ଇଟିଭି ଭାରତ ସୁଖୀଭବଃ ପ୍ୟାନେଲ ପକ୍ଷରୁ ଆମେ କିଛି ମହିଳା ଡାକ୍ତରଙ୍କ ସାକ୍ଷାତକାର ନେଇଥିଲୁ । ଆସନ୍ତୁ ଜାଣିବା ,ସେମାନେ କ’ଣ ସବୁ କହିଛନ୍ତି ।ପିତୃପ୍ରାଧାନ୍ୟ ଭାରତୀୟ ସମାଜରେ ମହିଳାମାନେ ଅନେକ ସଂଘର୍ଷ କରି , ଅନେକ ଆହ୍ୱାନର ସମ୍ମୁଖୀନ ହୋଇ ପ୍ରତି କ୍ଷେତ୍ରରେ ନିଜର ଉପସ୍ଥ୍ିତି ଜାହିର କରିବାରେ ସଫଳ ହୋଇପାରିଛନ୍ତି । ମହିଳାମାନଙ୍କ ପ୍ରତି ଭାରତୀୟ ସମାଜର ଦୃଷ୍ଟିଭଙ୍ଗୀ ପରିବର୍ତ୍ତନ ହେବାରେ ଲାଗିଛି ।
ସେମାନଙ୍କୁ ସମାନ ଅଧିକାର ପ୍ରଦାନ ଓ ସଶକ୍ତିକରଣ କରିବା ପାଇଁ ଶୁଭୁଥିବା ସ୍ୱର ଆହୁରି ଶାଣିତ ହୋଇଛି । ଆଜି ମାର୍ଚ୍ଚ ୮ ତାରିଖରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ ହେଉଛି । ଜାତିସଂଘ ପକ୍ଷରୁ ଏଥର ମହିଳା ଦିବସର ଥିମ୍ ରହିଛି ‘ମହିଳା ନେତୃତ୍ୱ : ଏକ କୋଭିଡ-୧୯ ବିଶ୍ୱରେ ସମାନ ସଫଳତା’ । ( ଓମ୍ୟାନ ଇନ ଲିଡରସିପ୍ : ଆଚିଭିଂ ଏନ ଇକ୍ୱେଲ୍ ଫ୍ୟୁଚର ଇନ୍ ଏ କୋଭିଡ-୧୯ ୱାର୍ଲଡ ) । ଏହି ଅବସରରେ ଆମେ ଇଟିଭ ଭାରତ ସୁଖିଭବଃ ସହ ପ୍ରାୟ ବର୍ଷେ ହେଲା ଜଡିତ ଥିବା ମହିଳା ଡାକ୍ତରଙ୍କ ଟିମକୁ ସେମାନଙ୍କ ଅବଦାନ ଓ ସଫଳତା ପାଇଁ କୃତଜ୍ଞତା ଜଣାଉଛୁ । କୋଭିଡ-୧୯ ସମୟରେ ସେମାନଙ୍କ ମଧ୍ୟରୁ କିଛି ହସପିଟାଲରେ ସମ୍ମୁଖ ଯୋଦ୍ଧା ଭାବେ କାମ କରିଥିଲେ । ସଂକ୍ରମିତ ରୋଗୀଙ୍କ ୨୪ ଘଂଟା ଯତ୍ନ ନେଉଥିଲେ । ଆଉ କିଛି ଲୋକଙ୍କ ମାନସିକ ସ୍ୱାସ୍ଥ୍ୟ କଥା ବୁଝିବା ସହ ମହାମାରୀ ନେଇ ତଥ୍ୟଗତ ସଚେତନତାର ବାର୍ତ୍ତା ପ୍ରଚାର କରୁଥିଲେ । ଏଭଳି କିଛି ସମ୍ମୁଖଭାଗ ଯୋଦ୍ଧାଙ୍କୁ ଆମେ ସେମାନଙ୍କ ଅଭିଜ୍ଞତା ପଚାରି ବୁଝିଥିଲୁ । ଡକ୍ଟର ରାଜ୍ୟଲକ୍ଷ୍ମୀ ମାଧବମ । ହାଇଦ୍ରାବାଦର ଏଏମଡି ଆୟୁର୍ବେଦିକ ମେଡିକାଲ କଲେଜର ପ୍ରଫେସର । ମହାମାରୀ ବେଳେ ନିଜର ଅଭିଜ୍ଞତା ସଂପର୍କରେ ସେ କହିଛନ୍ତି । ଜଣେ ଆୟୁର୍ବେଦୀୟ ଡାକ୍ତର ଭାବେ ଅନଲାଇନ୍ ପରାମର୍ଶ ବେଳେ ଅନେକ ଆହ୍ୱାନର ସମ୍ମୁଖୀନ ହୋଇଥିଲେ । ଅନଲାଇନ ପରାମର୍ଶ ବେଳେ ରୋଗୀର ନାଡି
ପରୀକ୍ଷା ସମ୍ଭବ ନ ଥିଲା । ରୋଗୀକୁ ଶାରୀରିକ ଭାବେ ପରୀକ୍ଷା କରାଯାଇପାରୁ ନ ଥିଲା । ସେଥିପାଇଁ ରୋଗ ଚିହ୍ନଟରେ ଭାରି ଅସୁବିଧା ହେଉଥିଲା ବୋଲି କହିଛନ୍ତି ଡକ୍ଟର ମାଧବମ । ଏପରିକି ରୋଗୀମାନଙ୍କୁ ଲାବ୍ରୋଟରି ଯାଇ ବିଭିନ୍ନ ପରୀକ୍ଷା କରାଇବା ପାଇଁ ମଧ୍ୟ କହି ହେଉ ନଥିଲା ବୋଲି ମାଧବନ କହିଛନ୍ତି । ଏହାଛଡା ଔଷଧର ଅଭାବ ଓ ଉତ୍କଟ ରୋଗ ପାଇଁ ପଂଚକର୍ମ ଥେରାପି ପ୍ରଦାନରେ ଅସମର୍ଥତା ଚ୍ୟାଲେଂଜ ସୃଷ୍ଟି କରିଥିଲା ବୋଲି କହିଛନ୍ତି ମାଧବମ ।
କୋଭିଡ ମହାମାରୀ ବେଳେ ଲୋକଙ୍କ ମାନସିକ ସ୍ୱାସ୍ଥ୍ୟ ମଧ୍ୟ ପ୍ରଭାବିତ ହୋଇଥିଲା । ଏଥିପାଇଁ ସାଇକୋଲୋଜିଷ୍ଟ ଓ ସାଇକିଆଟ୍ରିଷ୍ଟମାନେ ରୋଗୀଙ୍କ ସହ ପରାମର୍ଶ କରିବା ବେଳେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଆମ ପ୍ୟାନେଲର ଡକ୍ଟର ବୀଣା କ୍ରିଷ୍ଣନ ମଧ୍ୟ ଏଥିରୁ ବାଦ୍ ପଡି ନ ଥିଲେ । ଡେରାଡୁନର କନସଲଟାଂଟ୍ କ୍ଲିନିକାଲ ସାଇକୋଲୋଜିଷ୍ଟ ଥିବା ଡକ୍ଟର ବୀଣା କ୍ରିଷ୍ଣନଙ୍କ କହିବା ଅନୁସାରେ କାଉନସେଲିଂ ପାଇଁ ସେ ଅନେକ କଲ୍ ପାଇଥିଲେ । କିଛି ରୋଗୀଙ୍କ ସେ କାଉନସେଲିଂ କରିଥିଲେ । ଲକଡାଉନ ଯୋଗୁଁ ଔଷଧୀୟ ଚିକିତ୍ସା ସମ୍ଭବ ନ ଥିବାରୁ ସେ ଦେଖିଥିବା କିଛି ରୋଗୀଙ୍କଠାରେ ରୋଗର ରିଲାପ୍ସ ଦେଖାଦେଇଥିଲା । ଯେଉଁମାନେ ନିଶା ଔଷଧସେବନ କରିଥିଲେ, ସେମାନଙ୍କ ମଧ୍ୟରେ ୱିଥଡ୍ରୟାଲ ସିଂପଟମ୍ ଦେଖାଦେଇଥିଲା ବୋଲି ଡକ୍ଟର ବୀଣା କହନ୍ତି । ଆରମ୍ଭରେ ସବୁ କେସ୍ ଦେଖିବା କଷ୍ଟକର ଥିଲା । କିନ୍ତୁ ପରେ ସ୍ଥିତି ସ୍ୱାଭାବିକ ହୋଇଥିଲା । ଅନଲାଇନ କନସଲଟେସନରେ ରୋଗୀର କଥା ଉପରେ ଭରସା କରିବାକୁ ପଡୁଥିଲା । ନେଟୱର୍କ ସମସ୍ୟା, ବୈଷୟିକ ତ୍ରୁଟି ବିରାଟ ଆହ୍ୱାନ ସୃଷ୍ଟି କରିଥିବା ବୋଲି ଡକ୍ଟର ବୀଣା କହନ୍ତି । ତେବେ ପୂର୍ବ ଅଭିଜ୍ଞତା ରୋଗୀ ସେବାରେ ତାଙ୍କୁ ସହାୟକ ହୋଇଥିଲା ବୋଲି ସେ କହନ୍ତି । ମହାମାରୀ ବେଳେ ଅନଲାଇନ ପରାମର୍ଶ ଯୋଗୁଁ ଡେରାଡୁନ ସ୍ଥିତ ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଡକ୍ଟର ଲତିକା ଯୋଶୀଙ୍କୁ ମଧ୍ୟ ଅନେକ ବାଧାବିଘ୍ନର ସାମନା କରିବାକୁ ପଡିଥିଲା । ଅନଲାଇନ ପରାମର୍ଶ ଯୋଗୁଁ ଶିଶୁମାନଙ୍କ ରୋଗ ଚିହ୍ନଟରେ କଷ୍ଟ ହେଉଥିଲା ହୋଲି ସେ କହନ୍ତି ।
ଶିଶୁମାନଙ୍କ ଉପରେ କୋରୋନା ଭାଇରସର ପ୍ରଭାବ କେତେ ପଡିବ, ସେ ନେଇ କିଛି ତଥ୍ୟ ନ ଥିବାରୁ ତାଙ୍କୁ ବିଶେଷ କଷ୍ଟ ସ୍ୱୀକାର କରିବାକୁ ପଡିଥିଲା ବୋଲି ଡକ୍ଟର ଲତିକା କହନ୍ତି । ଶିଶୁଙ୍କ ରୋଗ ଚିହ୍ନଟ ନେଇ ପ୍ରଥମେ ପ୍ରଥମେ ଅନିଶ୍ଚିତତା ଦେଖାଦେଇଥିଲେ ମଧ୍ୟ ଭାଇରସ ସଂପର୍କରେ ଅଧିକ ତଥ୍ୟ ଆସିବା ପରେ ସେ ନିଶ୍ଚିତ ହୋଇ ଶିଶୁଙ୍କ ରୋଗର ଚିକିତ୍ସା କରିଥିଲେ । ସାରାବିଶ୍ୱରେ କର୍ମଜୀବୀ ମହିଳା ସେମାନଙ୍କ ପେଷାଦାର ଓ ପାରିବାରିକ ଜୀବନରେ ସନ୍ତୁଳନ ରକ୍ଷା କରିବାକୁ ଚେଷ୍ଟା କରନ୍ତି । କୋଭିଡ-୧୯ ମହାମାରୀ ବେଳେ କର୍ମୀଜୀବୀ ମହିଳା ବିଶେଷ କରି ମହିଳା ଡାକ୍ତରଙ୍କ ପାଇଁ ଏହି ସନ୍ତୁଳନ ରକ୍ଷା କରିବା ଥିଲା ବେଶ୍ ଆହ୍ୱାନମୂଳକ । ରୋଗୀ ସେବା ସହ ପରିବାରର ଦେଖାଶୁଣା ମଧ୍ୟ ଜରୁରୀ ଥିଲା । କୋରୋନା ମହାମାରୀ ଯୋଗୁଁ ଘର କାମ କରିବା ପାଇଁ ଚାକର ଚାକରାଣୀଙ୍କୁ ବାହାରୁ ଆଣିବା ସମ୍ଭବ ନ ଥିବାରୁ ସମସ୍ୟା ସୃଷ୍ଟି ହୋଇଥିଲା ବୋଲି ଡକ୍ଟର ରାଜ୍ୟଲକ୍ଷ୍ମୀ କହିଛନ୍ତି । କିନ୍ତୁ ବିଭିନ୍ନ ୱେବିନାରରେ ସାମିଲ ହୋଇ ସେ ସନ୍ତୁଳନ କୌଶଳ ଜାଣିବା ପରେ ତାଙ୍କୁ ଆଉ ବିଶେଷ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଲା ନାହିଁ ବୋଲି ଡକ୍ଟର ରାଜ୍ୟଲକ୍ଷ୍ମୀ କହନ୍ତି । ଏ କ୍ଷେତ୍ରରେ ତାଙ୍କ ପରିବାର ଲୋକେ ତାଙ୍କୁ ପୂରା ସହଯୋଗ କରିଥିଲେ ବୋଲି ଡକ୍ଟର କ୍ରିଷ୍ଣନ କହିଛନ୍ତି । ଉପରୋକ୍ତ ସବୁ ଉଦାହରଣରୁ ସ୍ପଷ୍ଟ ଜଣାପଡେ ଯେ, ଅତି କଠିନ ସମୟରେ ବି ମହିଳାମାନେ ସହନଶୀଳ ହୋଇ, ଧୈର୍ଯ୍ୟର ସହ ଆଗକୁ ବଢି ପ୍ରତିକୂଳ ପରିସ୍ଥିତି ସହ ଲଢନ୍ତି ଓ ସଫଳ ହୁଅନ୍ତି । ସେଥିପାଇଁ ସେମାନଙ୍କ ନିକଟରେ ଆମେ ସମସ୍ତ ସବୁବେଳେକ କୃତଜ୍ଞ ।