ୱାଶିଂଟନ: ହୃଦ୍ରୋଗ(Heart Disease) ବର୍ତ୍ତମାନ ସମୟରେ ବହୁଳ ମାତ୍ରାରେ ବୃଦ୍ଧି ପାଉଛି । ଖାଉଥିବା, ନାଚୁଥିବା କିମ୍ବା କୌଣସି ଶାରୀରିକ କାର୍ଯ୍ୟକଳାପ ସମୟରେ ଏହି କାରଣରୁ ଚାଲିଯାଉଛି ଜୀବନ । କିଛିଦିନ ଧରି ଏହିସବୁ ଭିଡିଓ ସୋସିଆଲ୍ ମିଡିଆରେ ମଧ୍ୟ ବେଶ୍ ଭାଇରାଲ୍ ହେଉଥିଲା । ତେବେ ଏହି ସମସ୍ୟାକୁ ଏଡାଇବା ପାଇଁ ସ୍ବାସ୍ଥ୍ୟକର ଖାଦ୍ୟ ମୁଖ୍ୟ ଭୂମିକା ଗ୍ରହଣ କରୁଛି । ଏହି ମାଧ୍ୟମରେ ଦୁଇ ତୃତୀୟାଂଶରୁ ଅଧିକ ହୃଦଘାତ ଜନିତ ମୃତ୍ୟୁହାରକୁ ବିଶ୍ୱବ୍ୟାପୀ ଏଡାଇ ଦିଆଯାଇପାରେ ବୋଲି 'ୟୁରୋପିଆନ୍ ସୋସାଇଟି ଅଫ୍ କାର୍ଡିଓଲୋଜି ପତ୍ରିକା'ରେ ପ୍ରକାଶ ପାଇଛି ।
ୟୁରୋପୀୟ ହାର୍ଟ ଜର୍ଣ୍ଣାଲ- କ୍ୱାଲିଟି ଅଫ୍ କେୟାର ଏବଂ କ୍ଲିନିକାଲ ଆଉଟ୍କମ୍ସ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନ ବିଶ୍ବ ଖାଦ୍ୟ ଦିବସରେ ପ୍ରକାଶ ପାଇଥିଲା, ଯେଉଁଥିରେ ସୁସ୍ଥ ଖାଦ୍ୟର ମହତ୍ତ୍ୱ ଉପରେ ଗୁରୁତ୍ୱ ଦିଆଯାଇଥିଲା ।
ଅନୁସନ୍ଧାନର ଏକ ସଦସ୍ୟ କହିଛନ୍ତି, "ଆମର ବିଶ୍ଳେଷଣରୁ ଜଣାପଡିଛି ଯେ, ଅସ୍ୱାସ୍ଥ୍ୟକର ଖାଦ୍ୟ, ଉଚ୍ଚ ରକ୍ତଚାପ ଏବଂ ଉଚ୍ଚ ସେରମ୍ କୋଲେଷ୍ଟ୍ରୋଲ୍ ହୃଦଘାତ ଏବଂ ଆଞ୍ଜିନା(ଏକ ଛାତି ଯନ୍ତ୍ରଣା ରୋଗ) ମୃତ୍ୟୁର କାରଣ ପାଲଟୁଛି । ଏହାକୁ ଇସକେମିକ୍ ହୃଦ୍ ରୋଗ କୁହାଯାଏ ।" ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରକ୍ରିୟାକୃତ ଖାଦ୍ୟ, ଶର୍କରା ପାନୀୟ ଏବଂ ସାଚୁରେଟେଡ୍ ଫ୍ୟାଟ୍ ଖାଦ୍ୟକୁ ଏଡାଇବା ସହ ଉପଯୁକ୍ତ ପରିମାଣରେ ଲୁଣ, ଚିନି, ମାଛ, ପନିପରିବା, ବାଦାମ ଆଦି ଗ୍ରହଣ କରି ଛଅ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ବଞ୍ଚାଇପାରିବା ।
ସେହିପରି ଉପକାରୀ ଖାଦ୍ୟ ମଧ୍ୟରେ ସେ ଶସ୍ୟଜାତୀୟ ଖାଦ୍ୟ ମାତ୍ରା ବୃଦ୍ଧି କରିବା ସହ ସାମୁଦ୍ରିକ ଖାଦ୍ୟରୁ 200 ରୁ 300 ମିଗ୍ରା ଓମେଗା 3 ଫ୍ୟାଟି ଏସିଡ୍ ଖାଦ୍ୟ ଗ୍ରହଣ ଉପରେ ଗୁରୁତ୍ବ ଦେଇଛନ୍ତି । ପ୍ରତିଦିନ 200 ରୁ 300 ଗ୍ରାମ ଫଳ, 290 ରୁ 430 ଗ୍ରାମ ପନିପରିବା, 16 ରୁ 25 ଗ୍ରାମ ବାଦାମ ଏବଂ 100 ରୁ 150 ପର୍ଯ୍ୟନ୍ତ ଗ୍ରାମ୍ ଶସ୍ୟଜାୟୀତ ଖାଦ୍ୟ ଖାଇବା ପାଇଁ ଲକ୍ଷ୍ୟ ରଖିବା ଉଚିତ୍ ବୋଲି ସେ କହିଛନ୍ତି ।
ଏହି ଗବେଷଣାରେ ଗ୍ଲୋବାଲ୍ ବର୍ଡେନ୍ ଅଫ୍ ଡିଜିଜ୍ ଷ୍ଟଡି 2017 ଦ୍ୱାରା ଦିଆଯାଇଥିବା ତଥ୍ୟକୁ ବିଶ୍ଳେଷଣ କରାଯାଇଥିଲା, ଯାହା 1990 ରୁ 2017 ମଧ୍ୟରେ 195 ଦେଶରେ କରାଯାଇଥିଲା । ଇସକେମିକ୍ ହୃଦ୍ରୋଗରେ 2017 ରେ 8.9 ନିୟୁତ ଲୋକଙ୍କ ଜୀବନ ଯାଇଥିଲା ।
ଅନୁସନ୍ଧାନକାରୀମାନେ ଇସକେମିକ୍ ହୃଦ୍ ରୋଗରୁ ମୃତ୍ୟୁ ଉପରେ 11 ଟି ବିପଦ କାରଣର ପ୍ରଭାବ ଗଣନା କରିଥିଲେ । ଏଗୁଡ଼ିକ ହେଲା ଡାଏଟ୍, ଉଚ୍ଚ ରକ୍ତଚାପ, ଉଚ୍ଚ ସେରମ୍ ଲୋ-ଡେନସିଟି ଲିପୋପ୍ରୋଟେନ୍(LDL) କୋଲେଷ୍ଟ୍ରଲ, ହାଇ ପ୍ଲାଜମା ଗ୍ଲୁକୋଜ, ତମାଖୁ ବ୍ୟବହାର, ଉଚ୍ଚ ଶରୀର ମାସ୍ ସୂଚକାଙ୍କ (Body Mass Index), ବାୟୁ ପ୍ରଦୂଷଣ, କମ୍ ଶାରୀରିକ କାର୍ଯ୍ୟକଳାପ, ବୃକକ୍ କାର୍ଯ୍ୟ ଏବଂ ମଦ୍ୟପାନ ।