ରାଉରକେଲା: ମହିଳାଙ୍କୁ ସ୍ନେହ, ପ୍ରେମ ଓ ସହନଶୀଳତାର ଦେବୀ ବୋଲି କୁହାଯାଏ । ଆଜିକାଲି ମହିଳାମାନେ ପ୍ରତିଟି କ୍ଷେତ୍ରରେ ପୁରୁଷ ସହ କାନ୍ଧ ମିଶାଇ ବାଟ ଚାଲୁଛନ୍ତି । ଆଜି ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଏପରି ଜଣେ ପ୍ରେରଣାଦାୟୀ ମହିଳାଙ୍କ ସହ ପରିଚିତ କରାଇବୁ ଯିଏକି ଭିନ୍ନକ୍ଷମ ହୋଇ ବି ସମାଜରେ ସକ୍ଷମ ହୋଇପାରିଛନ୍ତି । ଜନ୍ମରୁ ତାଙ୍କର ଦୁଇଟି ଗୋଡ ସମ୍ପୂର୍ଣ୍ଣ ଅଚଳ ହୋଇଯାଇଛି । ହେଲେ କେବେ ହାରିଯାଇ ନାହାନ୍ତି । ଗୋଡ ନହେଲା ନାହିଁ ଦୁଇ ହାତରେ ସେ ଜୀବନର ରଥ ଟାଣି ନେଉଛନ୍ତି । ତାଙ୍କ ହାତ ସ୍ପର୍ଶରେ ଜୀବନ୍ୟାସ ପାଉଛି କାନଭାସ୍ । ଅଦରକାରୀ ଜିନିଷ ଦରକାରୀ ହୋଇପଡୁଛି । ବିଭିନ୍ନ ଘର ସାଜସଜ୍ଜା ସାମଗ୍ରୀ ସହ ଆକର୍ଷଣୀୟ ଫଟୋଚିତ୍ର କରି ସେ ସ୍ବାବଲମ୍ବୀ ହୋଇଛନ୍ତି । ଏହି ମହିଳା ହେଉଛନ୍ତି ରାଉରକେଲାର ସରିତା ନାୟକ ।
ସରିତା ନାୟକ ପିଲାଟି ବେଳୁ ଭିନ୍ନକ୍ଷମ । ତାଙ୍କର ସ୍ପାଇନାଲ କର୍ଡରେ ସମସ୍ୟା ଯୋଗୁଁ ଗୋଡ ଦୁଇଟା ପୁରା ଅକାମୀ ହୋଇଯାଇଛି । ସେ ଦୁଇ ଗୋଡରେ ଛିଡା ହୋଇପାରୁ ନାହାନ୍ତି । ତଥାପି ପରିବାର ପାଇଁ କେବେ ବୋଝ ପାଲଟି ନାହାନ୍ତି । ସରିତା ହ୍ବିଲଚେୟାରରେ ବସି ବିଭିନ୍ନ ଚିତ୍ରକଳା ଆଙ୍କିବା ସହ କୁମ୍ପି, ଆକର୍ଷଣୀୟ ଦୀପ, କ୍ୟାଣ୍ଡେଲ ସମେତ ବିଭିନ୍ନ ଅଦରକାରୀ ଜିନିଷରୁ ନାନା ଘରକରଣା ସାମଗ୍ରୀ ପ୍ରସ୍ତୁତି କରୁଛନ୍ତି । କେବଳ ଏତିକି ନୁହେଁ, ରାକ୍ଷୀ ପୂର୍ଣ୍ଣିମା ସମୟରେ ସେ ନିଜ ହାତରେ ସୁନ୍ଦର ସୁନ୍ଦର ରାକ୍ଷୀ ତିଆରି କରନ୍ତି ।
ସେହିପରି କାର୍ତ୍ତିକ ପୂର୍ଣ୍ଣିମାରେ ରଙ୍ଗବେରଙ୍ଗୀ ଡଙ୍ଗା, ଦୀପାବଳିରେ ଭଳିକି ଭଳି ଆକର୍ଷଣୀୟ ଦୀପ, କ୍ୟାଣ୍ଡେଲ ଆଦି ପ୍ରସ୍ତୁତ କରି ବିକ୍ରିବଟା କରନ୍ତି । ଲୋକମାନେ ମଧ୍ୟ ଖୁବ୍ ଆଗ୍ରହ ସହକାରେ ଏହିସବୁ ହାତ ତିଆରି ସାମଗ୍ରୀ କିଣିଥାନ୍ତି । ଏଥିରୁ ସରିତା ଭଲ ଦୁଇ ପଇସା ରୋଜଗାର କରୁଛନ୍ତି । ଏହିସବୁ ସାମଗ୍ରୀ ପ୍ରସ୍ତୁତ ପାଇଁ ସରିତା କେବେ କୌଣସି ତାଲିମ ନେଇନାହାନ୍ତି । ୟୁଟ୍ୟୁବ ଦେଖି ସେ ଏସବୁ ଶିଖିଥିବା କୁହନ୍ତି ।
ସରିତାଙ୍କ ମାଆ ସଂଯୁକ୍ତ କୁହନ୍ତି, ଗତ ରକ୍ଷା ପୂର୍ଣ୍ଣିମା ସମୟରେ ଆକର୍ଷଣୀୟ ରାକ୍ଷୀ ପ୍ରସ୍ତୁତ କରି ସରିତା ୧୭ରୁ ୧୮ ହଜାର ଟଙ୍କା ରୋଜଗାର କରିଥିଲେ । ସେହିପରି ଦୀପାବଳି ଓ ଡଙ୍ଗାଭସା ବେଳେ ମଧ୍ୟ ପାଖାପାଖି ୧୮ ହଜାର ଟଙ୍କା ରୋଜଗାର ହୋଇଥିଲା । ଏହାଦ୍ବାରା ସେ ଅନ୍ୟ ଉପରେ ନିର୍ଭରଶୀଳ ନହୋଇ ନିଜ ଖର୍ଚ୍ଚ ତୁଲାଇ ପାରିବା ସହ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସାର ପାତ୍ର ହୋଇଛନ୍ତି । ଝିଅର ଏଭଳି ପ୍ରତିଭା ପାଇଁ ବାପାମାଆ ବେଶ୍ ଖୁସି ପ୍ରକାଶ କରିଥିବାବେଳେ ସେ ସରିତାଙ୍କୁ କେବେ ଭିନ୍ନକ୍ଷମ ଭାବନ୍ତି ନାହିଁ ବୋଲି କହିଛନ୍ତି । ଜନ୍ମରୁ ଦିବ୍ୟାଙ୍ଗ ହେଲେ ବି ନିଜର ପ୍ରତିଭା ବଳରେ ସ୍ବାବଲମ୍ବୀ ହୋଇପାରିଛନ୍ତି ସରିତା । ତାଙ୍କର ଏଭଳି କାର୍ଯ୍ୟ ଅନ୍ୟ ଭିନ୍ନକ୍ଷମଙ୍କ ପାଇଁ ପ୍ରେରଣା ନିଶ୍ଚୟ ।
ଇଟିଭି ଭାରତ, ରାଉରକେଲା