ସୁନ୍ଦରଗଡ଼: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ବନମାଳୀ ନାଏକଙ୍କୁ ଗିରଫ କରିଛି ଭିଜିଲାନ୍ସ। ଦୁଇ କୋଟି 71ଲକ୍ଷ ଟଙ୍କାର ସମ୍ପତ୍ତି ଜବତ କରାଯାଇଛି।
ଗତ ଶନିବାର ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବନମାଳୀ ନାଏକଙ୍କ ଘରେ ଚଢ଼ାଉ ହୋଇଥିଲା। ଏକ କାଳୀନ ପାଞ୍ଚଟି ସ୍ଥାନରେ ଭିଜିଲାନ୍ସର 5ଟି ଟିମ ଚଢ଼ାଉରେ ନିୟୋଜିତ ହୋଇଥିଲେ। ଭିଜିଲାନ୍ସ ହାତରେ ଲାଗିଥିବା ସମ୍ପତ୍ତିର ସଠିକ ତଥ୍ୟ ଦେଇ ପାରି ନାହାଁନ୍ତି ବନମାଳୀ । ଏନେଇ ରାଉରକେଲା ଭିଜିଲାନ୍ସ ବିଭାଗ ମାମଲା କେସ ନମ୍ବର- 8ରେ ମାମଲା ରୁଜ୍ଜୁ କରି ଦଫା- U/s 13(2) r/w 13(1)(b)/12 ପିସି ଧାରା, 1988 ପିସି ଧାରା ସଂଶୋଧିତ 2018 ରେ ଭିଜିଲାନ୍ସ ବିଭାଗ ତାଙ୍କୁ କୋର୍ଟ ଚାଲାଣ କରିଛି।
ବନମାଳୀ 2.71 କୋଟି ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା କଥା ଭିଜିଲାନ୍ସ ପ୍ରକାଶ କରିଛି । ସମ୍ପତ୍ତି ତାଲିକାରେ ଭିଜିଲାନ୍ସ ହାତରେ ଲାଗିଛି ନଗଦ 2 ଲକ୍ଷ 98 ହଜାର ଟଙ୍କା। କେନ୍ଦୁଆପଡ଼ା ନିକଟ ଗୋଟିଏ ତିନି ମହଲା କୋଠା, ଯାହାର ମୂଲ୍ୟ ଏକ କୋଟି 11 ଲକ୍ଷ ଟଙ୍କା ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। 47.70 ଲକ୍ଷ ଟଙ୍କା ମୂଲ୍ୟର ଅନ୍ୟ ଏକ ତିନି ମହଲା କୋଠା , କିଞ୍ଜିରକେଲା କୁକୁରିଡିହିରେ ଏକ ମହଲା କୋଠା (Rs.15 Lakhs ), ସ୍ଥାୟୀ ଜମାପୁଞ୍ଜି, 62.27 ଲକ୍ଷ ଟଙ୍କାର ବୀମା, ପାଖାପାଖି 217 ଗ୍ରାମ ଓଜନର ସୁନା ଅଳଙ୍କାର ଏବଂ 682ଗ୍ରାମର ରୂପା ଅଳଙ୍କାର (ମୂଲ୍ୟ 10.45 ଲକ୍ଷ ଟଙ୍କା) ଜବତ କରାଯାଇଛି। ସେହିପରି ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ 4ଟି ପ୍ଲଟ ଜବତ କରିଛି ଭିଜିଲାନ୍ସ। ଏଥିସହ ଦୁଇଟି ବାଇକ ଓ 14 ଲକ୍ଷ ମୂଲ୍ୟର Household articles ସହ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଭିଜିଲାନ୍ସ ଜବତ କରିଛି।
ସୁନ୍ଦରଗଡ଼ରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ