ରାଉରକେଲା: ସ୍ବାଧିନତାକୁ ପୁରିଲା ୭୫ ବର୍ଷ । ତଥାପି ଗ୍ରାମରେ ପହଞ୍ଚିପାରିନି ବିକାଶ । ଉପାନ୍ତ ଅଞ୍ଚଳଗୁଡିକୁ ଯୋଜନା ମାଧ୍ୟମରେ କିପରି ବିକାଶ ହୋଇପାରିବ ସେ ନେଇ ମଧ୍ୟ ଯୋଜନା କରୁଛନ୍ତି । କିନ୍ତୁ ଆଜି ମଧ୍ୟ ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ । ଏଭଳି ଏକ ଗ୍ରାମ ରହିଛି ଟେନସା ଅଞ୍ଚଳର ବାହାମ୍ବା ଗ୍ରାମ । ପିଇବା ପାଣି ଠାରୁ ଆରମ୍ଭ କରି ବିଜୁଳି ଓ ରାସ୍ତାରୁ ବଞ୍ଚିତ ଗ୍ରାମବାସୀ । ଯଦି ଆଗାମୀ ନିର୍ବାଚନ ଭିତରେ ସମସ୍ୟାର ସମାଧାନ ନହୁଏ ତେବେ ଭୋଟ ବର୍ଜନ ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।
ସାରା ଦେଶରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଆଜି ମଧ୍ୟ ଲୋକଙ୍କ ପାଖରେ ନାହିଁ ପିଇବା ପାଇଁ ପାଣି । କେବଳ ଯେ ପାଣି ନୁହେଁ ଏଭଳିକି ଆଜିବି ଲୋକଙ୍କ ଘରେ ପହଞ୍ଚି ପାରିନାହିଁ ବିଜୁଳି ଆଲୁଅ । ଆଜିବି ଲୋକଙ୍କ ସାହାରା ଚୁଲି ଖଣ୍ଡିଏ । ଉପାନ୍ତ ଅଞ୍ଚଳରେ ସରକାରୀ ସାହଯ୍ୟ ଅପହଞ୍ଚ । ଉଭୟ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଲୋକଙ୍କ ଉନ୍ନତିର ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବରେ ଚିତ୍ର ସମ୍ପୂର୍ଣ୍ଣ ଅଲଗା । ଆଜିବି ଉପାନ୍ତ ଅଞ୍ଚଳ ସରକାର ଏବଂ ପ୍ରଶାସନ ପାଖରୁ ସମ୍ପୂର୍ଣ୍ଣ ଭାବରେ ବିଚ୍ଛିନ୍ନ । ସୁନ୍ଦରଗଡ଼ ଜିଲ୍ଲାର ଖଣି ଖାଦାନ ଭରା କୋଇଡା ବ୍ଲକ ଟେନସା ଗ୍ରାମପଞ୍ଚାୟତ ଅଧିନସ୍ଥ ବାହାମ୍ବା "କ" ଗ୍ରାମରେ ନାହି ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ। ଯେଉଁ ଅଞ୍ଚଳରୁ ରାଜ୍ୟ ସରକାର ବର୍ଷକୁ ହଜାରହଜାର କୋଟି ଟଙ୍କାର ରାଜସ୍ୱ ପାଉଛନ୍ତି ସେହି ଅଞ୍ଚଳ ସରକାରୀ ଯୋଜନାରୁ ବଞ୍ଚିତ ହୋଇଛି । ଗ୍ରାମଟି ପଞ୍ଚାୟତ ଅଫିସରୁ ମାତ୍ର ଦେଢ଼ କିଲୋମିଟର ଏବଂ ବ୍ଲକ ଅଫିସରୁ ମାତ୍ର ୧୫ କିଲୋମିଟର ଦୂରରେ ରହିଛି । ତେବେ ସବୁଠାରୁ ବିଡମ୍ବନାର ବିଷୟ ଯେ ଏଠାରେ ଆଜି ଯାଏଁ ସ୍ଥାନୀୟ ବିଧାୟକ ବା ସୁନ୍ଦରଗଡ଼ ଜିଲ୍ଲାର ପ୍ରଶାସନିକ ଅଧିକାରୀଙ୍କ ପାଦ ପଡିନି। ଏନେଇ ଗ୍ରାମବାସୀ ଅଭିଯୋଗ କରି କହିଛନ୍ତି, "ନିର୍ବାଚନ ବେଳେ କେବଳ ମିଛ ପ୍ରତିଶୃତି ମିଳୁଛି । କିନ୍ତୁ ସମୟ ଆସିଲା ବେଳକୁ ଭୁଲିଯାଉଛନ୍ତି ନେତା ମନ୍ତ୍ରୀ । "
ଏହା ମଧ୍ୟ ପଢନ୍ତୁ: Turkey earthquake: ୟୁରୋପୀୟ କ୍ଷେତ୍ରର ଶତାବ୍ଦୀର ବଡ ବିପର୍ଯ୍ୟୟ କହିଲେ WHO
ତେବେ ଗ୍ରାମର ରାସ୍ତା ପାଇଁ ଟେଣ୍ଡର ବ୍ୟୟ ଅଟକଳ ହୋଇ ବୋର୍ଡ ଲାଗିଛି କିନ୍ତୁ କାମ ଫଳକରେ ହିଁ ରହିଯାଇଛି । ମନରେଗା ଯୋଜନାରେ ୨୦୨୦-୨୧ରେ ୫ ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ ରାସ୍ତାର ଉନ୍ନତିକରଣ କରାଯିବ ବୋଲି ବୋର୍ଡ ଲଗା ଯାଇଛି କିନ୍ତୁ ରାସ୍ତା ନିର୍ମାଣ ତ ଦୂରର କଥା ଗାଁରେ ରାସ୍ତା ପାଇଁ ମେଟାଲ ଖଣ୍ଡିଏ ପଡି ପାରିନାହିଁ । ତେବେ ଅଭିଯୋଗ ନେଇ ବାରମ୍ବାର ନେତା ମନ୍ତ୍ରୀ ସହ ପଞ୍ଚାୟତ ଅଫିସଠାରୁ ଆରମ୍ଭ କରି ବିଧାୟକ ସାଂସଦ ପର୍ଯ୍ୟନ୍ତ ଏବଂ ସରକାରୀ ବାବୁ ପର୍ଯ୍ୟନ୍ତ ଦାବି ଜଣାଇଛନ୍ତି ଗ୍ରାମବାସୀ କିନ୍ତୁ ଫଳ ଶୂନ । ତେବେ ଯଦି ଏହି ବ୍ୟବସ୍ଥା ଏଥର ଠିକ ଭାବେ ପ୍ରଶାସନ ଏବଂ ଲୋକ ପ୍ରତିନିଧି କେହି ନଶୁଣନ୍ତି ତେବେ ଆଗାମୀ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି କହିଛନ୍ତି ଗ୍ରାମବାସୀ । ଅନ୍ୟପଟେ ବଣାଇ ବିଧାୟକ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ।
ଇଟିଭି ଭାରତ, ସୁନ୍ଦରଗଡ