ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲା ଟାଙ୍ଗରପାଲି ତସଲାଡିହି ଓ ମହୁଲପାଲି ଧାନ ମଣ୍ଡିରେ ଲାଗି ରହିଥିବା ସମସ୍ୟାକୁ ନେଇ କେତେକ ଚାଷୀ ଜିଲ୍ଲାପାଳଙ୍କ ସିଧା ସଳଖ ହସ୍ତକ୍ଷେପ ଲୋଡିଥିଲେ । ଏହି ଦୁଇଟି ମଣ୍ଡିରେ ସରକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ନିୟମର ଖୋଲାଖୋଲି ଭାବେ ଉଲଙ୍ଘନ କରାଯାଉଥିବା ନେଇ ଜିଲ୍ଲାପାଳଙ୍କୁ ସୂଚନା ଥିଲା । ସେହି ସୂଚନାକୁ ଆଧାର କରି ଯାଞ୍ଚ କରିବା ପାଇଁ ଜିଲ୍ଲାପାଳ ଟାଙ୍ଗରପାଲି ତହସିଲଦାର, ସୁନ୍ଦରଗଡ ସି.ଏସ୍.ଓ ଙ୍କୁ ନେଇ ମହୁଲପାଲି ମଣ୍ଡିରେ ପହଞ୍ଚିଥିଲେ ।
ଧାନ କିଣା ବିକା, ଧାନ ଉଠାଣ ତଥା ଟୋକନ ଆଦିରେ ସମସ୍ୟା ତାଙ୍କ ନଜରକୁ ଆସିଥିଲା । ମହୁଲପାଲି ଲ୍ୟାମ୍ପସର ଏମ୍.ଡି ଙ୍କୁ ସେ ଘଟଣାସ୍ଥଳରେ ତାଗିଦ କରିବା ସହ ମହୁଲପାଲି ଲ୍ୟାମ୍ପସ ଅଫିସକୁ ଯାଇ ତଦନ୍ତ କରିଥିଲେ । ପ୍ରକୃତ ଚାଷୀଙ୍କୁ ଚିହ୍ନଟ କରିବା, ତାଙ୍କର ଜମିବାଡିର ସଠିକ ତଥ୍ୟ ରଖିବା ଓ ଚାଷୀଙ୍କ ଠାରୁ ଯେପରି ନିର୍ଦ୍ଧିଷ୍ଟ ମାନର ଧାନ ମିଳିବ ଏବଂ ସେହି ଧାନ କିଣା ବିକାରେ ଯେପରି ଚାଷୀ ମାନେ ଦୁର୍ନୀତିର ଶିକାର କିମ୍ବା କାହା ଦ୍ୱାରା ଶୋଷିତ ନହୁଅନ୍ତି ସେଥିପାଇଁ ସେ ଦୃଷ୍ଟି ଦେବେ ବୋଲି କହିଥିଲେ ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ