ହାଇଦ୍ରାବାଦ: ଯଦି କ୍ରମାଗତ ଭାବରେ କ୍ଳାନ୍ତ ଅନୁଭବ କରୁଛନ୍ତି କିମ୍ବା ହାଡ, ମାଂସପେଶୀରେ ଯନ୍ତ୍ରଣା ସହ ଅସୁସ୍ଥ ଅନୁଭବ କରୁଛନ୍ତି ତେବେ ଏହା ଭିଟାମିନ୍-D ଅଭାବର ସମସ୍ୟା ହୋଇପାରେ । ଏଥି ସହିତ, କେଶ ଝଡିବା ମଧ୍ୟ ଭିଟାମିଡ-ଡି ର ଅଭାବ । ଭିଟାମିନ୍ ଡି ହେଉଛି ଏକ ଚର୍ବିରେ ଦ୍ରବୀଭୂତ ଭିଟାମିନ୍, ଯାହା ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା ଶରୀରରେ କ୍ୟାଲସିୟମ୍ ସ୍ତର ବଜାୟ ରଖେ, ହାଡକୁ ମଧ୍ୟ ଶକ୍ତିଶାଳୀ କରେ । ତେବେ ଆସନ୍ତୁ ଜାଣିବା କେତେ ପ୍ରକାରର ଭିଟାମିନ୍-ଡି ଅଛି, ଏହାର ଅଭାବରୁ କେଉଁ ରୋଗ ହୋଇପାରେ ଏବଂ ଏବି ଅଭାବକୁ ଦୂର କରିବା କିପରି...
ଭିଟାମିନ୍-ଡି ଫ୍ୟାଟ୍ ସୋଲେବୁଲ୍ ଅର୍ଥାତ୍ ଏହା ଚର୍ବିରେ ଦ୍ରବୀଭୂତ ହୋଇଯାଏ । ଏହା ତିନି ପ୍ରକାରର D1, D2 ଯଥା ଆଗ୍ରୋ କାଲ୍ସିଫେରାଲ(Agro Calciferol) ଏବଂ ତୃତୀୟଟି ଭିଟାମିନ୍ D3 ବା କୋଲେ କାଲ୍ସିଫେରାଲ(Chole Calciferol) । ଭିଟାମିନ୍-ଡି ଅଭାବ ହେତୁ ଆମର ହାଡ ଦୁର୍ବଳ ହୋଇଯାଏ । ଏହି ଭିଟାମିନ୍ ଅନ୍ତନଳୀ ମାଧ୍ୟମରେ ଶରୀରକୁ କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍ ଏବଂ ଫସଫେଟ୍ ଯୋଗାଇବାରେ ସାହାଯ୍ୟ କରେ । ଆମ ଶରୀରରେ ଭିଟାମିନ୍ D2 ତିଆରି ହୁଏ ନାହିଁ । ଏହା ଉଦ୍ଭିଦରୁ ମିଳିଥାଏ । ଉଦ୍ଭିଦଗୁଡିକ ସୂର୍ଯ୍ୟଙ୍କ ଅଲ୍ଟ୍ରା-ଭାୟୋଲେଟ୍ ବା ଅତି ବାଇଗଣୀ ରଶ୍ମି ସାହାଯ୍ୟରେ D2 ଉତ୍ପାଦନ କରନ୍ତି । ଆମ ଶରୀରରେ ଭିଟାମିନ୍ D3 ଉତ୍ପନ୍ନ ହୁଏ । ଏଥିପାଇଁ ଆମକୁ ସୂର୍ଯ୍ୟକିରଣରେ ବସିବା ଆବଶ୍ୟକ ।
ଭିଟାମିନ୍-ଡି ଅଭାବ କର୍କଟ ରୋଗର କାରଣ ହୋଇପାରେ:-
ଭିଟାମିନ୍-ଡି ଅଭାବ ହାଡକୁ ଅଧିକ ପ୍ରଭାବିତ କରିଥାଏ । ଏହା ସହିତ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଉପରେ ଖରାପ ପ୍ରଭାବ ପଡିଥାଏ । ଭିଟାମିନ୍-ଡି ର ଅତ୍ୟଧିକ ଅଭାବ ହେତୁ ହୃଦୟ ସମ୍ବନ୍ଧୀୟ ରୋଗ ହେବାର ଆଶଙ୍କା ମଧ୍ୟ ଥାଏ । ଏହି ଭିଟାମିନ୍ର ଅଭାବ ଅଟୋଇମ୍ୟୁନ ଏବଂ ସ୍ନାୟୁଗତ ରୋଗର ଆଶଙ୍କା ବଢାଇଥାଏ । ସଂକ୍ରମଣ ସହିତ ଲଢିବାରେ ଭିଟାମିନ୍ ଡି ମଧ୍ୟ ସାହାଯ୍ୟ କରେ । ଯଦି ଭିଟାମିନ୍-ଡି ର ଅଭାବ ଥାଏ, ତେବେ ଏହା ସ୍ତନ, ପ୍ରୋଷ୍ଟେଟ ଏବଂ କୋଲୋନ୍ କର୍କଟ ରୋଗର କାରଣ ହୋଇପାରେ । କେବଳ ଏତିକି ନୁହେଁ, ବାରମ୍ବାର ଅସୁସ୍ଥ ମଧ୍ୟ ହୋଇପାରନ୍ତି । ବାସ୍ତବରେ, ଭିଟାମିନ୍-ଡି ଅଭାବ ହେତୁ ଶରୀରର ଅନେକ ପ୍ରକାରର ଜୀବାଣୁ ବିରୁଦ୍ଧରେ ଲଢିବାର କ୍ଷମତା କମିଯାଏ ।
କେଶ ବୃଦ୍ଧି ଏବଂ କେଶ ଝଡିବା ଲକ୍ଷଣ:-
ଯଦି ନିୟମିତ ଭାବେ କେଶ ଝଡୁଥାଏ ଏବଂ କେଶର ବୃଦ୍ଧି ବହୁତ ଧୀର ହେଉଥାଏ ତେବେ ତୁରନ୍ତ ସ୍ବାସ୍ଥ୍ୟ ପରୀକ୍ଷା କରାଇ ନିଅନ୍ତୁ । ଏହାର ମୁଖ୍ୟ କାରଣ ଭିଟାମିନ୍-ଡି ର ଅଭାବ ହୋଇପାରେ । ଶରୀରରେ ପର୍ଯ୍ୟାପ୍ତ ପରିମାଣର ଭିଟାମିନ୍-ଡି ନ ଥିବାରୁ ଚର୍ମରେ ନାଲି ଚିହ୍ନ କିମ୍ବା ଚର୍ମରେ କୁଞ୍ଚନ ଭଳି ସମସ୍ୟା ଦେଖା ଦେଇପାରେ । ଭିଟାମିନ୍-ଡି ଅଭାବରୁ ଅଷ୍ଟିଓପୋରୋସିସ୍, ହାଡ ଯନ୍ତ୍ରଣା, ମାଂସପେଶୀ ବଥା-ଦୁର୍ବଳତା ଏବଂ ଗଣ୍ଠିରେ କଠିନତା ହୋଇପାରେ । ଯେଉଁ ଲୋକମାନେ ସୂର୍ଯ୍ୟ କିରଣ ସଂସ୍ପର୍ଶରେ କମ୍ ଆସନ୍ତି ସେମାନଙ୍କଠାରେ ଭିଟାମିନ୍-ଡି ଅଭାବ ହେବାର ସମ୍ଭାବନା ବଢିଥାଏ । ମହିଳା, ବୃଦ୍ଧ, ମେଦବହୁଳତା ଥିବା ଲୋକେ ଭିଟାମିନ୍-ଡି ଅଭାବ ହେବାର ଆଶଙ୍କା ବଢିଥାଏ ।
ପ୍ରତିଦିନ କେତେ ଭିଟାମିନ୍ ଡି ଆବଶ୍ୟକ ହୁଏ
ରିପୋର୍ଟ ଅନୁସାରେ, ନବଜାତ ଶିଶୁ ଏବଂ ପିଲାମାନେ ପ୍ରତିଦିନ 10 ମାଇକ୍ରୋଗ୍ରାମ୍ ଭିଟାମିନ୍-ଡି ଆବଶ୍ୟକ କରୁଥିବା ବେଳେ ବୟସ୍କମାନେ ପ୍ରତିଦିନ 15 ମାଇକ୍ରୋଗ୍ରାମ୍ ଭିଟାମିନ୍-ଡି ଆବଶ୍ୟକ କରନ୍ତି । ଏହା ବ୍ୟତୀତ, 70 ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ପ୍ରତିଦିନ 20 ମାଇକ୍ରୋଗ୍ରାମ୍ ଆବଶ୍ୟକ କରନ୍ତି ।
ଭିଟାମିନ୍-ଡି କିପରି ପାଇବେ ?
ଭିଟାମିନ୍-ଡି ପାଇଁ ସୂର୍ଯ୍ୟକିରଣରେ ବସିବା କିମ୍ବା ଚାଲିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଯଦି ଏହା ସମ୍ଭବ ନହୁଏ, ତେବେ ଭିଟାମିନ୍-ଡି ମଧ୍ୟ ଅନେକ ପ୍ରକାରର ଖାଦ୍ୟ ଏବଂ ପାନୀୟରେ ପର୍ଯ୍ୟାପ୍ତ ପରିମାଣରେ ମିଳିଥାଏ । କମଳା ରସ, ୱମେଗା-3 ଫ୍ୟାଟି ଏସିଡ ମିଳୁଥିବା ସଲମୋନ ମାଛ, ଅଣ୍ଡା, ଦହି, କ୍ଷୀର ପିଇବା ଦ୍ୱାରା ଶରୀରରେ ଭିଟାମିନ୍-ଡି ପରିମାଣ ସନ୍ତୁଳିତ ରହିଥାଏ । ଗୋଟିଏ କପ୍ କ୍ଷୀରରେ 3 ମାଇକ୍ରୋଗ୍ରାମ୍ ଭିଟାମିନ୍-ଡି ଥାଏ । ଯଦି ଭିଟାମିନ-ଡିର ଅଭାବ ଅତ୍ୟଧିକ ଥାଏ ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରାଇ ନିଅନ୍ତୁ ।