ହାଇଦ୍ରାବାଦ: ଉତ୍ତମ ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ବିଭିନ୍ନ ପ୍ରକାରର ପୋଷକ ତତ୍ତ୍ୱ ଆବଶ୍ୟକତା ରହିଛି । ବିଶେଷ କରି ଜନ୍ମିତ ଶିଶୁଙ୍କୁ ଉପଯୁକ୍ତ ଖାଦ୍ୟ ଯୋଗାଇବା ଆବଶ୍ୟକ, କାରଣ ଜନ୍ମରୁ ସଠିକ୍ ଯତ୍ନ ନିଆଗଲେ ଭବିଷ୍ୟତର ନାନା ଶାରୀରିକ ସମସ୍ୟାରୁ ରକ୍ଷା ମିଳିପାରିବ । ଏଥିପାଇଁ ଗର୍ଭାବସ୍ଥାରୁ ମହିଳାମାନେ ମଧ୍ୟ ସେମାନଙ୍କର ସ୍ୱାସ୍ଥ୍ୟର ସମ୍ପୂର୍ଣ୍ଣ ଯତ୍ନ ନେବା ଉଚିତ୍ । ଗର୍ଭବତୀ ମହିଳା ଭିଟାମିନ୍, ମିନେରାଲ୍ସ, ପ୍ରୋଟିନ୍, କାର୍ବୋହାଇଡ୍ରେଟ୍, ଫ୍ୟାଟ୍ ଏବଂ ଫାଇବର ପରି ପୁଷ୍ଟିକର ଖାଦ୍ୟ ଉପଯୁକ୍ତ ପରିମାଣରେ ସେବନ କରିବା ଆବଶ୍ୟକ ।
ଏଥି ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଭିଟାମିନ୍-ଏ, ଯାହା ଗର୍ଭବତୀ ଏବଂ ଜନ୍ମିତ ଶିଶୁର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଗର୍ଭାବସ୍ଥାରେ ଭିଟାମିନ୍ ଏ ଶିଶୁର ଅଙ୍ଗ, ଆଖି, ହାଡ ଏବଂ କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀର ବିକାଶ ପାଇଁ ଜରୁରୀ । ତେବେ ଭିଟାମିନ୍-ଏ'ର କାହିଁକି ଆବଶ୍ୟକତା ରହିଛି, କେଉଁ ଖାଦ୍ୟରେ ଏହା ମିଳିଥାଏ ସେ' ବାବଦରେ ନିମ୍ନରେ ବର୍ଣ୍ଣନା କରାଯାଇଛି...
ଗର୍ଭାବସ୍ଥାରେ ଭିଟାମିନ୍-ଏ'ର ଆବଶ୍ୟକତା:- ଭିଟାମିନ୍-ଏ ହେଉଛି ଏକ ଚର୍ବିରେ ଦ୍ରବୀଭୂତ ଭିଟାମିନ୍, ଯାହା ଯକୃତରେ ଗଚ୍ଛିତ ହୁଏ । ଏହା ନବଜାତର ବିକାଶ ପାଇଁ ଅତ୍ୟନ୍ତ ଜରୁରୀ, ଯେଉଁଥିରେ ହୃଦୟ, ଫୁସଫୁସ, କିଡନୀ, ଆଖି ଏବଂ ହାଡର ବିକାଶ ସହିତ କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀର ବିକାଶ କରିଥାଏ । ଯେଉଁ ମହିଳାମାନେ ପ୍ରସବ କରିବାକୁ ଯାଉଛନ୍ତି ସେମାନଙ୍କ ପାଇଁ ଭିଟାମିନ-ଏ ବିଶେଷ ଜରୁରୀ, କାରଣ ଏହା ପ୍ରସବ ପରେ ଟିସୁ ପୁନଃଗଠନ କରିବାରେ ସାହାଯ୍ୟ କରିଥାଏ ।
ଏହା ମଧ୍ୟ ପଢନ୍ତୁ:- ସୁସ୍ଥ ପିଲାଟିଏ ଜନ୍ମ ପାଇଁ ବାପାଙ୍କ ସ୍ବାସ୍ଥ୍ୟ ବି ଗୁରୁତ୍ବପୂର୍ଣ୍ଣ
ଭିଟାମିନ-ଏ ମଧ୍ୟ ସାଧାରଣ ଦୃଷ୍ଟିଶକ୍ତି ବଜାୟ ରଖିବାରେ ସାହାଯ୍ୟ କରେ, ସଂକ୍ରମଣ ସହିତ ଲଢେ, ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ଏବଂ ଚର୍ବି ମେଟାବୋଲିଜିମ୍ରେ ସାହାଯ୍ୟ କରେ ।
ଅଧିକ ଭିଟାମିନ୍-ଏ ଖାଇପାରିବେ କି: ଗର୍ଭାବସ୍ଥାରେ ଅଧିକ ଭିଟାମିନ୍-ଏ ଗ୍ରହଣ ନକରିବା ଜରୁରୀ, କାରଣ ଏହା ପ୍ରସବରେ ବାଧା ସୃଷ୍ଟି କରି ଯକୃତର ବିଷାକ୍ତତା ସୃଷ୍ଟି କରିପାରେ । ତେଣୁ ଗର୍ଭାବସ୍ଥାରେ ଆବଶ୍ୟକ ପରିମାଣରେ ଭିଟାମିନ୍-ଏ ଗ୍ରହଣ କରିବା ଆବଶ୍ୟକ । ସମସ୍ତ କ୍ଷେତ୍ରରେ ସନ୍ତୁଳନ ରକ୍ଷା କରିବା ସବୁଠୁ ଗୁରୁତ୍ବପୂର୍ଣ୍ଣ । ଏଥିସହ ମାଆମାନେ ହୁଅନ୍ତୁ ଅବା ପରିବାରବର୍ଗ, ଜଣେ ଗର୍ଭବତୀ ଯେ 2 ଜଣଙ୍କ ପାଇଁ ଖାଇଥାଏ, ସେହି ଭାବନାରୁ ଦୂରେଇ ରହିବା ଉଚିତ୍ ।
କେଉଁ ଖାଦ୍ୟରୁ ଭିଟାମିନ୍-ଏ ମିଳିଥାଏ:- ବିଟା-କାରୋଟିନରେ ଭରପୂର ଫଳ ଏବଂ ପନିପରିବା ଜାତୀୟ ଖାଦ୍ୟ ଭିଟାମିନ୍-ଏ'ର ସର୍ବୋତ୍ତମ ଉତ୍ସ । କନ୍ଦମୂଳ, ପାଳଙ୍ଗ, ଗାଜର, ଭାନିଲା ଆଇସ୍କ୍ରିମ୍, ପନିର, ତରଭୁଜ, ଆମ୍ବ, ଅଣ୍ଡା, ମାଂସ, ଦୁଗ୍ଧ, ମାଛ, ଅଣ୍ଡା ଏବଂ ପ୍ରୋଟିନ ଜାତୀୟ ଖାଦ୍ୟରୁ ମିଳିଥାଏ । ଏହା ଅଧିକାଂଶ ଫଳ ଏବଂ ପନିପରିବାରୁ ମଧ୍ୟ ମିଳିଥାଏ ।