ସୁନ୍ଦରଗଡ: ରାଏବଗା ସ୍କୁଲ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ଆଜି ମାମଲାର ରାୟ ପ୍ରକାଶ କରି ୩ ଜଣଙ୍କୁ ଆଜୀବନ କାରାଦଣ୍ତରେ ଦଣ୍ତିତ କରିଛନ୍ତି କୋର୍ଟ । ଅଭିଯୁକ୍ତ ତିନିଜଣ ହେଉଛନ୍ତି ଅଜୟ କୁଜୁର , ମୁକ୍ତି ବାଡା ଓ ବିରେନ୍ଦ୍ର ମାଝି । ସେମାନଙ୍କ ଘର ରାଏବଗା ଥାନା ଖଇରା ବାହାଲ ବୋଲି ଜଣାପଡିଛି । ଏମାନେ ଗତ 2016 ମସିହା ଅକ୍ଟୋବର ମାସ 12 ତାରିଖରେ ଏହି ଜଘନ୍ୟକାଣ୍ଡ ଘଟାଇଥିଲେ ।
ସୂଚନା ଅନୁସାରେ, 2016 ମସିହା ଅକ୍ଟୋବର ମାସ 12 ରେ ନାବାଳିକାଟି ସଣ୍ଡେ ସ୍କୁଲ ପ୍ରୋଗ୍ରାମକୁ ଆସିଥିଲେ । ଏହି ସମୟରେ ଏହି ତିନି ଅଭିଯୁକ୍ତ ନାବାଳିକାଙ୍କୁ ତାଙ୍କ ସାଙ୍ଗମାନଙ୍କ ସମ୍ମୁଖରୁ ବଳ ପୂର୍ବକ ଉଠାଇ ନେଇ ଗଣଦୁଷ୍କର୍ମ କରିଥିଲେ । ପରେ ଏ ମାମଲା ଥାନାରେ ପହଞ୍ଚିଥିଲା । ରାଏବଗାର ତତ୍କାଳୀନ ପୋଲିସ ଅଧିକାରୀ ସବ ଇନ୍ସପେକ୍ଟର ଲକ୍ଷ୍ମୀକାନ୍ତ ପ୍ରଧାନ ମାମଲାକୁ ଅତି ଗୁରୁତର ସହ ନେଇଥିଲେ । ଅଭିଯୁକ୍ତ ମାନଙ୍କୁ 24 ଘଣ୍ଟା ମଧ୍ୟରେ ଗିରଫ କରି କୋର୍ଟ ଚାଲାଣ କରିଥିଲେ ।
ମଙ୍ଗଳବାର ସେହି ଘଟଣାର ଐତିହାସିକ ରାୟ ଦେଇଛନ୍ତି ମାନ୍ୟବର ପୋକ୍ସୋ କୋର୍ଟ । ସରକାରଙ୍କ ତରଫରୁ ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଦେବାଶିଶ ମିଶ୍ର ବଳିଷ୍ଠ ଯୁକ୍ତି ଓ ପ୍ରମାଣ ଉପସ୍ଥାପନ କରିଥିଲେ । ସମସ୍ତ ପ୍ରମାଣ ଓ ଯୁକ୍ତିକୁ ଭିତ୍ତିକରି ମାନ୍ୟବର ପୋକ୍ସୋକୋର୍ଟର ବିଚାରପତି ପାର୍ଥ ସାରଥୀ ପଟ୍ଟନାୟକ ଏହି ଅନ୍ତିମ ରାୟ ଶୁଣାଇଛନ୍ତି ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ