ସୁନ୍ଦରଗଡ: ସ୍ପେଶାଲ ଟାସ୍କ ଫୋର୍ସ( STF)ର କଡା ନଜରରେ ବାଲି ମାଫିଆ । ଗତ ଦୁଇ ଦିନରେ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ STF ଅତର୍କିତ ଚଢ଼ାଉ କରି 15 ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ 5 କୋଟିରୁ ଅଧିକ ଟଙ୍କାର ଗାଡ଼ି, 31ଟି ମୋବାଇଲ ଫୋନ, ନଗଦ 4 ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ କରିଛି ।
ଗତ କାଲି ଭୋର ସମୟରେ ଭଷ୍ମା ଥାନା ଇବ ନଦୀରେ ଚଢାଉ କରି 6 ଟି ହାଇୱା, ଦୁଇଟି ପ୍ରୋକଲିନ୍, ନଗଦ ଦେଢ଼ ଲକ୍ଷ ଟଙ୍କା ଓ 16 ଟି ମୋବାଇଲ ଫୋନ ସହ 9 ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେହିପରି ଗତକାଲି ରାତିରେ ସଦର ଥାନା ଜଗତଗଡ(ଭୋଜପୁର) ନିକଟରେ ଅତର୍କିତ ଚଢ଼ାଉ କରି 6 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହା ସହ ଜଗତଗଡରୁ 4 ଟି ହାଇୱା, ଗୋଟିଏ ପ୍ରୋକଲିନ୍, 15 ଟି ମୋବାଇଲ ଫୋନ ସହ ନଗଦ 3 ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ କରିଛି ।
ଜଗତଗଡରୁ 4ଟି ହାଇୱାର ଚାଳକ, ଜଣେ ପ୍ରୋକଲିନ୍ ଅପରେଟର ଓ ଜଣେ ସୁପରଭାଇଜରକୁ ସ୍ପେଶାଲ ଟାସ୍କ ଫୋର୍ସ ଗିରଫ କରିଥିବା ବେଳେ ଚୋରା ବାଲି ଚାଲାଣ କରୁଥିବା ପିଙ୍କୁ ସାହୁ ଓ ଚନ୍ଦ୍ରଗୁପ୍ତ ସାହୁ ନାମକ ଦୁଇଜଣ ବାଲି ମାଫିଆ STF କବଳରୁ ଫେରାର ମାରିଛନ୍ତି । ସ୍ପେଶାଲ ଟାସ୍କ ଫୋର୍ସର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଏନେଇ ସଦର ଥାନାରେ ଏକ ଲିଖିତ ମାମଲା ରୁଜୁ କରିବା ସହ ଫେରାର ଥିବା ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ସଦର ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି । ଜଗତଗଡରୁ ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ନବ କିଶୋର ସା, ବିଶ୍ଵ ଲାକ୍ରା, ଆସିକ୍ ହୋରୋ, ବିରେନ୍ଦ୍ର ଟୋପୋ, ସଞ୍ଜୟ କୁମାର ଭାଇଁଶାଲ୍, ପ୍ରେମଲାଲ ମହନ୍ତ । ଆଜି ଏମାନଙ୍କୁ ଧାରା 379/411/413/120-B ipc/51 OMMCR-2016 ରେ କୋର୍ଟ ଚାଲାଣ କରାଯିବ ବୋଲି ସ୍ପେଶାଲ ଟାସ୍କ ଫୋର୍ସର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ତେଜରାଜ ପଟେଲ କହିଛନ୍ତି ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ