ସୁନ୍ଦରଗଡ: ଖୁଟେନପାଲି ଜଙ୍ଗଲ ଗ୍ରାମକୁ ରାଜସ୍ୱ ଗ୍ରାମରେ ପରିଣତ କରିବା ନେଇ ପ୍ରଶାସନିକ ପଦକ୍ଷେପ ଆରମ୍ଭ । ପ୍ରଶାସନର ଏହି ପଦକ୍ଷେପକୁ ପ୍ରଶଂସା କଲେ ଗ୍ରାମବାସୀ । ଶହ ଶହ ବର୍ଷ ଧରି ରହି ଆସୁଥିବା ଏହି ବନବାସୀ ମାନେ ଏବେ ରାଜସ୍ୱ ସ୍ୱୀକୃତି ପାଇବାକୁ ନେଇ ବେସ ଖୁସି ଅଛନ୍ତି । ଏ ନେଇ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାର ପଦକ୍ଷେପ ଆରମ୍ଭ ସାଙ୍ଗକୁ ପ୍ଲେନ ଟେବଲ ସର୍ଭେ ମଧ୍ୟ ସରିଥିବା କଥା ଜଣା ପଡିଛି । ଗତକାଲିଏ ନେଇ ସମ୍ମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ,ସୁନ୍ଦରଗଡ ରାମକୃଷ୍ଣ ଗୋଣ୍ଡ ( Ramkrishna Gond ) ଖୁଟେନପାଲିରେ ପହଞ୍ଚି ବନବାସୀଙ୍କ ସହ ଆଲୋଚନା କରିଥିଲେ । ଏଥି ସହ ସେମାନଙ୍କୁ ରାଜସ୍ୱ ଗ୍ରାମ ପାଇଁ ପ୍ରସ୍ତୁତ ହୋଇଥିବା ବ୍ଲୁ ପ୍ରିଣ୍ଟ ଦେଖାଇଥିଲେ।
ପୂର୍ବରୁ ଏନେଇ ଏରିଏଲ ସର୍ଭେ ମଧ୍ୟ ସରିଛି । ତେବେ ଗତ ଦୁଇ ମାସ ଧରି ଏହି ଜଙ୍ଗଲ ଗ୍ରାମର ପ୍ରାୟ 391 ଏକର ଜମିକୁ ଚିହ୍ନଟ କରାଯାଇଛି । ଏହାପରେ ସମସ୍ତ ତଥ୍ୟ ବୋର୍ଡ ଅଫ ରେଭିନ୍ୟୁକୁ ହସ୍ତାନ୍ତର କରାଯିବ ବୋଲି ସେ କହିଛନ୍ତି । ତେବେ ଦୀର୍ଘ ବର୍ଷ ଧରି ଏହି ବନବାସୀଙ୍କ ସ୍ୱତନ୍ତ୍ର ପରିଚୟ ନଥିବା ବେଳେ ଏବେ ତାହା ରାଜସ୍ୱ ଗ୍ରାମର ମାନ୍ୟତା ପାଇବାକୁ ଯାଉଥିବା କଥା ଜଣା ପଡିଛି । ଏହି ଖୁସିରେ ଆଜି ଖୁଟେନପାଲି ବନବାସୀ ଆଦିବାସୀଙ୍କ ପରମ୍ପରାଗତ ବାଦ୍ୟ ଯନ୍ତ୍ର ବଜାଇ ଆଖପାଖ ଅଞ୍ଚଳକୁ ଶବ୍ଦ ଯୋଗେ ବାର୍ତ୍ତା ଦେଇଛନ୍ତି । ରାଜସ୍ୱ ଗ୍ରାମର ମାନ୍ୟତା ପାଇଲେ ଗ୍ରାମବାସୀଙ୍କ ଜୀବନ ଶୈଳୀ ବଦଳିବ ବୋଲି ଆଶା ରଖିଛନ୍ତି ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ