ସୂର୍ଯ୍ୟ ଦେବତାଙ୍କ ସଂସ୍ପର୍ଶରେ ଆସିଲେ ଆମର ଅନେକ ସ୍ୱାସ୍ଥ୍ୟଗତ ଫାଇଦା ମିଳେ ବୋଲି ବିଶ୍ୱାସ ରହିଛି । କାଳକ୍ରମେ ମେଡିକାଲ ସାଇନ୍ସ ଦ୍ୱାରା ବି ଏ କଥା ପ୍ରମାଣିତ ହୋଇଛି । ସୂର୍ଯ୍ୟାଲୋକରୁ ମିଳୁଥିବା ଭିଟାମିନ ଡି ଆମ ଶରୀରର ଅସ୍ଥିଶଲ୍ୟ ଓ ଦନ୍ତ ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପାଦେୟ । ତେବେ, ଆମ ଶରୀର ପାଇଁ ବେଶ୍ ଗୁରୁତ୍ୱ ରଖୁଥିବା ଏହି ଭିଟାମିନ ଲାଗି ଆମକୁ କେତେ ସମୟ ସୂର୍ଯ୍ୟାଲୋକରେ ରହିବାକୁ ହେବ ?
ଆମ ଚର୍ମରେ ଡିହାଇଡ୍ରୋକୋଲେଷ୍ଟରଲ ଯୋଗାଣ ଭଲ ମାତ୍ରାରେ ରହିଛି ଯାହା କି ସୂର୍ଯ୍ୟକିରଣର ୟୁଭି ରାଡିଏସନ ସଂସ୍ପର୍ଶରେ ଆସିଲେ ପ୍ରୋ-ଭିଟାମିନ ଡିରେ ପରିଣତ ହୁଏ । ଏହି ପଦାର୍ଥ ଚର୍ମ ଛାଡି ଯକୃତରେ ପଂହଚେ । ଯକୃତ ଏହାକୁ ଡିହାଇଡ୍ରୋକୋଲେଷ୍ଟେରଲଥଟ୍ ରେ ପରିଣତ କରେ । ଏହି ପଦାର୍ଥ କିଡନୀକୁ ଯାଇ ମାଚ୍ୟୁର ଭିଟାମିନ ଡି ରେ ପରିଣତ ହୁଏ, ଯାହା କି ଡାକ୍ତରୀ ବିଜ୍ଞାନରେ ୧,୨୫ଡିଏଚସିସି ବା ଭିଟାମିନ ଡି୩ ନାମରେ ପରିଚିତ । ଏହି ଭିଟାମିନ ଅନ୍ତଃନଳୀରୁ କ୍ୟାଲସିୟମ ଅବଶୋଷଣ ବୃଦ୍ଧି କରିବା ସହ ମଳ ନିଷ୍କାସନରେ କ୍ୟାଲସିୟମ ଆଉଟପୁଟ ହ୍ରାସ କରିଥାଏ । ଏପରିକି ଏହି ଭିଟାମିନ ହାଡରୁ କ୍ୟାଲସିୟମ ଯୋଗାଡ କରି ରକ୍ତରେ କ୍ୟାଲସିୟମ ନିୟନ୍ତ୍ରିତ କରେ ।
ସୂର୍ଯ୍ୟ କିରଣର ଅଭାବ, କ୍ରନିକ ଲିଭର ଓ କିଡନୀ ରୋଗ ଭିଟାମିନ ଡି ର ଉପଲବ୍ଧତାକୁ ପ୍ରଭାବିତ କରେ । ଏହି ଭିଟାମିନ ମଧ୍ୟ ସୁସ୍ଥ ତ୍ୱଚା ପାଇଁ ଗୁରୁତ୍ୱପୂର୍ଣ୍ଣ । ପ୍ରିମେଚର ଏଜିଂକୁ ବି ଏହା ଦୂର କରିଥାଏ । ଭିଟାମିନ ଡି ଉପରେ ନିର୍ଭର କରିଥାଏ ସାମଗ୍ରିକ ସ୍ୱାସ୍ଥ୍ୟ । ତେଣୁ ଆମେ ଭିଟାମିନ ଡି ପ୍ରଚୁର ପରିମାଣରେ ପାଇବା ଦରକାର ।
କେତେ ପରିମାଣର ସୂର୍ଯ୍ୟାଲୋକ ?
କିଛି ପେଷାଦାର ଆଉଟଡୋର୍ ଓ ଅନ୍ୟ କିଛିଇଣ୍ଡୋରରେ କାମ କରନ୍ତି । ଶିଳ୍ପ ଅର୍ଥନୀତିରେ ଅଗ୍ରଗତି ହେବା ସହ ଇଣ୍ଡୋରରେ କାମ କରୁଥିବା ଲୋକଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇଛି । ଆଉ ଏଥିପାଇଁ ଲୋକଙ୍କଠାରେ ପ୍ରାକୃତିକ ଭିଟାମିନ ଡିର ଅଭାବ ପରିଲକ୍ଷିତ ହୋଇଛି । ତେଣୁ ଲୋକଙ୍କ ମଧ୍ୟରେ ସପ୍ଲିମେଣ୍ଟ ଭିଟାମିନ ଡି ନେବା ବୃଦ୍ଧି ପାଇଛି । ଭିଟାମିନ ଡି ହେଉଛି ଫ୍ୟାଟ ସଲ୍ୟୁବ୍ଲ । ଏହା ଛତୁ, ମାଛ, କ୍ଷୀର ଓ ଅଣ୍ଡାରେ ମିଳେ । କିନ୍ତୁ ଅନେକ ଲୋକଙ୍କଠାରେ ଭିଟାମିନ ଡି ର ଅଭାବ ଦେଖାଦେଉଛି । ସପ୍ଲିମେଂଟ ଭିଟାମିନ ଡି ( ଏର୍ଗୋକାଲସିଫେରଲ୍ ) ସେବନ କରିବା ହୃଦୟ ପାଇଁ କ୍ଷତିକାରକ । ସପ୍ଲିମେଂଟ ଭିଟାମିନ ଡି ଯଦି ଅଧିକ ମାତ୍ରାରେ ସେବନ କରାଯାଏ, ତାହା ହେଲେ ଏହା ଯକୃତର ବି କ୍ଷତି କରେ ।
ଯଦି ଆମ ଶରୀରର ତ୍ୱଚା ସିଧାସଳଖ ମଧ୍ୟାହ୍ନ ସୂର୍ଯ୍ୟାଲୋକ ସଂସ୍ପର୍ଶରେ ଆସେ, ତାହା ହେଲେ ଏହା ୧୦୦୦ ଇଣ୍ଟରନ୍ୟାସନାଲ ୟୁନିଟ୍ ଭିଟାମିନ ଡି ସୃଷ୍ଟି କରିପାରେ । ସପ୍ତାହକୁ ୨ରୁ ୩ ଘଣ୍ଟା ସୂର୍ଯ୍ୟାଲୋକ ସଂସ୍ପର୍ଶରେ ଆସିବ ଉଚିତ । ଯାହା ଫଳରେ ଭିଟାମିନ ଡି ର ମାତ୍ରା ହ୍ରାସ ହେବ ନାହିଁ । ଆଲୋକିତ ଛାଇରେ ବି ବସିଲେ ଭିଟାମିନ ଡି ମିଳିଥାଏ । ପିଲାଙ୍କ ରିକେଟସ, ବେରିବେରୀ ଭଳି ରୋଗ ଭିଟାମିନ ଡି ଦ୍ୱାରା ଦୂର ହୋଇଥାଏ । ବୟସ୍କଙ୍କ ଓଷ୍ଟିଓମାଲାସିଆ ରୋଗ ପାଇଁ ବି ଭିଟାମିନ ଡି ଦରକାର ।
ପ୍ରତିଦିନ ସୂର୍ଯ୍ୟାଲୋକରେ ୧୦ ମିନିଟ ଲେଖାଏଁ ସମୟ ବିତାଇବା ଜରୁରୀ । କୃଷ୍ଣବର୍ଣ୍ଣ ଲୋକେ ଏହାଠାରୁ ଅଧିକ ସମୟ ସୂ ର୍ଯ୍ୟାଲୋକରେ ବିତାଇବା ଆବଶ୍ୟକ । ସେମାନେ ସର୍ଟସ ପରିଧାନ କରିବା ଉଚିତ । ଭିଟାମିନ ଡି କ୍ୟାଲସିୟମ ମେଟାବଲିଜମ ପାଇଁ ଆବଶ୍ୟକ ହୁଏ । ଏହାଛଡା ଏହି ଭିଟାମିନ ସେରୋଟୋନିନ ନାମକ ଏକ କେମିକାଲକୁ ଷ୍ଟିମୁଲେଟ କରିଥାଏ । ଏହି କେମିକାଲ ବ୍ରେନରେ ଥାଏ । ଏହି ପ୍ରକ୍ରିୟା ଦ୍ୱାରା ଆମେ ଖୁସି ଓ ଆନନ୍ଦିତ ରହୁ । ଅବସାଦ ଦୂର ହୁଏ । ଆମ ଭୋକ ନିୟନ୍ତ୍ରଣ ଓ ଓଜନ ବଜାୟ ରଖିବାରେ ସହାୟକ ହେଉଥିବା ଲେପଟିନ୍ ନାମକ ହରମୋନକୁ ବି ନିୟନ୍ତ୍ରିତ କରିଥାଏ ଭିଟାମିନ ଡି ।
ଡକ୍ଟର ପି.ଭି ରଙ୍ଗାନାୟକୁଲୁ