ରାଉରକେଲା: ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମକୁ ବିଶ୍ବର ସର୍ବବୃହତ ହକି ଷ୍ଟାଡିୟମର ମାନ୍ୟତା ଦେଇଛି ଅନ୍ତର୍ଜାତୀୟ ହକି ଫେଡେରେସନ(FIH) । ଓଡ଼ିଶା କ୍ରୀଡ଼ା ସଚିବ ଆର ଭିନୀଲ କ୍ରିଷ୍ଣାଙ୍କ ସୂଚନା ଅନୁସାରେ ଏହି ଷ୍ଟାଡିୟମରେ ଦିବ୍ୟାଙ୍ଗମାନେ ବିନା କୌଣସି ଅସୁବିଧାରେ ବସି ମ୍ୟାଚ ଉପଭୋଗ କରିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । କୌଣସି କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସାମିଲ କରିବା କ୍ଷେତ୍ରରେ ଏହି ଷ୍ଟାଡିୟମ ଏକ ପ୍ରମୁଖ ଉଦାହରଣ ବୋଲି ସେ କହିଛନ୍ତି ।
ଓଡ଼ିଆ ଆଦିବାସୀ ସ୍ବାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ନାମରେ ଏହି ଅନ୍ତର୍ଜାତୀୟ ହକି ଷ୍ଟାଡିୟମକୁ ନାମିତ କରାଯାଇଛି । ଓଡ଼ିଶା ସରକାର ଲଗାତାର ଦ୍ବିତୀୟ ଥର ପାଇଁ ଓଡ଼ିଶାରେ ହକି ବିଶ୍ୱକପ ଆୟୋଜନ କରୁଥିବାବେଳେ ଚଳିତ ହକି ବିଶ୍ବକପ ଆୟୋଜନର ୧୫ ମାସ ପୂର୍ବରୁ ଏହି ଷ୍ଟାଡିୟମର କାର୍ଯ୍ୟ ଶେଷ ହୋଇଛି । ଏହା ସହିତ ୯ ମାସରେ ହକି ବିଶ୍ବକପ ପାଇଁ ସ୍ପୋର୍ଟ୍ସ ଭିଲେଜ (Sports Village) ନିର୍ମାଣ ହୋଇଛି । ତେବେ ଚଳିତ ହକି ବିଶ୍ବକପର ୨୦ଟି ମ୍ୟାଚ ଏହି ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯିବ । ଏଥିରେ ଦିବ୍ୟାଙ୍ଗଙ୍କ ପାଇଁ ବ୍ୟବସ୍ଥାକୁ ଅଧିକ ଅନୁକୁଳ କରିବା ଦିଗରେ ଦୃଷ୍ଟି ଦିଆଯାଇଛି । ଦିବ୍ୟାଙ୍ଗ ପ୍ରଶଂସକମାନଙ୍କୁ ଷ୍ଟାଣ୍ଡ୍ ପର୍ଯ୍ୟନ୍ତ ନେବାପାଇଁ ଲିଫ୍ଟ ଓ ରାମ୍ପ୍ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି ଓଡ଼ିଶା କ୍ରୀଡ଼ା ସଚିବ ଆର ଭିନୀଲ କ୍ରିଷ୍ଣା କହିଛନ୍ତି ।
ସେ କହିଛନ୍ତି, "ଷ୍ଟାଡିୟମରେ ଦିବ୍ୟାଙ୍ଗମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବା ସହିତ ଷ୍ଟାଡିୟମକୁ ଆସୁଥିବା ଅନ୍ୟ ସମସ୍ତ ଦର୍ଶକଙ୍କୁ ଉତ୍ତମ ଅନୁଭବ ଦେବା ଦିଗରେ ମଧ୍ୟ ଦୃଷ୍ଟି ଦିଆଯାଇଛି । ଷ୍ଟାଡିୟମର କୌଣସି ସ୍ଥାନରେ ବସିଥିବା ଦର୍ଶକଙ୍କୁ ଖେଳ ଦେଖିବାରେ ଯେଭଳି କୌଣସି ଅସୁବିଧା ନହୁଏ, ସେଥିପ୍ରତି ଧ୍ୟାନ ଦିଆଯାଇ ଗ୍ୟାଲାରୀ ଡିଜାଇନ କରାଯାଇଛି । ରାଜ୍ୟ ସରକାର ଏହି ଷ୍ଟାଡିୟମ ନିର୍ମାଣବେଳେ ସମସ୍ତ ଆଦର୍ଶ ଓ ନିୟମକୁ ପାଳନ କରିଛନ୍ତି । ଷ୍ଟାଡିୟମକୁ ଉପରସ୍ତର ଓ ନିମ୍ନସ୍ତର ଭଳି ଦୁଇଟି ସ୍ତରରେ ବିଭକ୍ତ କରାଯାଇଛି । ନିଜ ଗାଡ଼ିରେ ଷ୍ଟାଡିୟମ ଆସୁଥିବା ପ୍ରଶଂସକଙ୍କ ଗାଡ଼ି ପାର୍କିଂ ପାଇଁ ଷ୍ଟାଡିୟମଠାରୁ ୧୦୦ ମିଟର ଦୂରତା ମଧ୍ୟରେ ୬ଟି ପାର୍କିଂସ୍ଥଳ ନିର୍ମାଣ କରାଯାଇଛି ।"
ଇଟିଭି ଭାରତ, ରାଉରକେଲା