ହାଇଦ୍ରାବାଦ: ସୁଗନ୍ଧ ବିଷୟରେ ଯେତେବେଳେ ଆଲୋଚନା ହୁଏ ସେତେବେଳେ ନିଶ୍ଚିତ କସ୍ତୁରୀ (Musk) ସୁଗନ୍ଧ ବିଷୟର ଉଲ୍ଲେଖ ରହିଥାଏ । ଦୁନିଆର ବହୁମୂଲ୍ୟ ଏବଂ ବିରଳ ପ୍ରାଣୀଜାତ ଦ୍ରବ୍ୟ ମଧ୍ୟରେ କସ୍ତୁରୀକୁ ଗଣାଯାଏ । କସ୍ତୁରୀ କେବଳ ଅତର ତିଆରି ପାଇଁ ନୁହେଁ ବରଂ ଔଷଧ ଭାବରେ ମଧ୍ୟ ବ୍ୟବହୃତ ହୁଏ । ଏହାର ଅନେକ ଉପକାର ଆୟୁର୍ବେଦରେ ଔଷଧ ଆକାରରେ ରହିଛି । ଏହାର ଶକ୍ତିଶାଳୀ ଏବଂ ମନଲୋଭା ସୁଗନ୍ଧ ଯୋଗୁଁ ଏହା ଅନେକ ପ୍ରକାରର ଅତର ଏବଂ ସୌନ୍ଦର୍ଯ୍ୟ ଦ୍ରବ୍ୟରେ ବ୍ୟବହୃତ ହୁଏ ।
କସ୍ତୁରୀର ଲାଭକାରୀ ଗୁଣ: -
ଆୟୁର୍ବେଦ ବିଜ୍ଞାନରେ କସ୍ତୁରୀକୁ ଔଷଧ ଭାବରେ ବ୍ୟବହାର କରାଯାଏ । ଏହା ଶରୀର ପାଇଁ ଅତ୍ୟନ୍ତ ଉପଯୋଗୀ ବୋଲି ବିବେଚନା କରାଯାଏ । ଆୟୁର୍ବେଦ ଅନୁଯାୟୀ ଅନେକ ପ୍ରକାରର ସାଧାରଣ ଏବଂ ଜଟିଳ ଶାରୀରିକ ସମସ୍ୟାକୁ ରୋକିବାରେ କସ୍ତୁରୀ ସାହାଯ୍ୟ କରିଥାଏ । ଏହା ଏପରି ଏକ ବିରଳ ପଦାର୍ଥ ଯାହା ଏକ ନିର୍ଦ୍ଦିଷ୍ଟ ପ୍ରଜାତିର ପୁରୁଷ ହରିଣରୁ ମିଳିଥାଏ । ରଙ୍ଗ ଆଧାରରେ ଏହାର ୩ଟି ପ୍ରକାର କପିଳ ବର୍ଣ୍ଣ, ପିଙ୍ଗଲ ବର୍ଣ୍ଣ ଏବଂ କୃଷ୍ଣ ବର୍ଣ୍ଣ ଭାବରେ ବିବେଚନା କରାଯାଏ । ଏହା ଭାରତ ଏବଂ ନେପାଳ ସମେତ ବିଶ୍ବର ଅନେକ ସ୍ଥାନରେ ଦେଖିବାକୁ ମିଳେ ।
ଆୟୁର୍ବେଦରେ କସ୍ତୁରୀର ବ୍ୟବହାର:-
ମୁମ୍ବାଇର ଆୟୁର୍ବେଦିକ ଚିକିତ୍ସକ ଡ଼ ମନୀଷା କାଲେ କହିଛନ୍ତି ଯେ, ‘ଆୟୁର୍ବେଦରେ ଅନେକ ରୋଗର ଚିକିତ୍ସାରେ କସ୍ତୁରୀର ବ୍ୟବହାର ହୁଏ । ଏହା ସାଧାରଣତଃ ଉଷ୍ମତା ରହିଛି । ଏହାର ବ୍ୟବହାର ମୁଖ୍ୟତଃ ବାତ ଏବଂ କଫ ସହିତ ଜଡିତ ସମସ୍ୟାରୁ ମୁକ୍ତି ପାଇଁ ବ୍ୟବହୃତ ହୁଏ । ସେ କହିଛନ୍ତି ଯେ କସ୍ତୁରୀକୁ ଆଖି, ପାଟି ରୋଗ, ବାତ, ବାନ୍ତି, କାଶ, ଏବଂ ଥଣ୍ଡା ବିନାଶକାରୀ ଭାବରେ ବିବେଚନା କରାଯାଏ । ଏହା କେବଳ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରେ ନାହିଁ, ବରଂ ଥଣ୍ଡା, ବ୍ରଣ ପରି ଚର୍ମ ସମସ୍ୟା, ଚର୍ମରେ ଅକାଳ ବୃଦ୍ଧାବସ୍ଥାର ପ୍ରଭାବ ଏବଂ ଚର୍ମରେ ଚମକ ଅଭାବ ଭଳି ସାଧାରଣ ସମସ୍ୟାକୁ ମଧ୍ୟ ରୋକିବାରେ ସହାୟକ ହୋଇଥାଏ ।’
ଆବଶ୍ୟକ ପରିମାଣର ବ୍ୟବହାର ଆବଶ୍ୟକ:-
ଡକ୍ଟର ମନୀଷାଙ୍କ କହିବାନୁସାରେ, ‘କସ୍ତୁରୀର ବ୍ୟବହାର ଆବଶ୍ୟକ ପରିମାଣ ଅନୁଯାୟୀ କରିବା ଉଚିତ । ଏହାକୁ ଅଧିକ ମାତ୍ରାରେ ସେବନ କରିବା ଦ୍ବାରା କିମ୍ବା ଶୁଙ୍ଘିଲେ ଶରୀରର ରଙ୍ଗରେ ପରିବର୍ତ୍ତନ ଆସେ । ଏହାବ୍ୟତୀତ ମାନସିକ ସ୍ବାସ୍ଥ୍ୟ ବିଗିଡ଼ିବା ସହିତ ଦାନ୍ତ ଓ ଅନ୍ୟ ଅଙ୍ଗ ଉପରେ ପ୍ରଭାବ ପକାଇଥାଏ । ଅନ୍ୟ କିଛି ପ୍ରକାରର କସ୍ତୁରୀ ମିଳିଥାଏ ଯାହାକି ଅନ୍ୟ ପଶୁ ଓ ଗଛରୁ ମିଳିଥାଏ । ସୁଗନ୍ଧ ଦୃଷ୍ଟିରୁ ଏହାର ନାମକରଣ କସ୍ତୁରୀ ରଖାଯାଇଛି । ଆୟୁର୍ବେଦରେ ଏମାନଙ୍କ ମଧ୍ୟରୁ କିଛିର ବ୍ୟବହାର କରାଯାଏ । କିନ୍ତୁ କସ୍ତୁରୀ ମୃଗରୁ ମିଳୁଥିବା କସ୍ତୁରୀରୁ ବାସ୍ତବ କସ୍ତୁରୀ ଭାବେ ବିବେଚନା କରାଯାଏ ।’
ଚିକିତ୍ସକଙ୍କ ପରାମର୍ଶ ଆବଶ୍ୟକ:-
ଡକ୍ଟର ମନୀଷା କହିଛନ୍ତି ଯେ, ‘ରୋଗ କିମ୍ବା କୌଣସି ବିଶେଷ ଅବସ୍ଥାର ଚିକିତ୍ସା ଲାଗି ସର୍ବଦା ଚିକିତ୍ସକଙ୍କ ପରାମର୍ଶ ନେବା ଆବଶ୍ୟକ । କସ୍ତୁରୀକୁ ଔଷଧ ଭାବେ ବ୍ୟବହାର ସମୟରେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । କାରଣ ଏହାର ବିପରୀତ ପ୍ରଭାବ ମଧ୍ୟ ପକାଇପାରେ ।’