଇଁ ଏହା ଭଲ ହୋଇଥାଏ । ଜ୍ବର ଓ ଥଣ୍ଡାରୁ ଆଶ୍ବସ୍ତି ଦେଇଥାଏ ଅଦା ଚା’ । ଏଥିରେ ଟିକେ ଲେମ୍ବୁ ରସ ପକାଇଲେ ତାହା ଆହୁରି ପ୍ରଭାବଶାଳୀ ହୋଇଥାଏ ।
୨. ତୁଳସୀ ପତ୍ର- ଔଷଧୀୟ ଉପାଦାନ ଯୋଗୁଁ ତୁଳସୀ ଗଛ ପରିଚିତ । ଏହାକୁ ଏକ ଗୁରୁତ୍ବପୂର୍ଣ୍ଣ ଚେରମୂଳି ଔଷଧ ଭାବେ ବ୍ୟବହାର କରାଯାଏ । ଆୟୁର୍ବେଦରେ ବି ତୁଳସୀ ପତ୍ରର ଔଷଧୀୟ ଗୁରୁତ୍ବ ରହିଛି । ତୁଳସୀ ପତ୍ରକୁ ଆଣ୍ଟିବାୟୋଟିକ୍ସ ସହ ତୁଳନା କରାଯାଏ । ଋତୁକାଳିନ ଜ୍ବରରୁ ଆଶ୍ବସ୍ତିପାଇଁ କିଛି ତୁଳସୀପତ୍ର ସହ ଅଦାକୁ ପାଣିରେ ପକାଇ ଗରମ କଲା ସ୍ବାଦ ଅନୁସାରେ ମହୁ ପକାଇ ପିଇଲେ ଜ୍ବର ଓ ଥଣ୍ଡାରୁ ଆଶ୍ବସ୍ତି ମିଳିଥାଏ । ଜ୍ବର ହୋଇଥିବା ବେଳେ ଦିନକୁ ଚାରି 5 ଥର ଏହି ଡିକୋସିନ ପିଇବା ଦରକାର ।
୩.ରସୁଣ– ରସୁଣର ମଧ୍ୟ ଅନେକ ଔଷଧୀୟ ଗୁଣ ରହିଛି । ଏଥିରେ ଆଣ୍ଟିବ୍ୟାକଟେରିଆଲ ଓ ଆଣ୍ଟିଭାଇରାଲ ପାଦାନ ରହିଛି । ତେଣୁ ରସୁଣ ଦ୍ବାରା ବିଭିନ୍ନ ରୋଗ ସଂକ୍ରମଣରୁ ସୁରକ୍ଷା ମିଳେ । ଜ୍ବର ହୋଇଥିବା ବେଳେ ରସୁଣ ଖାଇଲେ ଏହା ଶରୀରର ତାପମାତ୍ରା ହ୍ରାସ କରିଦିଏ । ଗରମ ପାଣିରେ କେବଳ ଗୋଟିଏ ଛେଚା ରସୁଣ ପକାନ୍ତୁ । ୧୦ ମିନିଟ ପରେ ଏହା ପିଅନ୍ତୁ ।
୪. ଆପଲ ସାଇଡର ଭିନେଗାର-ଆପଲ ସାଇଡ ଭିନେଗାର ବା ଏସିଭିରେ ମଧ୍ୟ କିଛି ନିର୍ଦ୍ଦିଷ୍ଟ ଔଷଧୀୟ ଉପାଦାନ ରହିଛି, ଯାହା କି ଋତୁକାଳିନ ଜ୍ବରରୁ ଆଶ୍ବସ୍ତି ଦେଇଥାଏ । ଏସିଭି ସ୍ବାଭାବରେ ଏସିଡିକ ହୋଇଥିବାରୁ ତାପମାତ୍ରା ନିୟନ୍ତ୍ରଣରେ ରଖେ । ଏହାଛଡା ଏଥିରେ ଭିଟାମିନ ଓ ମିନେରାଲ ଶରୀର ପାଇଁ ଶକ୍ତିବର୍ଦ୍ଧକ ହୋଇଥାଏ । ଋତୁକାଳିନ ଜ୍ବର କ୍ଷେତ୍ରରେ ଗୋଟିଏ ଗ୍ଲାସ ପାଣିରେ କିଛି ଏସିଭି ସହ ମହୁ ମିଶାଇ ପିଇଲେ ଆଶ୍ବସ୍ତି ମିଳିଥାଏ । ଋତୁକାଳିନ ଜ୍ବର ଓ ଥଣ୍ଡାରୁ ମୁକ୍ତି ପାଇଁ ଔଷଧ ଅପେକ୍ଷା ଘରୋଇ ଉପଚାର କଲେ ସ୍ବାସ୍ଥ୍ୟଗତ ଫାଇଦା ମିଳିପାରିବ । ହେଲେ, ଲକ୍ଷଣ ଗୁରୁତର ହେଲେ ଡାକ୍ତରଙ୍କ ସହ ତୁରନ୍ତ ପରାମର୍ଶ କରିବା ଦରକାର । ତେବେ,ବର୍ତ୍ତମାନ ପରିସ୍ଥିତି ଯାହା ନା, ବିଭିନ୍ନ ଋତୁକାଳିନ ରୋଗର ଲକ୍ଷଣ ପ୍ରକାଶ ପାଇଲେ ,ତାହା କୋଭିଡ-୧୯ର ଲକ୍ଷଣ ବୋଲି ଅନେକ ଭାବିବା ସ୍ବାଭାବିକ । ଏ ପରିସ୍ଥିତିରେ ସାବଧାନତା ଅବଲମ୍ବନ କରିବା ଜରୁରୀ ମନେ ହୁଏ ।