ସୁନ୍ଦରଗଡ଼: ମିଂଜ ପେଟ୍ରୋଲ ପମ୍ପ ଡକାୟତି ଘଟଣାରେ ଚାରି ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଏମାନେ ଗତ 4 ତାରିଖ ରାତି ପ୍ରାୟ 10ଟା ବେଳେ ମୁହଁରେ କପଡା ବାନ୍ଧି ପିସ୍ତଲରୁ ଫାଙ୍କା ଗୁଳି ଚାଳନା କରିବା ସହ ଡକାୟତି କରି ଫେରାର ହୋଇଯାଇଥିଲେ । ଲୁଟି ଥିଲେ 1 ଲକ୍ଷ 84 ହଜାର 931 ଟଙ୍କା ।
ଗତକାଲି(ମଙ୍ଗଳବାର) ସହି ଘଟଣାରେ ସଂପୃକ୍ତ ଥିବା ଚାରି ଜଣ ଅଭିଯୁକ୍ତଙ୍କୁ ଝାରସୁଗୁଡ଼ା ଟାଉନ ଥାନା ପୋଲିସ ଝାରସୁଗୁଡା ଓ ସୁନ୍ଦରଗଡର ରିଜେଣ୍ଟ ମାର୍କେଟ ଅଞ୍ଚଳରୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହା ସହ ସେମାନଙ୍କ ନିକଟରୁ ନଗଦ 63,320 ଟଙ୍କା ସହ ଗୋଟିଏ ପିସ୍ତଲ, ଦୁଇଟି ଅଫୁଟା ଗୁଳି, ଗୋଟିଏ ମୋଟର ସାଇକେଲ ( OD-16C-2195 ) , ଗୋଟିଏ ଅଟୋ ରିକ୍ସା ( OD-16C-5067 ) ଜବତ କରିଛି । ଡକାୟତମାନେ ଏହି ଦୁଇଟି ଯାନକୁ ସଶସ୍ତ୍ର ଡକାୟତିରେ ବ୍ୟବହାର କରିଥିଲେ । ପୋଲିସ ସାଇଣ୍ଟଫିକ ଟିମ ସହ CCTV ଫୁଟେଜକୁ ନେଇ ତଦନ୍ତ ଜାରି ରଖିଥିଲା ।
ଏହି ଡକାୟତଙ୍କୁ ଧରିବା ପାଇଁ ଇଣ୍ଟର ଡିଷ୍ଟ୍ରିକ୍ଟ କୋ-ଅପରେସନ ଟିମ(Inter District Co-Operations Team), ଲୋକାଲ ଭେରିଫିକେସନ ଟିମ(Local verification team), ସାଇବର ଟିମ(Cyber team) ଓ ସ୍ପେଶାଲ ସ୍କ୍ବାର୍ଡ (Special Squad) ମିଳିତ ଭାବେ ଲାଗିଥିଲେ । ଗତକାଲି ପୋଲିସକୁ ଏହି ସଫଳତା ମିଳିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ମହମ୍ମଦ ଶହିଲ, ଅନୀଲ ଯାଦବ, ଆକାଶ ଯାଦବ ଓ ପ୍ରିୟ ରଂଜନ ଦାସ ।
ଏହି ସମସ୍ତ ଅଭିଯୁକ୍ତଙ୍କୁ ଟାଉନ ଥାନା ପୋଲିସ ଦଫା – 395 IPC/25/27 Arms Actରେ କୋର୍ଟ ଚାଲାଣ କରିଛି ।
ସୁନ୍ଦରଗଡ଼ରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ