ହାଇଦ୍ରାବାଦ: ଉପଯୁକ୍ତ ଭାବେ ଶାରୀରିକ ଓ ମାନସିକ ଅଭିବୃଦ୍ଧି ଓ ବିକାଶ ପାଇଁ ଜନ୍ମଠାରୁ ହିଁ ଜଣେ ପିଲା ସନ୍ତୁଳିତ ଓ ପୁଷ୍ଟିକର ଖାଦ୍ୟ ଖାଇବା ଆବଶ୍ୟକ । କିନ୍ତୁ ସମୟ ବଦଳିବା ସହିତ ଲୋକଙ୍କ ରୁଚି ମଧ୍ୟ ବଦଳୁଛି । ଘର ତିଆରି ଖାଇବା ପରିବର୍ତ୍ତେ ବାହାର ଖାଦ୍ୟ ଖାଇବା ପାଇଁ ପସନ୍ଦ କରୁଥିବାରୁ ନାନା ପ୍ରକାର ରୋଗ ହେବା ସହିତ ମେଦବୃଦ୍ଧି ମଧ୍ୟ ହୋଇଥାଏ । ଛୋଟ ଛୁଆମାନେ ଜଙ୍କଫୁ଼ଡ ପ୍ରତି ଆକୃଷ୍ଟ ହେବା କାରଣରୁ କମ ବୟସରୁ ସେମାନଙ୍କର ଓଜନ ବୃଦ୍ଧି ପାଉଛି । ତେବେ ଏହାରି ଭିତରେ ଜାତୀୟ ସ୍ତରରେ ଛୋଟ ଛୁଆଙ୍କୁ ନେଇ ଏକ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି । ସମଗ୍ର ଦେଶରେ ଅଙ୍ଗନବାଡି କେନ୍ଦ୍ରଗୁଡିକର ଏକ ସର୍ବେକ୍ଷଣରେ ଜନ୍ମରୁ ପାଞ୍ଚ ବର୍ଷ ବୟସର ପିଲାମାନଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି ।
ଦେଶରେ ଜନ୍ମରୁ 5 ବର୍ଷ ମଧ୍ୟରେ ପ୍ରାୟ 43 ଲକ୍ଷରୁ ଅଧିକ ଶିଶୁ ମେଦବହୁଳତା ଶିକାର ହୋଇଥିବା ନେଇ ଏକ ତଥ୍ୟରୁ ଜଣାପଡିଛି । ତେବେ ସାରା ଦେଶରେ ପରିଚାଳିତ ଅଙ୍ଗନବାଡି କେନ୍ଦ୍ର ଗୁଡିକରେ 6 ପ୍ରତିଶତ ଲେଖାଏଁ ପିଲା ଉଭୟ କୁପୋଷଣ ଏବଂ ମେଦବହୁଳତାର ଶିକାର ହେଉଛନ୍ତି ।
ତେବେ ସର୍ଭେ ପାଇଁ ସରକାରଙ୍କ ଦ୍ବାରା ଚାଳିତ ଗ୍ରାମୀଣ ଶିଶୁ ଯତ୍ନ କେନ୍ଦ୍ର ଏବଂ ବିକାଶ ମନିଟରିଂ ଆପ୍ 'ପୋଷଣ ଟ୍ରାକର'ରୁ ତଥ୍ୟ ସଂଗ୍ରହ କରାଯାଇଥିଲା । ତେବେ ଏହି ସର୍ଭେରେ 0-5 ବର୍ଷ ବୟସର 7,24,56,458 ପିଲାଙ୍କୁ ଏହି ସର୍ଭେରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଏଥିମଧ୍ୟରୁ ପ୍ରାୟ ଛଅ ପ୍ରତିଶତ କିମ୍ବା 43,47,387 ପିଲାଙ୍କୁ ମୋଟା ବା ମେଦବହୁଳତାର ଶିକାର ହୋଇଥିବା ଜଣାପଡିଥିଲା । ସର୍ଭେରୁ ଏହା ମଧ୍ୟ ଜଣାପଡିଛି ଯେ ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ବିହାର, ରାଜସ୍ଥାନ, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ ସମେତ 13ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ମେଦବୃଦ୍ଧି ହାର ଜାତୀୟ ହାର ଠାରୁ 6 ପ୍ରତିଶତ ଅଧିକ ଅଟେ ।
ଏହା ମଧ୍ୟ ପଢନ୍ତୁ: Lancet Survey: ବିଶେଷଜ୍ଞଙ୍କ ମତ, ମେଦବହୁଳତା ମଧୁମେହ ଏବଂ ଉଚ୍ଚରକ୍ତଚାପର ମୂଳ କାରଣ
ତେବେ ଦିନକୁ ଦିନ ଛୋଟ ଛୁଆଙ୍କ କ୍ଷେତ୍ରରେ ମେଦବୃଦ୍ଧି ହାର ବୃଦ୍ଧି ପାଇବାରେ ଲାଗିଛି । ଯାହାକି ଚିନ୍ତାଜନକ ବିଷୟ ପାଲଟିଛି । NHFS-4 (2015-16) ଏବଂ NFHS-5 (2019-2021)ର ତଥ୍ୟ ଅନୁଯାୟୀ, NFHS-4 ତୁଳନାରେ NFHS-5ରେ ପାଞ୍ଚ ବର୍ଷରୁ କମ୍ ପିଲାଙ୍କ ଓଜନ ଅଧିକ । ସୂଚନାଯୋଗ୍ୟ ଯେ ଗତ ବର୍ଷ 'ପୋଷଣ ଟ୍ରାକର୍' ଆରମ୍ଭ ହେବା ପୂର୍ବରୁ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (NFHS) ଅଧୀନରେ ତଥ୍ୟ ସଂଗ୍ରହ କରାଯାଇଥିଲା ।
NFHS-5ରେ ସଂଗୃହିତ ତଥ୍ୟରୁ ଜଣାପଡିଛି ଯେ ମିଜୋରାମ, ଅରୁଣାଚଳ ପ୍ରଦେଶ ଏବଂ ଜାମ୍ମୁ କାଶ୍ମୀରରେ ପାଞ୍ଚ ବର୍ଷରୁ କମ୍ ବୟସର ଛୁଆଙ୍କ କ୍ଷେତ୍ରରେ ଅଧିକ ଓଜନ ଦେଖାଦେଇଛି । ଏହାପରେ ରହିଛି ସିକିମ ଏବଂ ତ୍ରିପୁରା । ଅନ୍ୟପଟେ ମଧ୍ୟପ୍ରଦେଶ, ବିହାର ଏବଂ ଆନ୍ଧ୍ରପ୍ରଦେଶରେ ପାଞ୍ଚ ବର୍ଷରୁ କମ୍ ଓଜନ ବିଶିଷ୍ଟ ପିଲାମାନଙ୍କର ସର୍ବନିମ୍ନ ପ୍ରତିଶତ ରହିଛି । ତାମିଲନାଡୁ ଏବଂ ଗୋଆ ବ୍ୟତୀତ ପ୍ରତ୍ୟେକ ରାଜ୍ୟରେ, NFHS-4 ତୁଳନାରେ NFHS-5 ରେ ପାଞ୍ଚ ବର୍ଷରୁ କମ୍ ଓଜନ ବିଶିଷ୍ଟ ଶିଶୁଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି ।
ନିକଟରେ ଓ୍ବାର୍ଲ୍ଡ ଅବେସିଟି ଫେଡେରେସନ୍ ଦ୍ୱାରା ପ୍ରକାଶିତ ଏକ ବିଶ୍ୱସ୍ତରୀୟ ଅଧ୍ୟୟନରୁ ଜଣାପଡିଛି ଯେ ପିଲାମାନଙ୍କ କ୍ଷେତ୍ରରେ ମେଦବହୁଳତା ସାରା ବିଶ୍ୱରେ ଏକ ଗମ୍ଭୀର ଚିନ୍ତାର ବିଷୟ ସାଜିଛି । ତେବେ ଅଧ୍ୟୟନର ରିପୋର୍ଟରେ ଏହା ମଧ୍ୟ ଚେତାବନୀ ଦିଆଯାଇଛି ଯେ, ଯଦି ଏହି ସମସ୍ୟାର ତୁରନ୍ତ ସମାଧାନ କରାନଯାଏ ତେବେ ଭାରତରେ 2035 ସୁଦ୍ଧା ବାର୍ଷିକ ହାର 9.1 ପ୍ରତିଶତ ବୃଦ୍ଧି ପାଇପାରେ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ