ହାଇଦ୍ରାବାଦ: ପ୍ରତିବର୍ଷ ନଭେମ୍ବର 25 ରେ ସମଗ୍ର ବିଶ୍ୱରେ ଅନ୍ତର୍ଜାତୀୟ ମିଟ୍ଲେସ୍ ଦିବସ ପାଳନ(International Meatless Day) କରାଯାଏ । ଏହାକୁ ଅନ୍ତର୍ଜାତୀୟ ଶାକାହାରୀ ଦିବସ ମଧ୍ୟ କୁହାଯାଏ । ମାଂସାସୀ ଖାଦ୍ୟଠୁ ଦୂରେଇ ରହିବା ଶାକାହାରୀ ଖାଦ୍ୟ ଗ୍ରହଣ କରିବା ଏବଂ ପଶୁ-ପକ୍ଷୀଙ୍କ ପ୍ରତି ଦୟାବାନ୍ ହେବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଏ । ସାଧୁ ଟି.ଏଲ ଭାସୱାନି(Sadhu T.L. Vaswani)ଙ୍କ ଜନ୍ମଦିନ ଅବସରରେ ଏହି ଦିବସ ପାଳନ କରାଯାଏ । କାରଣ ପ୍ରଥମେ ସେ ଶାକାହାରୀ ଭୋଜନ ପାଇଁ ଆହ୍ବାନ ଦେଇଥିଲେ ।
ସେ ଜଣେ ମହାନ ଭାରତୀୟ ଶିକ୍ଷାବିତ୍ ଥିଲେ ଏବଂ ଭାରତୀୟ ଶିକ୍ଷା ବ୍ୟବସ୍ଥାର ଉନ୍ନତି ପାଇଁ ମୀରା ଆନ୍ଦୋଳନ(Mira movement) ଆରମ୍ଭ କରିଥିଲେ । ସେ ହାଇଦ୍ରାବାଦରେ ସେଣ୍ଟ ମିରା ସ୍କୁଲ ପ୍ରତିଷ୍ଠା କରିଥିଲେ । 1986 ମସିହାରେ ସାଧୁ ଭାସୱାନି ମିଶନ ଦ୍ୱାରା ଆନ୍ତର୍ଜାତୀୟ ମିଟ୍ଲେସ୍ ଦିବସ ଅଭିଯାନ ଆରମ୍ଭ ହୋଇଥିଲା । ସାଧୁ ଭାସୱାନି ମିଶନ୍ ହେଉଛି ସାମାଜିକ ସେବା ପାଇଁ ଏକ ସଂଗଠନ, ଯାହାକି ମାନବ ସମାଜକୁ ସେବା କରିବା ପାଇଁ ଏକ ଆଧ୍ୟାତ୍ମିକ ଲକ୍ଷ୍ୟ ରଖିଥାଏ । ସେହିପରି ପଶୁ ଅଧିକାର ଗୋଷ୍ଠୀ(Animal Rights Group) ପାଇଁ ଏହି ଦିନଟି ମଧ୍ୟ ଗୁରୁତ୍ୱପୂର୍ଣ୍ଣ । କାରଣ ଏହିଦିନକୁ ପଶୁ ଅଧିକାର ଦିବସ(Animal Rights Day) ଭାବେ ମଧ୍ୟ ପାଳନ କରାଯାଏ ।
International Meatless Day: History
1986 ରେ ସାଧୁ ଭାସୱାନିଙ୍କ ଜନ୍ମଦିନ ଉପଲକ୍ଷେ 25 ନଭେମ୍ବରକୁ ଅନ୍ତର୍ଜାତୀୟ ମାଂସହୀନ ଦିବସ ପାଳନ ରୂପେ ଘୋଷଣା କରାଯାଇଥିଲା । ଶାକାହାରୀ ବ୍ୟଞ୍ଜନ ଗ୍ରହଣ କରିବାକୁ ସେ ବିଶ୍ବସ୍ତର ସମସ୍ତ ନାଗରିକଙ୍କୁ ଅନୁରୋଧ କରିଥିଲେ । ମିଶନ୍ ଆରମ୍ଭ ସମୟରେ ଭାସୱାନିଙ୍କୁ ଖୁବ୍ ସମର୍ଥନ ମିଳିଥିଲା ତାଙ୍କ ମିଶନରେ ବଡ ସଫଳତା ହାସଲ କରିଥିଲା ।
ସମସ୍ତେ ତାଙ୍କ ପରାମର୍ଶ ଗ୍ରହଣ କରିବା ସହ ପଶୁମାନଙ୍କୁ ସୁରକ୍ଷା ଦେବା ପାଇଁ ସ୍ୱେଚ୍ଛାସେବୀ ସଂଗଠନ ଗଠନ ହୋଇଥିଲା । ସେ ଲୋକମାନଙ୍କୁ ପ୍ରତ୍ୟେକ ମଣିଷ ଏବଂ ପଶୁ ସମାନ ବୋଲି ବୁଝାଉଥିଲେ । ତାଙ୍କ ବାର୍ତ୍ତାରେ ଅନେକ ଲୋକେ ପ୍ରଭାବିତ ହୋଇଥିଲେ ଏବଂ ମାଂସାସୀ ଖାଦ୍ୟକୁ ବର୍ଜନ କରିଥିଲେ । ସବୁଠୁ ବଡ କଥା ହେଉଛି କି ଆମ ଦେଶର ଗୁଜୁରାଟ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଏବଂ କର୍ଣ୍ଣାଟକ ସରକାର ନଭେମ୍ବର 25 ରେ ସମସ୍ତ ମାଂସ ଦୋକାନ ବନ୍ଦ ନେଇ ବିଜ୍ଞପ୍ତି ଜାରି କରିଛନ୍ତି ।
25 ନଭେମ୍ବର 1879 ରେ ହାଇଦ୍ରାବାଦ, ସିନ୍ଦରେ ଜନ୍ମଗ୍ରହଣ କରିଥିବା ସାଧୁ ଭାସୱାନି ଜଣେ ସମସାମୟିକ ସାଧୁ, ଯିଏ ଏକାଡେମୀରେ କ୍ୟାରିୟର ଆରମ୍ଭ କରିଥିଲେ ଏବଂ ପରେ ଶିକ୍ଷାବିତ୍ ହୋଇଥିଲେ । ମହିଳାମାନଙ୍କୁ ସଶକ୍ତିକରଣ ତଥା ଶିକ୍ଷିତ କରିବା ଉଦ୍ଦେଶ୍ୟରେ ସେ ମୀରା ଆନ୍ଦୋଳନ ଆରମ୍ଭ କରିଥିଲେ । ବର୍ତ୍ତମାନ ସାଧୁ ଭାସୱାନି ମିଶନ୍ ଭାବରେ ଜଣାଶୁଣା, ଏକ ଅଣ-ସମ୍ପ୍ରଦାୟ, ଅଣ-ଲାଭ ସଂଗଠନ ଯାହା ସମସ୍ତ ଧର୍ମର ଏକତା ଉପରେ ବିଶ୍ବାସ କରେ ଏବଂ ସମସ୍ତ ଧର୍ମର ମହାନ ଲୋକଙ୍କୁ ସମ୍ମାନ କରେ ।
1966 ମସିହାରେ ସାଧୁ ଭାସୱାନିଙ୍କ ଦେହାନ୍ତ ହୋଇଥିଲା । କିନ୍ତୁ ସାଧୁ ଭାସୱାନି ମିଶନର ପୂର୍ବତନ ଆଧ୍ୟାତ୍ମିକ ମୁଖ୍ୟ ଦାଦା ଜେପି ଭାସୱାନିଙ୍କ ଦ୍ବାରା 1986 ରେ ନଭେମ୍ବର 25, ସାଧୁ ଭାସୱାନୀଙ୍କ ଜନ୍ମ ବାର୍ଷିକୀ ଅବସରରେ ଅନ୍ତର୍ଜାତୀୟ ମିଟ୍ଲେସ୍ ଦିବସ ପାଳନ ପାଇଁ ପ୍ରସ୍ତାବ ଦିଆଯାଇଥିଲା । ସେବେଠାରୁ ଏହି ଦିବସ ପାଳନ କରାଯାଉଛି ।