ହାଇଦ୍ରାବାଦ: ଝିଅମାନଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କ ସୁରକ୍ଷା ପାଇଁ ସ୍ୱର ଉତ୍ତୋଳନ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଅକ୍ଟୋବର 11ରେ ଅନ୍ତର୍ଜାତୀୟ ଶିଶୁକନ୍ୟା ଦିବସ(International Day of Girl Child ) ପାଳନ କରାଯାଉଛି । ଡିସେମ୍ବର 19, 2011ରେ ମିଳିତ ଜାତିସଂଘର ସାଧାରଣ ସଭା 66/170 ରିଜୋଲୁସନ ଗ୍ରହଣ କରି ଅକ୍ଟୋବର 11କୁ ‘ଶିଶୁକନ୍ୟା ଦିବସ’ ଭାବରେ ଘୋଷଣା କରାଯାଇଥିଲା । ବିଶ୍ବର କୋଣ ଅନୁକୋଣରେ ଥିବା ପ୍ରତିଟି ଝିଅ ପାଠ ପଢିବେ, ଶିକ୍ଷିତ ହେବେ, ସମାନ ଅଧିକାର ପାଇବା ସହ କିପରି ସମାଜ କଲ୍ୟାଣ ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇବେ ସେ ବାବଦରେ ଧ୍ୟାନ ଦେବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ।
ଇତିହାସ
1995 ରେ ବେଜିଂରେ ପ୍ରଥମେ କନ୍ୟା ଶିଶୁ ଦିବସ ଘୋଷଣା କରାଯାଇଥିଲା । ବିଶ୍ବ ବ୍ୟାପୀ ଝିଅମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏକ ବେସରକାରୀ, ଅନ୍ତର୍ଜାତୀୟ ସଂଗଠନ ଯୋଜନାର ଏକ ଅଂଶ ଭାବରେ ବାଳିକା ଶିଶୁ ଅନ୍ତର୍ଜାତୀୟ ଦିବସ ଆରମ୍ଭ ହୋଇଥିଲା । ବିଶେଷକରି ବିକାଶଶୀଳ ଦେଶମାନଙ୍କରେ ଝିଅମାନଙ୍କର ଅଧିକାରକୁ ପ୍ରୋତ୍ସାହିତ କରିବା ଏବଂ ସେମାନଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରିବା ପାଇଁ ଏହି ଅଭିଯାନ ଆରମ୍ଭ ହୋଇଥିଲା ।
ମହତ୍ତ୍ୱ:
ଝିଅଅମାନେ ସମ୍ମୁଖୀନ ହେଉଥିବା ଆହ୍ୱାନଗୁଡିକୁ ସମାଧାନ କରିବା, ସେମାନଙ୍କୁ ସଶକ୍ତିକରଣ ଏବଂ ସେମାନଙ୍କର ମାନବିକ ଅଧିକାରର ପୂରଣ ପାଇଁ ଆବଶ୍ୟକତା ଉପରେ ଶିଶୁ କନ୍ୟା ଦିବସ ଗୁରୁତ୍ୱାରୋପ କରିଥାଏ । ଯଦି ଛୋଟବେଳୁ ସେମାନଙ୍କୁ ଉଚିତ୍ ଶିକ୍ଷା ଦିଆଯିବ ଓ ଦେଶ ଗଠନରେ ସେମାନଙ୍କୁ ପ୍ରୋତ୍ସାହିତ କରାଯିବ ତେବେ ସେମାନେ ବଡ଼ ହୋଇ ନିଶ୍ଚିତ ସମାଜରେ ପ୍ରତିଷ୍ଠିତ ହୋଇପାରିବେ । ତେବେ ଏହି ଦିବସ ସେହି ଶିଶୁମାନଙ୍କୁ ପ୍ରୋତ୍ସାହିତ କରେ, ଯେଉଁମାନଙ୍କୁ ପରିବାର ପକ୍ଷରୁ କୌଣସି ସମର୍ଥନ ମିଳି ନଥାଏ । ସେମାନଙ୍କୁ ସଶକ୍ତ କରିବା ଏହି ଦିବସର ମୂଳ ଲକ୍ଷ୍ୟ ।
ଜାତିସଂଘର ତଥ୍ୟ ଅନୁଯାୟୀ, ବିକାଶଶୀଳ ଦେଶମାନଙ୍କରେ ପ୍ରଜି ତିନି ଜଣ ଝିଅଙ୍କ ମଧ୍ୟରୁ ଜଣେ ବୋଧହୁଏ 18 ବର୍ଷ ବୟସ ପୂର୍ବରୁ ବିବାହ କରନ୍ତି । 9 ଜଣ ଝିଅଙ୍କ ମଧ୍ୟରୁ ଜଣେ 15 ବର୍ଷ ପୂର୍ବରୁ ବିବାହ କରନ୍ତି । ଏମାନେ ଅଧିକାଂଶ ଗରିବ, କମ୍ ଶିକ୍ଷିତ ଏବଂ ଗ୍ରାମାଞ୍ଚଳରେ ବାସ କରନ୍ତି । ବିଶ୍ବର ପ୍ରାୟ 33,000 କିଶୋରୀ ଅଳ୍ପ ବୟସରେ ବିବାହ କରନ୍ତି । ସେହିପରି 15ରୁ 19 ବର୍ଷ ବୟସର ପ୍ରାୟ 44 ପ୍ରତିଶତ ଝିଅ ଏପରି ଅନୁଭବ କରନ୍ତି ଯେ, ସ୍ବାମୀମାନେ ମାଡ ମାରିବା ଏବଂ ଶାସନ କରିବା ବୋଧହୁଏ ସେମାନଙ୍କ ଅଧିକାର !
ଏହି ବୟସର ଝିଅମାନଙ୍କ ଅନ୍ୟାୟ ବିରୋଧରେ ସ୍ବର ଉତ୍ତୋଳନ କରିବାର ସାହସ ମଧ୍ୟ ନଥାଏ । ସେଥିପାଇଁ ବାଲ୍ୟ ବିବାହ ରୋକିବା, ସେମାନଙ୍କୁ ସଶକ୍ତ କରିବା ପାଇଁ ଏପରି ଏକ ଦିନର ଆବଶ୍ୟକତା ରହିଛି । ଅନ୍ୟପଟେ ତଥ୍ଯ ଅନୁସାରେ ପାଞ୍ଚରୁ 14 ବର୍ଷ ପର୍ଯ୍ୟନ୍ତ ଝିଅମାନେ ପୁଅମାନଙ୍କ ଅପେକ୍ଷା ଅଧିକ କାମ କରନ୍ତି । ସେହିପରି ନାବାଳିକା ଏବଂ ମହିଳାମାନେ ମଧ୍ୟ ଯୌନ ଶୋଷଣର ଶିକାର ହେଉଛନ୍ତି । ତଥାପି ସମୟ ଆମ ଦେଶ ଭାରତରେ ମଧ୍ୟ ଅନେକ ମହିଳା ଅଛନ୍ତି, ଯେଉଁମାନେ ପ୍ରଶାସନିକ ସ୍ତରରେ ନିଯୁକ୍ତି ପାଇବା ସହ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ନିଜକୁ ନିୟୋଜିକ କରିପାରୁଛନ୍ତି । ତେଣୁ ଝିଅମାନଙ୍କୁ ମଧ୍ୟ ଦୃଢମନା ହେବା ସହ ଅଭିଭାବକମାନେ କନ୍ୟା ସନ୍ତାନମାନଙ୍କୁ ପ୍ରୋତ୍ସାହିତ କରିବା ଉଚିତ୍ । ଏହାଦ୍ବାରା ଏକ ସୁସ୍ଥ ସମାଜ ଗଠନ ହୋଇପାରିବ ।