ପୁରୀ: ଆଜି ପବିତ୍ର ପୌଷ ପୂର୍ଣ୍ଣିମା । ଶ୍ରୀମନ୍ଦିରରେ ହେବ ପୁଷ୍ୟାଭିଷେକ ନୀତି । ଦୁଇଟି ଦୁର୍ଲ୍ଲଭ ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି ।ଦ୍ୱାଦଶ ଯାତ୍ରା ମଧ୍ୟରେ ଅନ୍ୟତମ ଏହି ନୀତିକୁ ମହାପ୍ରଭୁଙ୍କ ପୁଷ୍ୟାଭିଷେକ ବା ଦେବାଭିଷେକ ନୀତି ମଧ୍ୟ କୁହାଯାଏ । ଆଜି ଏହି ଦୁର୍ଲ୍ଲଭ ବେଶରେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ପୁରୀରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ହୋଇଛି ।
- ଆଜି ପୁଷ୍ୟାଭିଷେକ ନୀତି
ଆଜି ରତ୍ନସିଂହାସନରେ ଶ୍ରୀଜୀଉମାନେ ରାଜରାଜେଶ୍ୱର ବେଶ ବା ସୁନାବେଶରେ ଦର୍ଶନ ଦେବେ । ପବିତ୍ର ପୌଷ ପୂର୍ଣ୍ଣିମାରେ ସୁନାବେଶ ସହ ମହାପ୍ରଭୁଙ୍କ ପୁଷ୍ୟାଭିଷେକ ନୀତି ମଧ୍ୟ ସମ୍ପନ୍ନ ହେବ । ପୁରାଣ ଅନୁଯାୟୀ ଆଜିର ତିଥିରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଚନ୍ଦ୍ର ଅଯୋଧ୍ୟା ରାଜସିଂହାସନରେ ଅଭିଷିକ୍ତ ହୋଇଥିଲେ । ପୌଷ ପୂର୍ଣ୍ଣିମା ଦିନ ରାମଚନ୍ଦ୍ର 14 ବର୍ଷ ବନବାସ ପରେ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରି ରାଜ୍ୟଭାର ଗ୍ରହଣ କରିବା ପୂର୍ବରୁ ତାଙ୍କର ରାଜ୍ୟଭିଷେକ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହାକୁ ଆଧାର କରି ପ୍ରତିବର୍ଷ ଏହିଦିନ ଦେବ ମନ୍ଦିରମାନଙ୍କରେ ଠାକୁରମାନଙ୍କର ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହୋଇଆସୁଛି ।
- ରାଜାଧିରାଜ ବେଶ ବା ରାଜରାଜେଶ୍ବ ବେଶ
ଶ୍ରୀ ମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କ ଅଭିଷେକ ଉତ୍ସବ ରାଜାଙ୍କ ଅଭିଷେକ ନୀତି ଅନୁସାରେ ପାଳିତ ହୁଏ । ଏହି ଅଭିଷେକ ଉତ୍ସବକୁ ଚର୍ମଚକ୍ଷୁରେ ଦର୍ଶନ କଲେ ଦର୍ଶନାର୍ଥୀ ଶ୍ରଦ୍ଧାଳୁ ପାପମୁକ୍ତ ହୋଇ ବୈକୁଣ୍ଠପୁରୀ ପ୍ରାପ୍ତହୁଏ ବୋଲି ବିଶ୍ୱାସ କରାଯାଏ । ଶ୍ରୀଜଗନ୍ନାଥ ଚେତନାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ରାଜାଧିରାଜ । ସେ ଦେବାଧିଦେବ । ତେଣୁ ପୌଷ ପୂର୍ଣ୍ଣିମାରେ ଶ୍ରୀମନ୍ଦିରର ରତ୍ନସିଂହାସନରେ ତାଙ୍କର ଅଭିଷେକ ଉତ୍ସବ ଅନୁଷ୍ଠିତ ହୋଇଥାଏ । ଏହି ଉପଲକ୍ଷେ ଶ୍ରୀ ଜଗନ୍ନାଥଙ୍କର ଏକ ସ୍ୱତନ୍ତ୍ର ପୁଷ୍ପବେଶ ଅନୁଷ୍ଠିତ ହୁଏ । ସେଥିରେ ଶ୍ରୀ ଜଗନ୍ନାଥ, ବାଉଁଶ ପାତିଆ, କୁନ୍ଦ ଓ ରଜନୀଗନ୍ଧା ଫୁଲରେ ତିଆରି ପୁଷ୍ପ ଧନୁ ଓ ପୁଷ୍ପ ତୀର ସହିତ ଶଙ୍ଖ, ଚକ୍ର, ଗଦା, ପଦ୍ମ, ଖଡ୍ଗ, ଢାଲ ଏବଂ ହଳ ଓ ମୂଷଳ ଧାରଣ କରିଥାନ୍ତି । ଏହା ତାଙ୍କର ଏକ ଐଶ୍ୱର୍ଯ୍ୟ ବେଶ ।ସ୍କନ୍ଦପୁରାଣ’ ଅନୁସାରେ, ଶ୍ରୀ ଜଗନ୍ନାଥଙ୍କର ଏହି ଉତ୍ସବ ଅବଲୋକନ କଲେ ଅନ୍ତିମ କାଳରେ ବିଷ୍ଣୁପଦ ଲାଭ ହୋଇଥାଏ ବୋଲି ବିଶ୍ବାସ ରହିଛି ।
ଏହା ମଧ୍ୟ ପଢନ୍ତୁ :- ୨୦ରୁ ପୁରୀ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା, ପରିକ୍ରମା ପ୍ରକଳ୍ପର ଡିଜାଇନରେ ହେବ ପରିବର୍ତ୍ତନ ଏହା ମଧ୍ୟ ପଢ଼ନ୍ତୁ...ନୂଆବର୍ଷରୁ ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥା, ଖୁବଶୀଘ୍ର ହେବ ଟ୍ରାଏଲ ରନ୍ ଏହା ମଧ୍ୟ ପଢ଼ନ୍ତୁ...ପୁରୀରେ ପ୍ରବାସୀଙ୍କ ଭିଡ, ମହାପ୍ରଭୁଙ୍କ ଦର୍ଶନ ସହ ନେଉଛନ୍ତି ଭ୍ରମଣ ମଜା |
- ଆଜି ମହାପ୍ରଭୁଙ୍କ ନବାଙ୍କ ବେଶ
ସେପଟେ ଆଜି ମଧ୍ୟ ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ନବାଙ୍କ ବେଶ । ପରମ୍ପରା ଅନୁଯାୟୀ ମକର ସଂକ୍ରାନ୍ତି ପୂର୍ବଦିନ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନବାଙ୍କ ବେଶ ସହ ଚାଉଳ ମେଳାଣ ଓ ଫୁଲ ମେଳାଣ ଉତ୍ସବ ଅନୁଷ୍ଠିତ ହୁଏ । ଆଜି ସନ୍ଧ୍ୟା ଆଳତି ବେଶରେ ମାଳଚୂଳମାନ ଖୁଣ୍ଟିଆ ଓ ପୁଷ୍ପାଳକ ସେବକଙ୍କ ସହାୟତାରେ ଠାକୁରମାନଙ୍କୁ ଲାଗି କରାଯାଇଥାଏ । ଉକ୍ତ ଦିନ ମହାପ୍ରଭୁଙ୍କ ବଡ଼ସିଂହାର ବେଶରେ ସୋଲ ଓ ଜରି, କଇଁଥ ଅଠାରେ ପ୍ରସ୍ତୁତ ଶଙ୍ଖ, ଚକ୍ର, ହଳ, ମୁଷକ, କୁଣ୍ଡଳ ଡଡଗୀ ଇତ୍ୟାଦି ଜଗନ୍ନାଥ , ବଳଭଦ୍ର ଓ ସୁଭଦ୍ରାଙ୍କୁ ଲାଗି କରାଯାଇଥାଏ । ଏହି ବେଶରେ ଜଗନ୍ନାଥ ଓ ବଳଭଦ୍ର ଯଥାକ୍ରମେ ସୋଲ ନିର୍ମିତ ମକର କୁଣ୍ଡଳ ଓ ଶଙ୍ଖ, ଚକ୍ର, ହଳ,ମୁଷକ ଇତ୍ୟାଦି ଧାରଣ କରିଥାନ୍ତି । ଏହି ବେଶ ନବାଙ୍କ ବେଶ ରୂପେ ପରିଚିତ । ଏହି ବେଶର ପ୍ରବର୍ତ୍ତକ ହେଉଛନ୍ତି ଶ୍ରୀଚୈତନ୍ୟ ଦେବ । ପୂର୍ବେ ଏହି ବେଶର ସାମଗ୍ରୀ ଦକ୍ଷିଣପାର୍ଶ୍ୱ ମଠ ଯୋଗାଇ ଆସୁଥିଲେ । ଗତ କିଛି ବର୍ଷ ଧରି ସମ୍ପୃକ୍ତ ମଠ ବେଶ ସାମଗ୍ରୀ ଯୋଗାଉ ନଥିବା ଜଣାଯାଏ । ସଂପ୍ରତି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଏହି ବେଶର ସମସ୍ତ ଖର୍ଚ ନିର୍ବାହ କରାଯାଉଅଛି । ନବାଙ୍କ ବେଶରେ ଠାକୁରମାନଙ୍କ ଶିରରୁ ରତ୍ନସିଂହାସନ ଚଟାଣ ଯାଏଁ ଗେଣ୍ଡୁଫୁଲର ମାଳରେ ସୁସଜ୍ଜିତ କରାଯାଏ ।
- ବଡ଼ସିଂହାର ବେଶରେ କଣ ପିନ୍ଧତି ଚୁତୁର୍ଦ୍ଧାମୂର୍ତ୍ତି:-
ବଡ଼ସିଂହାର ବେଶରେ ଦେବତାମାନଙ୍କୁ ଅଳଙ୍କୃତ କରୁଥିବା ଚିତା, ଗୁଣା, କରପଲ୍ଲବ,ଅଧରମାଳା ଓ ଶ୍ରୀପୟର ମାଳା ମଧ୍ୟ ପ୍ରଧାନତଃ ଗେଣ୍ଡୁ ଫୁଲରେ ନିର୍ମିତ ହୋଇଥାଏ । ହୃଦ ପଦକରେ ଗେଣ୍ଡୁ ଫୁଲ ସହିତ ଗୋଲାପ ଫୁଲର ସମ୍ମିଶ୍ରଣ ଘଟିଥାଏ । ସାଧାରଣ ଦିନମାନଙ୍କରେ ଚାରି ପାଞ୍ଚଟି ମାଳ ଲାଗୁଥିଲେ ମଧ୍ୟ ନବାଙ୍କ ବେଶ ଦିନ ଦଶ ପନ୍ଦରଟି ମାଳ ଲାଗିହୁଏ । ଏହି ଦିନ ଲାଗୁଥିବା ଶିର ଭୂଷଣ ଓ ଟୋପରଗୁଡିକ ତୁଳସୀପତ୍ରଦ୍ୱାରା ପ୍ରସ୍ତୁତ ହୋଇଥାଏ ଏବଂ ସେହି ଟୋପର ଉପରେ ଗେଣ୍ଡୁଫୁଲର ମାଳା ଗୁଡା ଯାଇଥାଏ । ମକର ସଂକ୍ରାନ୍ତି ପୂର୍ବଦିନ ଅନୁଷ୍ଠିତ ହେଉଥିବା ଏହି ବେଶରେ ବହୁଳ ଭାବରେ ଗେଣ୍ଡୁ ଫୁଲ ବ୍ୟବହାର ହେଉଥିବା କାରଣ ହେଉଛି ଏହି ସମୟରେ ଅଧିକ ଗେଣ୍ଡୁଫୁଲ ମିଳେ ।
- ନବାଙ୍କ ବେଢାର ତାତ୍ପର୍ଜ୍ୟ
ନବାଙ୍କ ବେଶ ସହିତ ନବାଙ୍କ ବେଢାର ମଧ୍ୟ ତାତ୍ପର୍ଯ୍ୟ ରହିଛି । ଏହି ଦିନ ବଡ଼ସିଂହାର ଭୋଗ ପରେ ମଦନମୋହନ ଦକ୍ଷିଣ ଘରୁ ବିଜେ କରି ରତ୍ନସିଂହାସନକୁ ଆସନ୍ତି । ସେଠାରୁ ଆଜ୍ଞାମାଳ ପାଇ ରତ୍ନ ସିଂହାସନକୁ ସାଢେ ଚାରିଥର ପ୍ରଦକ୍ଷଣ କରି ବଟମୂଳେ ଥିବା ପାଲିଙ୍କିରେ ବିଜେ କରି ଦେଉଳ ଚାରିପାଖକୁ ସାଢେ ଚାରିଥର ପ୍ରଦକ୍ଷିଣ କରନ୍ତି ।
ଇଟିଭି ଭାରତ, ପୁରୀ