ହାଇଦ୍ରାବାଦ: ସମଗ୍ର ଦେଶରେ ବିଭିନ୍ନ ପ୍ରାନ୍ତ ବର୍ତ୍ତମାନ ତାତୁଛି । ସୂର୍ଯ୍ୟଙ୍କ ପ୍ରଚଣ୍ଡ ଉତ୍ତାପ କାରଣରୁ ସିଝୁଛି ପୁରା ଭାରତ । ଏହି କ୍ରମରେ ଘରଗୁଡିକୁ ଶୀତଳ ରଖିବା ପାଇଁ ତେଲେଙ୍ଗାନା ସରକାର ଆପଣାଇଛନ୍ତି ନୂଆ ନିୟମ । ସୋମବାର ତେଲେଙ୍ଗାନାରେ ଆରମ୍ଭ ହୋଇଛି କୁଲ୍ ରୁଫ୍ ପଲିସି(ଶୀତଳ ଛାତ ନିୟମ) । ଉତ୍ତାପକୁ ରୋକିବା ସହ ବିଦ୍ୟୁତ୍ ଶକ୍ତି ବ୍ୟବହାର ହ୍ରାସ କରିବା ଉଦ୍ଦେଶ୍ୟରେ ଏପରି ଜୁଗାନ୍ତକାରୀ ପଦକ୍ଷେପ ଆପଣାଇଛନ୍ତି ରାଜ୍ୟ ସରକାର । ଏହି ପଲିସି ଆଣିବାରେ ଦେଶରେ ପ୍ରଥମ ରାଜ୍ୟ ହୋଇପାରିଛି ତେଲେଙ୍ଗାନା ।

ପୌରାଞ୍ଚଳ ଏବଂ ସହର ବିକାଶ ମନ୍ତ୍ରୀ କେ.ଟି ରାମା ରାଓ ରାଜ୍ୟବାସୀଙ୍କୁ ଗ୍ରୀଷ୍ମ ପ୍ରବାହରୁ ରକ୍ଷା କରିବା ପାଇଁ ଏପରି ନୀତି ଆପଣାଇଛନ୍ତି । ଏହି ନୀତି ଚଳିତ ବର୍ଷ 1 ଏପ୍ରିଲରୁ ଲାଗୁ ହୋଇଛି । ମନ୍ତ୍ରୀ କେ.ଟି ରାମା ରାଓ କହିଛନ୍ତି ଯେ, "ତେଲେଙ୍ଗାନା କୁଲ୍ ରୁଫ୍ ପଲିସି 2023-28 ଉତ୍ତାପକୁ ରୋକିବା ଦିଗରେ କାର୍ଯ୍ୟ କରିବ । ଏଥିସହ ଗ୍ରୀଷ୍ମରୁ ରକ୍ଷା ପାଇବା ପାଇଁ ଅଧିକ ବିଦ୍ୟୁତ୍ ଅପଚୟକୁ ମଧ୍ୟ ରୋକିବ । ଏହି କାର୍ଯ୍ୟକ୍ରମ ଆରମ୍ଭ କରି ତେଲେଙ୍ଗାନା ସମଗ୍ର ଦେଶରେ ଏକ ପରିବେଶ ଅନୁକୂଳ ରାଜ୍ୟ ହେବାକୁ ଲକ୍ଷ୍ୟ ରଖିଛି ।" ସେ ଆହୁରି ମଧ୍ୟ କହିଛନ୍ତି ଯେ, ସମସ୍ତ ସରକାରୀ, ସରକାରୀ ମାଲିକାନା, ବେସରକାରୀ ଆବାସିକ ଏବଂ ବାଣିଜ୍ୟିକ କୋଠା, ସାଇଟ୍ କ୍ଷେତ୍ର କିମ୍ବା ବିଲ୍ଟ-ଅପ୍ କ୍ଷେତ୍ର ନିର୍ବିଶେଷରେ ସବୁ ସଂସ୍ଥାନ କୁଲ୍ ରୁଫ୍ ପଲିସି ଆପଣାଇବାକୁ ବାଧ୍ୟ ।

600 ବର୍ଗ ମିଟର ଏବଂ ତଦୁର୍ଦ୍ଧ୍ୱ ପ୍ଲଟ୍ କ୍ଷେତ୍ର ଥିବା ଆବାସିକ କୋଠା ପାଇଁ ମନ୍ତ୍ରୀ କେ.ଟି ରାମା ରାଓ କୁଲ୍ ରୁଫ୍ ପଲିସି ପ୍ରୟୋଗ ବାଧ୍ୟତାମୂଳକ ବୋଲି ଘୋଷଣା କରିଛନ୍ତି । 600 ବର୍ଗ ମିଟରରୁ କମ୍ ପ୍ଲଟ୍ କ୍ଷେତ୍ର ଥିବା ଅଟ୍ଟାଳିକା ପାଇଁ ଏହି ନିୟମ ଇଚ୍ଛାଧୀନ । ମନ୍ତ୍ରୀ ରାମା ରାଓ ବ୍ୟକ୍ତିଗତ ଭାବେ ତାଙ୍କ ଘର ଛାତକୁ କୁଲ୍ ରୁଫ୍ ପଲିସିରେ ଅନ୍ତର୍ଭୁକ୍ତ କରିଛନ୍ତି । ଏହା ଅତ୍ୟନ୍ତ ଲାଭଦାୟକ ବୋଲି ସେ କହିଛନ୍ତି । ବିଲଡର ଏବଂ ଘର ମାଲିକମାନଙ୍କୁ କୁଲ ରୁଫ୍ ପଲିସି ନିର୍ଦ୍ଦେଶାବଳୀ ଗ୍ରହଣ କରିବାକୁ ଉତ୍ସାହିତ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
କୁଲ୍ ରୁଫ୍ ପଲିସି କଣ: କୁଲ୍ ରୁଫ୍ ପଲିସି ହେଉଛି, ଘରର ଛାତରେ କିଛି ପେଣ୍ଟିଂ କିମ୍ବା ଟାଇଲ ପକାଇବା । ଏହା କରିବା ଦ୍ବାରା ସୂର୍ଯ୍ୟଙ୍କ ପ୍ରଚଣ୍ଡ ତାପରୁ ଗୃହକୁ ରକ୍ଷା କରାଯାଇ ପାରିବ । ଫଳରେ ଛାତ ତଳେ ରହୁଥିବା ଲୋକମାନେ ଆରାମ ପାଇବା ସହ ବିଦ୍ୟୁତ୍ ବ୍ୟବହାର 20 ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇପାରିବ । ଏହି ପେଣ୍ଟିଂ କିମ୍ବା ଟାଇଲ୍ ମୂଲ୍ୟ ବର୍ଗ ମିଟର ପିଛା 300 ଟଙ୍କା ହେବ ବୋଲି ମନ୍ତ୍ରୀ କହିଛନ୍ତି । ବିଶେଷଜ୍ଞଙ୍କ କହିବା ଅନୁସାରେ, ପାରମ୍ପାରିକ ଛାତ ଥିବା ଘର ଅପେକ୍ଷା ଶୀତଳ ଛାତ ଘର ଭିତରର ତାପମାତ୍ରା 2.1-4.3 ଡିଗ୍ରୀ କମ୍ ରଖିବାରେ ସାହାଯ୍ୟ କରିଥାଏ । ତେଣୁ ଏହି ନିୟମ ଆପଣାଇବାର ଆବଶ୍ୟକତା ରହିଛି ।