ଜେରୁଜେଲମ: ବ୍ରେନ ଖାଉଥିବା ଏମୋଇବା ସଂକ୍ରମଣ (Brain-eating amoeba)ରେ ଇସ୍ରାଏଲରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଉକ୍ତ ବ୍ୟକ୍ତିଙ୍କର ଅନ୍ୟ କୌଣସି ରୋଗ ନଥିବା ବେଳେ ଏହି ରୋଗ ଦ୍ବାରା ତାଙ୍କର ମୃତ୍ୟୁ ଘଟିଛି । ଏହି ରୋଗକୁ ପ୍ରାଥମିକ ଏମୋବିକ ମେନିଙ୍ଗଏନ୍ସୋଫ୍ଲାଇଟିସ (PAM) ରୋଗ ଭାବେ ଜଣାଯାଏ । ଯାହାଦ୍ବାରା ମନୁଷ୍ୟର ମସ୍ତିଷ୍କ ଗଭୀର ଭାବରେ ସଂକ୍ରମିତ (Infection of the brain) ହୋଇଥାଏ । ଏଥିଲାଗି ବ୍ରେନ-ଇଟିଂ-ଏମୋଇବା ଦାୟୀ ରହିଥାଏ ।
ଏମୋଇବା (Amoeba) ହେଉଛି ଗୋଟିଏ କୋଷରେ ଗଠିତ ହୋଇଥିବା ଏକ ପ୍ରକାର ଛୋଟ ଜୀବ । ଏହା ଅନେକ ପ୍ରକାର ଥିବା ବେଳେ ଏହି ନିର୍ଦ୍ଦିଷ୍ଟ ବ୍ରେନ ଇଟିଂ ଏମୋଇବା ସାଧାରଣତଃ ମଧୁର ପାଣି, ପୋଖରୀ ଓ ସ୍ଥିର ଜଳ ସ୍ରୋତରେ ରହିଥାଏ । ଏହାର ସଂକ୍ରମଣରେ ଉକ୍ତ ୩୬ ବର୍ଷୀୟ ଯୁବକଙ୍କ ଅକାଳ ମୃତ୍ୟୁ ଘଟିଛି । ଏହାକୁ ନେଗ୍ଲୋରିୟାସିସ (naegleriasis) ରୋଗ ଭାବେ ମଧ୍ୟ ଜଣାଯାଏ । ପୋରିଆ ମେଡିକାଲ ସେଣ୍ଟରରେ ଏହି ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଏ ନେଇ ଇସ୍ରାଏଲ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ (Israel health ministry) ପକ୍ଷରୁ ସୂଚନା ଦିଆଯାଇଛି ।
- ସଂକ୍ରମଣର କାରଣ ଓ ଲକ୍ଷଣ ?
PAM ସଂକ୍ରମଣ ମୁଖ୍ୟତଃ ନାକ ଦ୍ବାରା ହୋଇଥାଏ । ଏହି ରୋଗରେ ଜଣେ ବ୍ୟକ୍ତି ସଂକ୍ରମିତ ହେବା ପରେ ମୁଣ୍ଡବ୍ୟଥା ସହିତ ଜ୍ବର, ବାନ୍ତି ଭଳି ଲକ୍ଷଣ ଦେଖାଦେଇଥାଏ । ସଂକ୍ରମଣ ବଢିବା ସହିତ ଏହି ଲକ୍ଷଣ ୧ରୁ ୯ ଦିନ ମଧ୍ୟରେ ଦେଖାଦିଏ । ଏହି ରୋଗ ପରବର୍ତ୍ତୀ ସମୟରେ ଭୟଙ୍କର ହୋଇଥାଏ । ସଂକ୍ରମିତ ବ୍ୟକ୍ତିର ସ୍ମରଣ ଶକ୍ତି ହ୍ରାସ ପାଇଥାଏ । ଆମେରିକାର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍ସନ ସେଣ୍ଟର (USCDCP)ରେ ଏ ନେଇ ଅଧିକ ଗବେଷଣା ଜାରି ରହିଛି ।
- କେଉଁଠି ବଢେ ଏହି ଏମୋଇବା ?
ଏହି ଏମୋଇବା ଫ୍ରେସ ୱାଟର ଯେପରିକି ହ୍ରଦ, ନଦୀ, ହଟସ୍ପ୍ରିଙ୍ଗ୍, ଶିଳ୍ପାନୁଷ୍ଠାନର ଦୂଷିତ ପାଣି, ଦୂଷିତ ସ୍ବିମିଂ ପୁଲ୍ ଓ ୱାଟର ହିଟରରେ ମଧ୍ୟ ରହିପାରେ । ତେବେ ଏଗୁଡ଼ିକ ସମୁଦ୍ରରେ ବଢିନଥାନ୍ତି ।