ସୁନ୍ଦରଗଡ: ଉଦିତନଗର ପେଟ୍ରୋଲ ପମ୍ପ ଭୂଜାଲି ମାଡ ଓ ଲୁଟ ଘଟଣାରେ ଉଦିତନଗର ପୋଲିସକୁ ସଫଳତା । 24 ଘଣ୍ଟା ମଧ୍ୟରେ ଜଣଙ୍କୁ ଗିରଫ କରିଛି ପୋଲିସ । ଏଥିସହ ପୋଲିସ ଗୋଟିଏ ସ୍କୁଟି ସହ ମାରଣାସ୍ତ୍ର ମଧ୍ୟ ବଜତ କରିଛି ।
ସୂଚନା ଅନୁଯାୟୀ ମଙ୍ଗଳବାର ରାଉରକେଲା ଉଦିତନଗର ପେଟ୍ରୋଲ ପମ୍ପରେ ହୋଇଥିବା ଭୂଜାଲି ମାଡ ଓ ଲୁଟ ଘଟଣାର ତଦନ୍ତ କରି ଉଦିତନଗର ପୋଲିସ ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଅମାନତ ଆନସାରୀକୁ ପୋଲିସ ଆଜି(ବୁଧବାର) କୋର୍ଟଚାଲାଣ କରିଛି । ଅଭିଯୁକ୍ତ ଅମାନତର ଘର ରାଉରକେଲା ଆଜାଦ ମହଲ ଆନସାରୀ ବିଲ୍ଡିଂ ଅଞ୍ଚଳର ବୋଲି ଉଦିତନଗର ପୋଲିସ କହିଛି । ଛୁରାମାଡ ଓ ଲୁଟ ଘଟଣା ପରେ ପେଟ୍ରୋଲ ପମ୍ପର ମାଲିକ ତଥା କେତେ ଜଣ ସ୍ଥାନୀୟ ଏନେଇ ଉଦିତନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।
ଏଥିସହ ପୋଲିସ ଅଭିଯୁକ୍ତଙ୍କ ନିକଟରୁ ଅଫୁଟା ବନ୍ଧୁକ, ୨ ଟି ମୋବାଇଲ ଫୋନ ଓ ଗୋଟିଏ ସ୍କୁଟି ଜବତ କରିଛି । ତେବେ ଅମାନତ ଓ ତାର ସହଯୋଗୀ ପେଟ୍ରୋଲ ପମ୍ପର କର୍ମୀ ସତୀଶ କୁମାରକୁ ଅତର୍କିତ ଭାବେ ଭୂଜାଲିରେ ଆକ୍ରମଣ କରି ଟଙ୍କା ଲୁଟି ଫେରାର ହୋଇଯାଇଥିଲେ । ପୋଲିସ ଜଣଙ୍କୁ ଗିରଫ କରି ଥିବାବେଳେ ଅନ୍ୟ ଅଭିଯୁକ୍ତମାନେ ଫେରାର ଅଛନ୍ତି ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ