ହାଇଦ୍ରାବାଦ: ଜଣେ ବ୍ୟକ୍ତି ରକ୍ତଦାନ କରି ଅନ୍ୟ ଜଣଙ୍କ ଜୀବନ ବଞ୍ଚାଇପାରେ। ଦୁର୍ଘଟଣା କିମ୍ବା ଅନ୍ୟ କୌଣସି କାରଣରୁ ଶରୀରରେ ରକ୍ତର ଅଭାବ ଦେଖାଗଲେ ରକ୍ତଦାନ କରି ଜୀବନ ବଞ୍ଚାଯାଇ ପାରିବ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ, ଭାରତକୁ ବାର୍ଷିକ ଏକ କୋଟି ୟୁନିଟ୍ ରକ୍ତ ଆବଶ୍ୟକ ହୁଏ। ଆମ ଦେଶରେ ପ୍ରାୟ ୭୫ ଭାଗ ରକ୍ତ ଉପଲବ୍ଧ ହୋଇଥାଏ କିନ୍ତୁ ୨୫ ଲକ୍ଷ ୟୁନିଟ ରକ୍ତର ଅଭାବ କାରଣରୁ ପ୍ରତିବର୍ଷ ଶହଶହ ରୋଗୀ ପ୍ରାଣ ହରାଇ ଥାଆନ୍ତି । ଆମ ଦେଶରେ ରକ୍ତ ଦାତାଙ୍କ ସଂଖ୍ୟା ବହୁତ କମ୍ କାରଣ ରକ୍ତଦାନକୁ ନେଇ ଲୋକମାନଙ୍କ ମଧ୍ୟରେ ଭୁଲ ଧାରଣା ରହିଥାଏ । କିନ୍ତୁ ଆବଶ୍ୟକତା ଅନୁସାରେ ଜଣକୁ ରକ୍ତଦାନ କରିବା ଦ୍ବାରା ଅନ୍ୟଜଣଙ୍କ ଜୀବନ ବଞ୍ଚାଯାଇ ପାରିବ ।
କେଉଁ ବ୍ୟକ୍ତି ରକ୍ତଦାନ ପାଇଁ ଯୋଗ୍ୟ: ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ (MOHFW) ଅଧୀନରେ ଥିବା ଜାତୀୟ ଏଡସ୍ ନିୟନ୍ତ୍ରଣ ସଂଗଠନ (NACO) ଅନୁଯାୟୀ, ଭାରତରେ ରକ୍ତ ଦାନ କରିବାର ସର୍ବନିମ୍ନ ବୟସ 18 ବର୍ଷ ଅଟେ । କିନ୍ତୁ ଅନେକ ଦେଶରେ ଏହି ବୟସ ସଂଖ୍ୟା ଭିନ୍ନ ଭିନ୍ନ ହୋଇଥାଏ । ଉଦାହରଣ ସ୍ୱରୂପ, ଆମେରିକାରେ ରକ୍ତଦାନର ଆରମ୍ଭ ବୟସ 16 ବର୍ଷ ଅଟେ । ଆମ ଦେଶରେ ରକ୍ତ ଦାନ ପାଇଁ ଦିଆଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ, 18ରୁ 60 ବର୍ଷ ମଧ୍ୟରେ ଯଦି ମହିଳା କିମ୍ବା ପୁରୁଷ ସୁସ୍ଥ ଅଛନ୍ତି ତାହାଲେ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିପାରିବେ ।
- ଜାତୀୟ ଏଡସ୍ ନିୟନ୍ତ୍ରଣ ସଂଗଠନ ଅନୁଯାୟୀ, ଭାରତରେ ପୁରୁଷମାନେ ତିନି ମାସରେ ଥରେ ରକ୍ତ ଦାନ କରିପାରିବେ ଏବଂ ମହିଳାମାନେ ୪ ମାସରେ ଥରେ ରକ୍ତଦାନ କରିପାରିବେ ।
- ରକ୍ତଦାନ କରୁଥିବା ବ୍ୟକ୍ତିର ଓଜନ ଅତିକମରେ ୫୦ କେଜି ରହିଥିବା ଉଚିତ । ତେବେ ଅନେକ କ୍ଷେତ୍ରରେ ୪୫ କେଜି ଓଜନରେ ମଧ୍ୟ ରକ୍ତଦାନ କରିବା ପାଇଁ ଅନୁମତି ପ୍ରଦାନ କରାଆଯଇଥାଏ ।
- ରକ୍ତଦାନ କରୁଥିବା ବ୍ୟକ୍ତିଙ୍କର ହିମୋଗ୍ଲୋବିନ ସ୍ତର ୧୨.୫ ତଥା ପ୍ଲେଟଲେଟ୍ ଦେଢ଼ ଲକ୍ଷରୁ ଅଧିକ ରହିଥିବା ଉଚିତ । ଏହାସହିତ ନାଡିର ସ୍ପନ୍ଦନ ପ୍ରତି ମିନିଟରେ ୫୦ରୁ ୧୦୦ ମଧ୍ୟରେ ରହିବା ଆବଶ୍ୟକ ।
ଏହା ମଧ୍ୟ ପଢନ୍ତୁ: ଶରୀରରେ ଟାଟୁ କରିଥିଲେ ବ୍ଲଡ ଦେଇପାରିବେ କି ? କଣ କହୁଛି 'ହୁ' ରିପୋର୍ଟ
କେଉଁମାନେ ରକ୍ତଦାନ କରିପାରିବେ ନାହିଁ:
- ଯେଉଁମାନଙ୍କର ହୃଦରେଗ ସମସ୍ୟା ରହିଛି କିମ୍ବା ଉଚ୍ଚରକ୍ତଚାପ କିମ୍ବା ମଧୁମେହ ଭଳି ସମସ୍ୟା ରହିଥିଲେ ଜଣେ ବ୍ୟକ୍ତି ରକ୍ତଦାନ କରିପାରିବେ ନାହିଁ । କିନ୍ତୁ ଯେଉଁମାନଙ୍କର ରକ୍ତ ଶର୍କରା ହାର ଅତି କମ୍ ପରିମାଣରେ ବୃଦ୍ଧି ହୋଇଛି ଏବଂ ଇନସୁଲିନ ବ୍ୟବହାର କରୁନାହାନ୍ତି ସେମାନଙ୍କୁ ବ୍ଲଡବ୍ୟାଙ୍କ ରକ୍ତଦାନ କରିବା ପାଇଁ ଅନୁମତି ଦେଇଥାଏ ।
- ଯେଉଁମାନେ ଏଚ୍.ଆଇ.ଭି ପଜିଟିଭ୍ ଅଛନ୍ତି ସେମାନେ ରକ୍ତ ଦାନ କରିପାରିବେ ନାହିଁ । ଅନ୍ୟପଟେ କୋଭିଡ-19 ଟିକା ନେବାର ୨୮ ଦିନ ଯାଏଁ ରକ୍ତଦାନ ପାଇଁ ବାରଣ କରାଯାଇଥାଏ । ମଦ୍ୟପାନ କରିବାର 24 ଘଣ୍ଟା ପର୍ଯ୍ୟନ୍ତ କୌଣସି ବ୍ୟକ୍ତି ରକ୍ତ ଦାନ କରିବା ଉଚିତ୍ ନୁହେଁ ।
ରକ୍ତଦାନ ପୂର୍ବରୁ ଏହି ବିଷୟ ପ୍ରତି ଧ୍ୟାନ ଦେବା ଜରୁରୀ: ଖାଲି ପେଟରେ କେବେବି ରକ୍ତ ଦାନ କରିବା ଉଚିତ୍ ନୁହେଁ । ରକ୍ତ ଦାନ କରିବାର ଅତି କମରେ 3 ଘଣ୍ଟା ପୂର୍ବରୁ ଖାଦ୍ୟ ଖାଇବା ଉଚିତ କିନ୍ତୁ ଚର୍ବିଯୁକ୍ତ ଖାଦ୍ୟରୁ ଦୂରେଇ ରହିବା ଉଚିତ ବୋଲି କୁହାଯାଇଛି । ରକ୍ତ ଦାତାଙ୍କର ଖାଦ୍ୟରେ ଆଇରନ ଭରପୂର ମାତ୍ରାରେ ରହିଥିବା ଉଚିତ ଯେପରିକି ଶସ୍ୟ, ଅଣ୍ଡା, ମାଂସ, ଶାଗ, ପନିପରିବା, କମଳା ଏବଂ ସାଇଟ୍ରସ୍ ଫଳ ଇତ୍ୟାଦି ଖାଇପାରିବେ । ଏହାସହ ଅଧିକ ପାଣି ମଧ୍ୟ ପିଇବା ଆବଶ୍ୟକ ।
ରକ୍ତଦାନ ପରେ କଣ କରିବା ଉଚିତ: ବିଶେଷକରି ରକ୍ତଦାନ କରିବା ପରେ ୫ରୁ ୨୦ ମିନିଟ ପର୍ଯ୍ୟନ୍ତ ବିଶ୍ରାମ କରିବା ନିହାତି ଜରୁରୀ ଅଟେ । ଯଦି ଜଣେ ବ୍ୟକ୍ତି ରକ୍ତ ଦାନ କରିବା ପରେ ନିଜକୁ ବହୁତ ଦୁର୍ବଳ ଅନୁଭବ କରନ୍ତି, ଏଭଳି ପରିସ୍ଥିତିରେ ମିଠା କିମ୍ବା କିଛି ସ୍ନାକ୍ସ ଖାଇବାକୁ ଦେବା ଉଚିତ । ରକ୍ତ ଶର୍କରା ସ୍ତର କମ ରହିଥିଲେ ମିଠା ସ୍ୱାଭାବିକ ପରିସ୍ଥିତିକୁ ଫେରିବାରେ ସହାୟକ ହେବ । ଅନ୍ୟପଟେ ରକ୍ତଦାନ କରିବାର ୬ ଘଣ୍ଟା ପର୍ଯ୍ୟନ୍ତ ଗାଡି ଚଳାଇବା ପାଇଁ ବାରଣ କରାଯାଇଥାଏ । ଏହାସହ ୮ ଘଣ୍ଟା ପର୍ଯ୍ୟନ୍ତ ମଦ୍ୟପାନ କରିବା ଉଚିତ ନୁହେଁ ବେଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି । ଏପରି ପରିସ୍ଥିତିରେ ପ୍ରୋଟିନ୍ ସମୃଦ୍ଧ ଖାଦ୍ୟ ଚିକେନ୍, ଅଣ୍ଡା, ମାଂସ, ଶାଗ ଏବଂ ପତ୍ରଯୁକ୍ତ ପନିପରିବା ସେବନ କରିବା ଉଚିତ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ