ହାଇଦ୍ରାବାଦ: କିଛି ଦିନର ବ୍ୟବଧାନ ପରେ ଦେଶରେ ପୁଣି ବୃଦ୍ଧି ପାଇବାରେ ଲାଗିଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ନୂଆ ଭାରିଆଣ୍ଟ ଜେଏନ 1 ସଂକ୍ରମିତଙ୍କ ସଂଖ୍ୟା କେରଳ ଏବଂ କର୍ଣ୍ଣାଟକରେ ବଢି ଚାଲିଛି । ତେବେ ପଜିଟିଭ ରେଟକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଥିବା ବେଳେ କର୍ଣ୍ଣାଟର ସରକାର ପକ୍ଷରୁ ମଧ୍ୟ ଆଡଭାଇଜରୀ ଜାରି କରାଯାଇଛି । ବର୍ତ୍ତମାନ ସୁଦ୍ଧା ଜେଏନ 1 ଭାରିଆଣ୍ଟ ପାଇଁ କୌଣସି ଟିକା ବାହାରି ନଥିବାବେଳେ କୋଭିଡ ଟିକା ହିଁ ପ୍ରତିହତ କରିବାରେ ସାହାଯ୍ୟ କରିବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ଜେଏନ 1 ଭାରିଆଣ୍ଟ ଚିହ୍ନଟ ପରେ କୋଭିଡ ଟିକା ନେଇ ଲୋକଙ୍କ ମନରେ ଦ୍ବନ୍ଦ ସୃଷ୍ଟି ହୋଇଛି । ଏହି ଭାରିଆଣ୍ଟରୁ ବର୍ତ୍ତିବା ପାଇଁ ପୁନଃ ଟିକା ନେବା ଆବଶ୍ୟବ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ଆଇସିଏମଆରର ପୂର୍ବତନ ମୁଖ୍ୟ ଡାକ୍ତର ବଳରାମ ଭାର୍ଗବ । ଯଦି ଜଣେ ଥରେ କୋଭିଡ ଟିକା ନେଇଥିବେ ତାହେଲେ ପୁନଃ ଟିକା ନେବା ଆବଶ୍ୟକ ନୁହେଁ ବୋଲି ସେ ଇନାଡୁ ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇଛନ୍ତି ।
ଡାକ୍ତର ବଳରାମ ଭାର୍ଗବ ହେଉଛନ୍ତି ଇଣ୍ଡିଆନ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର)ର ପୂର୍ବତନ ମୁଖ୍ୟ ଏବଂ AIIMS କାଡିଓଲୋଜି ବିଭାଗର ପ୍ରଫେସର । ତାଙ୍କ କହିବା ଅନୁସାରେ, "କୋରୋନାର ନୂଆ ଭାରିଆଣ୍ଟ ଜେଏନ1କୁ ନେଇ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ । କର୍ଣ୍ଣାଟକ ଏବଂ କେରଳରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସରକାରଙ୍କ ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି । ତେଣୁ ଯେଉଁମାନେ ଥରେ କୋଭିଡ ଭ୍ୟାକ୍ସିନ ନେଇଛନ୍ତି, ସେମାନଙ୍କୁ ପୁନଃ ଟିକା ନେବାର କୌଣସି ଆବଶ୍ୟକତା ନାହିଁ । କୋଭିଡ ଟିକା ସହିତ ହୃଦଘାତର କୌଣସି ସମ୍ପର୍କ ନାହିଁ ।"
ଏହା ମଧ୍ୟ ପଢନ୍ତୁ: କର୍ଣ୍ଣାଟକରେ ମାଡୁଛି କୋରୋନା, ସଂକ୍ରମିତଙ୍କ ପାଇଁ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ
ଦେଶରେ ଜେଏନ 1 ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସଚେତନ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି । ମାସ୍କ ପିନ୍ଧିବା ସହିତ କୌଣସି ପ୍ରକାର ଲକ୍ଷଣ ଦେଖାଗଲେ ପରୀକ୍ଷା କରାଇବା ଉଚିତ ବୋଲି କୁହାଯାଇଛି । ପୁଣେର ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ ଏକ ଟିକା ଦ୍ବାରା ଜେଏନ 1 ଭାଇରସକୁ ରୋକିବା ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନକୁ ଆବେଦନ କରିଛନ୍ତି ।
କୋଭିଡ ପରେ ହୃଦଘାତ ଜନିତ ମୃତ୍ୟୁ ବୃଦ୍ଧି ପାଉଛି କି ?
କୋଭିଡ ଟିକାକୁ ନେଇ ଅନେକ ଗୁଜବ ସୃଷ୍ଟି ହୋଇଛି । ଏହି ଟିକା ନେବା ପରେ ହୃଦଘାତ ସହିତ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଉଥିବା ନେଇ ଅଭିଯୋଗ ହୋଇଛି । କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି ଡାକ୍ତର ବଳରାମ ଭାର୍ଗବ । କୋଭିଡ ଟିକାକୁ ଅନେକ ସ୍ତରରେ ପରୀକ୍ଷଣ ପରେ ଏହାକୁ ବ୍ୟବହାର ନିମନ୍ତେ ଅନୁମତି ଦିଆଯାଇଛି । ତେଣୁ ଏହାର କୌଣସି ପାର୍ଶ୍ବ ପ୍ରତିକ୍ରିୟା ନାହିଁ ବୋଲି ସେ କହିଛନ୍ତି । ତେବେ କୋଭିଡ ପରେ ଦକ୍ଷିଣ ଏସିଆ ଦେଶ ଗୁଡିକରେ ଯୁବପିଢିଙ୍କ ମଧ୍ୟରେ ହୃଦଘାତ ମାମଲା ବୃଦ୍ଧି ପାଇବାରେ ଲାଗିଛି । କିନ୍ତୁ ଏହାର କାରଣ କୋଭିଡ ନୁହେଁ ବରଂ ମଧୁମେହ, ଜେନେଟିକ ଏବଂ ଉଚ୍ଚ ରକ୍ତଚାପ ଦାୟୀ ବୋଲି କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ