ହାଇଦ୍ରାବାଦ: ପ୍ରତିବର୍ଷ ବିଶ୍ବର ବହୁ ସଂଖ୍ୟକ ମହିଳା ଏକ କୁପ୍ରଥା 'ଖତନା'ର ଶିକାର ହେଉଛନ୍ତି, ଯେଉଁଥିରେ ମହିଳାମାନଙ୍କ ଯୌନାଙ୍ଗ ବିକୃତି କରାଯାଏ । ଧର୍ମ ଓ ପରମ୍ପରା ନାମରେ ଏପରି ଘୃଣ୍ୟ କାର୍ଯ୍ୟର ବିନାଶ ହେବାର ଆବଶ୍ୟକତା ରହିଛି । ଏଥିପାଇଁ ପ୍ରତିଟି ବ୍ୟକ୍ତିଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ 6 ଜାନୁଆରୀରେ "ମହିଳା ଯୌନାଙ୍ଗ ବିକୃତି ମ୍ୟୁଟିଲେସନ୍ ପାଇଁ ଶୂନ୍ୟ ସହନଶୀଳତା" ଦିବସ ପାଳନ କରାଯାଏ । ୟୁନିସେଫ୍, ଡବ୍ଲୁଏଚଓ ଏବଂ ଅନେକ ସହଭାଗୀ ସଂଗଠନର ମିଳିତ ଉଦ୍ୟମରେ ଏହି ଦିବସ ପାଳନ କରାଯାଉଛି । ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ 2030 ସୁଦ୍ଧା ସମଗ୍ର ବିଶ୍ବରୁ ଏହି କୁପ୍ରଥାକୁ ସମ୍ପୂର୍ଣ୍ଣ ରୂପେ ସମାପ୍ତ କରିବାକୁ ଲକ୍ଷ୍ୟ ରଖିଛି ।
କହି ରଖୁଛୁ ଯେ, ବିଶ୍ବର ଅନେକ ସ୍ଥାନରେ ଧାର୍ମିକ ପରମ୍ପରା ନାମରେ ମହିଳାଙ୍କୁ ଫିମେଲ୍ ଜେନିଟାଲ୍ ମ୍ୟୁଟିଲେସନ୍ ପରି ବର୍ବରତାର ସାମ୍ମୁଖୀନ ହୁଅନ୍ତି, ଯାହାକୁ 'ଖତନା' ବୋଲି କୁହାଯାଏ । ଖତନା ହେଉଛି ଏକ କୁପ୍ରଥା, ଯେଉଁଥିରେ ମହିଳା ଯୌନାଙ୍ଗ ବିକୃତି କରାଯାଏ । ଏହି କାରଣରୁ ସମଗ୍ର ବିଶ୍ୱରେ ଅନେକ ମହିଳାଙ୍କୁ କେବଳ ଶାରୀରିକ ଯନ୍ତ୍ରଣା ନୁହେଁ ମାନସିକ ନିର୍ଯାତନାର ମଧ୍ୟ ଶିକାର ହେବାକୁ ପଡେ । ଏପରି କାର୍ଯ୍ୟକୁ ବିରୋଧ ଏବଂ ମହିଳାଙ୍କର ଯୌନ ବିକୃତିକୁ ରୋକିବାକୁ ଶୂନ୍ୟ ସହନଶୀଳତା ପାଇଁ ଏକ ଆନ୍ଦୋଳନ ଭାବରେ ପ୍ରତିବର୍ଷ 6 ଫେବୃଆରୀରେ ବିଶ୍ବସ୍ତରରେ "ଇଣ୍ଟରନ୍ୟାସନାଲ୍ ଡେ' ଅଫ୍ ଜିରୋ ଟୋଲେରାନ୍ସ ଫର୍ ଫିମେଲ୍ ଜେନିଟାଲ୍ ମ୍ଯୁଟେସନ୍" ଦିବସ ପାଳନ କରାଯାଉଛି ।
ସୂଚନା ଅନୁସାରେ, ଚଳିତ ବର୍ଷ 6 ଫେବୃଆରୀରେ ମହିଳାମାନଙ୍କର ନିରନ୍ତର ବିକାଶ ପାଇଁ ହୁ(ଡବ୍ଲୁଏଚଓ) ଏବଂ ୟୁନିସେଫର "2030 ଏଜେଣ୍ଡା" ଅନୁଯାୟୀ ଏହି ଦିବସର ଦ୍ୱାଦଶ ବାର୍ଷିକୀ ପାଳନ କରାଯାଉଛି । ଚଳିତ ବର୍ଷର ଥିମ୍ ରହିଛି, "ପୁରୁଷ ଏବଂ ବାଳକମାନଙ୍କ ସହ ସହଭାଗୀ ହୋଇ ମହିଳା ଯୌନାଙ୍ଗ ବିକୃତି ଏବଂ ସାମାଜିକ ତଥା ଲିଙ୍ଗଗତ ନିୟମକୁ ପରିବର୍ତ୍ତନ କରିବା" ।
ଫିମେଲ୍ ଜେନେଟାଲ୍ ମ୍ୟୁଟିଲେସନ୍(ଖତନା) କ’ଣ ?
ଜାଣିଲେ ଆଶ୍ଚର୍ଯ୍ୟ ହେବେ ଖତନାରେ, କ୍ଲିଟୋରିସ୍ ନାମକ ଯୌନ ଅଂଶକୁ ଏକ ବ୍ଲେଡ୍ ଦ୍ୱାରା ବାହାର କରାଯାଇଥାଏ । କେତେକ ମହିଳାଙ୍କର କ୍ଲିଟୋରିସର କିଛି ଅଂଶ ଅପସାରଣ କରିବା ପରେ ଯୌନାଙ୍ଗକୁ ସିଲେଇ କରି ଦିଆଯାଉ ଥିବାବେଳେ କିଛି ମହିଳାଙ୍କର କ୍ଲିଟୋରିସ୍ ସଂପୂର୍ଣ୍ଣ ଭାବରେ ଅପସାରିତ କରିଦିଆଯାଏ । ଏହା ଅତ୍ୟନ୍ତ ଯନ୍ତ୍ରଣାଦାୟକ ପ୍ରକ୍ରିୟା, ତଥାପି ଅଧିକାଂଶ କ୍ଷେତ୍ରରେ ଝିଅମାନଙ୍କୁ ଏହି ସମଗ୍ର ପ୍ରକ୍ରିୟା ସମୟରେ ସମ୍ପୂର୍ଣ୍ଣ ହୋସ୍ରେ ରଖାଯାଏ ଏବଂ ସେମାନଙ୍କୁ କୌଣସି ପ୍ରକାରର ଆନାସ୍ଥେସିଆ କିମ୍ବା ନିସ୍ତେଜ ମେଡିସିନ୍ ଦିଆଯାଇନଥାଏ । ଏହି ପ୍ରକ୍ରିୟା ପ୍ରାୟତଃ ଜନ୍ମରୁ 15 ବର୍ଷ ବୟସ ମଧ୍ୟରେ କରାଯାଇଥାଏ ।
ଖତନା ହେତୁ କେବଳ ଶାରୀରିକ ଯନ୍ତ୍ରଣା ନୁହେଁ, ମାନସିକ ରୋଗ ସମସ୍ୟା ମଧ୍ୟ ଦେଖାଯାଏ । ଏଥିସହ ବିବାହ ପରେ ଶାରୀରିକ ସମ୍ପର୍କ ସ୍ଥାପନରେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଡବ୍ଲୁଏଚଓ ଅନୁଯାୟୀ, ଯୌନାଙ୍ଗ ବିକୃତି କାରଣରୁ ଅନ୍ୟାନ୍ୟ ଗମ୍ଭୀର ସମସ୍ୟାର ଆଶଙ୍କା ମଧ୍ୟ ରହିଥାଏ । ବାସ୍ତବରେ ବହୁ ଖତନାରେ ଅନେକ ଝିଅ ଯୋନୀ ସଂକ୍ରମଣ ବ୍ୟତୀତ ବନ୍ଧ୍ୟାକରଣ ଏବଂ ଏଚ୍.ଆଇ.ଭି ଏଡସ୍ ଭଳି ରୋଗର ସମ୍ମୁଖୀନ ହୁଅନ୍ତି ।
ଇତିହାସ: ସାଧାରଣତଃ ଲୋକମାନେ ଭାବନ୍ତି ଯେ, ଖତନା କେବଳ ପୁରୁଷମାନଙ୍କ କ୍ଷେତ୍ରରେ ହୋଇଥାଏ । କିନ୍ତୁ ଦୁନିଆର ଅନେକ ସ୍ଥାନରେ ମହିଳାମାନେ ମଧ୍ୟ ଖତନାର ସମ୍ମୁଖୀନ ହୁଅନ୍ତି । ଏକ ନିର୍ଦ୍ଦିଷ୍ଟ ଧର୍ମରେ ଏପରି କାର୍ଯ୍ୟ କରାଯାଏ । 1997 ମସିହାରେ, ୟୁନିସେଫ(UNICEF) ଏବଂ ୟୁଏନଏଫପିଏ ସହିତ ମିଳିତ ଭାବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହିଳାଙ୍କ ପ୍ରତି ହେଉଥିବା ଏହି ନିଷ୍ଠୁରତା ବିରୋଧରେ ଏକ ବିବୃତ୍ତି ଜାରି କରିଥିଲା । ଏହା ପରେ, 2007 ମସିହାରେ, ୟୁଏନଏଫପିଏ ଏବଂ ୟୁନିସେଫ ଦ୍ୱାରା ଏକ ମିଳିତ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହୋଇଥିଲା । କିନ୍ତୁ 2012 ମସିହାରେ ଜାତୀୟ ସାଧାରଣ ସଭା ଦ୍ବାରା ଏକ ସଂକଳ୍ପ ପାରିତ ହୋଇଥିଲା, ଯାହା ପରେ ପ୍ରତିବର୍ଷ ଫେବୃଆରୀ 6 ରେ ମହିଳା ଯୌନାଙ୍ଗ ପାଇଁ ଅନ୍ତର୍ଜାତୀୟ ଶୂନ୍ୟ ସହନଶୀଳତା ଦିବସ ପାଳନ ଆରମ୍ଭ ହୋଇଥିଲା ।
ଏହି ଅବସରରେ, ଏପରି କୁପ୍ରଥାକୁ ସମାପ୍ତ କରିବା ପାଇଁ 'ଏ ପିସ୍ ଅଫ୍ ମି' ନାମକ ଅଭିଯାନ ଅଧୀନରେ ପ୍ରତିବର୍ଷ ୟୁଏନଏଫପିଏ ଦ୍ବାରା ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ । ଉଲ୍ଲେଖନୀୟ ବିଷୟ ହେଉଛି, ମହିଳାଙ୍କର ଯୌନାଙ୍ଗ ବିକୃତି ସମାଜାର ଏକ କୁତ୍ସିତ ପ୍ରଥା । ଏହା ମୁଖ୍ୟତଃ ଆଫ୍ରିକା ଏବଂ ମଧ୍ୟ ପୂର୍ବର 30ଟି ଦେଶରେ ପ୍ରଚଳିତ ହୋଇଥାଏ । ଏସିଆ, ଲାଟିନ୍ ଆମେରିକା, ପଶ୍ଚିମ ୟୁରୋପ, ଉତ୍ତର ଆମେରିକା, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡରେ ରହୁଥିବା ପ୍ରବାସୀ ଜନସଂଖ୍ୟାରେ ମହିଳାଙ୍କର ଯୌନ ବିକୃତି ମାମଲା ମଧ୍ୟ ଦେଖାଯାଏ । ସେହିପରି ଆମ ଦେଶରେ ଗୁଜୁରାଟ, ରାଜସ୍ଥାନ, ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ତାମିଲନାଡୁ ଆଦି ଅଞ୍ଚଳର ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟରେ ଦେଖାଯାଏ ।
ଥିମ୍ ଓ ଉଦ୍ଦେଶ୍ୟ: ବର୍ତ୍ତମାନ ସମୟରେ ଶିକ୍ଷାର ପ୍ରଗତି ସହ ସମାନତା ଅଧିକାର ବାବଦରେ ଉଭୟ ମହିଳା ଓ ପୁରୁଷ ସଚେତନ ହେଉଛନ୍ତି । ତେଣୁ ଏପରି ଘୃଣ୍ୟ କାର୍ଯ୍ୟର ବିଲୋପ ପାଇଁ ପୁରୁଷମାନଙ୍କୁ ମଧ୍ୟ ଏକଜୁଟ ହେବାର ଆବଶ୍ୟକତା ରହିଛି । ଏହି ଉଦ୍ଦେଶ୍ୟରେ ୟୁଏନଏଫପିଏ ଏବଂ ୟୁନିସେଫ ପୁରୁଷ ଏବଂ ବାଳକମାନଙ୍କ ସହ ମିଶି ସାମାଜିକ ତଥା ଲିଙ୍ଗଗତ ନୀତି ବଦଳାଇବା, ମହିଳା ଓ ବାଳିକାମାନଙ୍କ ପ୍ରତି ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବ ରଖିବା ସହ ଏପରି ଘୃଣ୍ୟ ପ୍ରଥାକୁ ବିନାଶ କରିବା ପାଇଁ ଏହି ଆନ୍ଦୋଳନରେ ପୁରୁଷମାନଙ୍କୁ ଭାଗ ନେବାକୁ ଆହ୍ବାନ ଦେଇଛନ୍ତି । ୟୁନିସେଫ୍ ରିପୋର୍ଟ ଅନୁଯାୟୀ, ଗତ 25 ବର୍ଷ ମଧ୍ୟରେ, ନିରନ୍ତର ପ୍ରୟାସ ହେତୁ ବିଶ୍ବସ୍ତରରେ ଏଫଜିଏମର ପ୍ରସାର ହ୍ରାସ ପାଇଛି । ବିଶ୍ବରେ, 30 ବର୍ଷ ପୂର୍ବେ ଏଫଜିଏମ କିମ୍ବା ଖତନାର ଶିକାର ହେଉଥିବା ଝିଅଙ୍କ ସଂଖ୍ୟା ଏକ ତୃତୀୟାଂଶ ହ୍ରାସ ପାଇଛି ।
ଏପରି ଘୃଣ୍ୟ କାର୍ଯ୍ୟ ଦୂର ହେବା ଉଚିତ୍: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁସାରେ, ଖତନାରେ ମହିଳା ଓ ଝିଅମାନଙ୍କ ସ୍ୱାସ୍ଥ୍ୟ ଉପରେ ହେଉଥିବା ଖରାପ ପ୍ରଭାବକୁ ଚିକିତ୍ସା କରିବା ପାଇଁ ପ୍ରତିବର୍ଷ ବିଶ୍ୱରେ ପ୍ରାୟ 1.4 ବିଲିୟନ ଡ଼ଲାର ଖର୍ଚ୍ଚ ହୋଇଥାଏ । ସେହିପରି ୟୁନିସେଫ କହିଛି ଯେ, ପ୍ରାୟ ଏକ ଚତୁର୍ଥାଂଶ ମହିଳା ଏବଂ ବାଳିକା ଖତନାରେ ପୀଡିତ, ଅର୍ଥାତ୍ ପ୍ରାୟ 52 ନିୟୁତ ବିଭିନ୍ନ କାରଣରୁ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହୁଅନ୍ତି । ଏହି ଘୃଣ୍ୟ କାର୍ଯ୍ୟକୁ ସମୂଳେ ନାଶ କରିବା ପାଇଁ ଅନେକ ଦେଶରେ ଆଇନ ପ୍ରଣୟନ କରାଯାଇଛି, ଯେପରିକି ଆଫ୍ରିକା ଏବଂ ମଧ୍ୟ ପୂର୍ବର 26 ଦେଶ 1997ରେ ଏହି ଅଭ୍ୟାସକୁ ଆଇନଗତ ଭାବରେ ନିଷିଦ୍ଧ କରିଥିବାବେଳେ ଅନ୍ୟ କେତେକ ଦେଶରେ ମଧ୍ୟ ଏହାକୁ ନିଷିଦ୍ଧ କରାଯାଇଛି । କିନ୍ତୁ ଏବେ ମଧ୍ୟ ଅନେକ ଦେଶରେ ଖୋଲାଖୋଲି ଭାବେ ଏହି କୁପ୍ରଥା ଚାଲିଛି ।
ଆମ ଦେଶରେ ଯଦିଓ ଖତନାର ସଂଖ୍ୟା ଅପେକ୍ଷାକୃତ କମ୍, ତଥାପି ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟରେ ଏହି ଘୃଣ୍ୟ କାର୍ଯ୍ୟ କରାଯାଉଛି । ଏହା ବିରୋଧରେ କେବଳ ମହିଳା ନୁହଁନ୍ତି ଅନେକ ସାମାଜିକ ସଂଗଠନ ମଧ୍ୟ ଏକ ସ୍ୱତନ୍ତ୍ର ଆଇନ ପ୍ରଣୟନ କରିବାକୁ ଦାବି କରୁଛନ୍ତି । ଯଦି ପ୍ରତିଟି ବ୍ୟକ୍ତି ସଚେତନ ଓ ଏକଜୁଟ ହେବେ ତେବେ ବିଶ୍ବରୁ ମହିଳାମାନଙ୍କ ଉପରେ କରାଯାଉଥିବା ଏହି ବର୍ବର ଆଚରଣକୁ ସମ୍ପୂର୍ଣ୍ଣ ରୂପେ ରୋକାଯାଇ ପାରିବ ।