ହାଇଦ୍ରାବାଦ: ଓଜନ ହ୍ରାସ ସହିତ ପ୍ରଜନନ କ୍ଷମତା ବୃଦ୍ଧିକୁ ନେଇ ଏକ ଗବେଷଣା ହୋଇଥିଲା । ଏହାର ରିପୋର୍ଟ 'PLOS Medicine' ପତ୍ରିକାରେ ପ୍ରକାଶିତ ହୋଇଛି । ମୋଟ ୩୭୯ ମହିଳାଙ୍କୁ ନେଇ ହୋଇଥିବା ଏହି ଗବେଷଣାରୁ ଜଣାପଡ଼ିଛି ଯେ ପ୍ରଜନନ କ୍ଷମତା ଉପରେ ଓଜନ ହ୍ରାସର ବିଶେଷ କିଛି ପ୍ରଭାବ ପଡିନଥାଏ । ଓଜନ ହ୍ରାସ ବିନା ଶାରୀରିକ କାର୍ଯ୍ୟକଳାପ କଲେ ସୁସ୍ଥ ଗର୍ଭଧାରଣ ଓ ପ୍ରସବ ସମ୍ଭବ ହୋଇଥାଏ ।
ସାଧାରଣତଃ ମେଦ ବହୁଳତା ଅଧିକ ରହିଥିବା ମହିଳାଙ୍କ ଗର୍ଭଧାରଣରେ ସମସ୍ୟା ଉପୁଜିଥାଏ ବୋଲି ଆମେ ବିଶ୍ବାସ କରିଥାଉ ବୋଲି ଗବେଷକ କହିଛନ୍ତି । ଏଥିଲାଗି ଡାକ୍ତର ଗର୍ଭଧାରଣ ପାଇଁ ଓଜନ ହ୍ରାସ କରିବାକୁ ପରାମର୍ଶ ଦେଇଥାନ୍ତି । ମାତ୍ର ଓଜନ ହ୍ରାସ ବିନା ଶାରୀରିକ କାର୍ଯ୍ୟକଳାପ ମଧ୍ୟ ସୁସ୍ଥ ଡେଲିଭରୀ କରାଇଥାଏ ବୋଲି ଗବେଷକ କହିଛନ୍ତି । ଶାରୀରିକ କାର୍ଯ୍ୟକଳାପ କିମ୍ବା ଓଜନ ହ୍ରାସ କରାଉଥିବା ବ୍ୟାୟାମ ଏଥିଲାଗି ସହାୟକ ହୋଇଥାଏ । ଏଥିଲାଗି ଦେଶରେ ୨ ଗୋଷ୍ଠୀ ମହିଳାଙ୍କୁ ନେଇ ଗବେଷଣା କରାଯାଇଥିଲା । ଗୋଟିଏ ଗୋଷ୍ଠୀ ମହିଳା ଓଜନ ହ୍ରାସ କରିବା ପାଇଁ ଡାଏଟ୍କୁ ନିୟନ୍ତ୍ରଣରେ ରଖିବା ସହିତ ଔଷଧ ଓ ଶାରୀରିକ କାର୍ଯ୍ୟକଳାପକୁ ବୃଦ୍ଧି କରିଥିଲେ ।
ସେପଟେ ଆଉ ଏକ ଗୋଷ୍ଠୀ ଓଜନ ହ୍ରାସ କରିବାକୁ ଉଦ୍ୟମ ନ କରି କେବଳ ଶାରୀରିକ କାର୍ଯ୍ୟକଳାପକୁ ବୃଦ୍ଧି କରିଥିଲେ । ଏହି ପ୍ରୋଗ୍ରାମକୁ ଶେଷ କରିବା ପରେ ୨ ଗୋଷ୍ଠୀ ମହିଳାଙ୍କୁ ନେଇ ୩ ଥର ପ୍ରଜନନ କ୍ଷମତାକୁ ନେଇ ପରୀକ୍ଷଣ କରାଯାଇଥିଲା । ଓଜନ ହ୍ରାସ କରିବାକୁ ଚାହୁଁଥିବା ମହିଳା ଶରୀରର ୭ ପ୍ରତିଶତ ମେଦ ବହୁଳତାକୁ ହ୍ରାସ କରିଥିଲେ । ସେପଟେ ଯେଉଁମାନେ କେବଳ ବ୍ୟାୟାମ ପାଇଁ ଶାରୀରିକ କାର୍ଯ୍ୟକଳାପକୁ ବୃଦ୍ଧି କରିଥିଲେ ସେମାନଙ୍କ ଓଜନ କମିନଥିଲା । ଅନ୍ୟପଟେ ୨ ଗୋଷ୍ଠୀଙ୍କ ମଧ୍ୟରେ ଏପରି କରିବା ଦ୍ବାରା ସୁସ୍ଥ ଡେଲିଭରୀକୁ ନେଇ କୌଣସି ପ୍ରଭାବ ପଡିନଥିଲା ।
ଏହି ସର୍ଭେର ରିପୋର୍ଟ ଅନୁସାରେ ଓଜନ ହ୍ରାସ ମହିଳାଙ୍କ ପ୍ରଜନନ କ୍ଷମତା ଅଧିକ ବୃଦ୍ଧି କରିନଥାଏ । ମାତ୍ର ଓଜନ ହ୍ରାସ ହେବା ଫଳରେ ଶରୀରର ହଜମ ପ୍ରକ୍ରିୟା ବୃଦ୍ଧି ପାଇଥାଏ । ସମ୍ପ୍ରତି ଜନସଂଖ୍ୟାଙ୍କ ମଧ୍ୟରେ ବନ୍ଧ୍ୟାକରଣ(Infertility) ଏକ ପ୍ରମୁଖ ସମସ୍ୟା ଉପରେ ଉଭା ହୋଇଛି । ଭବିଷ୍ୟତ ପାଇଁ ଏହା ଉପରେ ଅଧିକ ଗବେଷଣା ଆବଶ୍ୟକ ବୋଲି କହିଛନ୍ତି ଗବେଷକ ।
@ANI