ରାଉରକେଲା: ରେଲୱେ ସାଇଡିଂକୁ ବିରୋଧ କରି ଧାରଣାରେ ଗ୍ରାମବାସୀ । ଅତ୍ୟଧିକ ମାତ୍ରାରେ ପ୍ରଦୂଷଣ ଯୋଗୁଁ ଲାଠିକଟାରେ ଜନ ଅସନ୍ତୋଷ । ଶତାଧିକ ସ୍ଥାନୀୟ ବାସିନ୍ଦା ଏହାକୁ ପ୍ରଦୂଷଣ ବିରୋଧ କରି ରେଲୱେ ସାଇଡିଂ ନିକଟରେ ଧାରଣା ଦେଇଛନ୍ତି । ଏଭଳି ଏକ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲାଠିକଟାରେ । ଏକ ଘରୋଇ ରେଲୱେ ସାଇଡିଂକୁ ନେଇ ଲାଠିକଟା ଅଞ୍ଚଳର ଲୋକଙ୍କ ମଧ୍ୟରେ ଆକ୍ରୋଶ ଦେଖିବାକୁ ମିଳିଛି । ଫଳରେ ଦୁଇ ଦିନ ଧରି ଖରାରେ ଧାରଣା ଦେଇଛନ୍ତି ଲାଠିକଟା ଅଞ୍ଚଳର ଲୋକେ ।
ଲାଠିକଟା ଅଞ୍ଚଳରେ ଓରିଏଣ୍ଟ ମିଲ୍ ନାମକ ଏକ କାରଖାନା କାର୍ଯ୍ୟ କରୁଥିଲା । ସେ କାରଖାନା ବେଆଇନ ଥିବାରୁ ଏହା ବନ୍ଦ କରିଥିଲେ ସରକାର । ତେବେ ବର୍ତ୍ତମାନ ସେହି ଓରିଏଣ୍ଟ କମ୍ପାନୀ ଅନ୍ୟ ଏକ କମ୍ପାନୀ ଓଡ଼ିଶା ଇଣ୍ଡଷ୍ଟ୍ରୀ ଲିମିଟେଡ଼ କରି ଅନ୍ୟ ଜଣଙ୍କ ନାମରେ ଏଠାରେ ରେଲୱେ ସାଇଡିଂ ନିର୍ମାଣ କରୁଛି । ଜନବସତି ନିକଟରେ ଏକ ରେଲୱେ ସାଇଡିଂ ପ୍ରସ୍ତୁତ କରୁଛି । ଫଳରେ ଜନବସତି ଏହି ପ୍ରଦୂଷଣ ଯୋଗୁଁ ହନ୍ତସନ୍ତ ହେଉଛନ୍ତି ।
ପ୍ରଦୂଷଣ ମୂଳ କାରଣ: ଏହି ରେଲୱେ ସାଇଡିଂରେ ଆସି ଗଦାଗଦା ଲାଇମ୍ ଷ୍ଟୋନ୍, କୋଇଲା ଏବଂ ଲୁହ ପଥର ଜମା ହେଉଛି । ତେବେ ଏହି ଲାଇମ୍ ଷ୍ଟୋନ୍ର ଗୁଣ୍ଡ ଉଡ଼ି ସମ୍ପୂର୍ଣ୍ଣ ଅଞ୍ଚଳରେ ଧୂଳିଧୂଆଁରେ ଭରି ଯାଉଛି । ଲୁହ ପଥରର ନାଲି ଗୁଣ୍ଡ ଏବଂ କୋଇଲା ଗୁଣ୍ଡ ଯାହା ସମ୍ପୂର୍ଣ୍ଣ ଲାଠିକଟା ଅଞ୍ଚଳରେ ବ୍ୟାପକ ପ୍ରଦୂଷଣ କରୁଛି । ଫଳରେ ନିକଟରେ ବସବାସ କରୁଥିବା ଗ୍ରାମବସୀଙ୍କ ମଧ୍ୟରେ ଶ୍ୱାସକ୍ରିୟା ଜନିତ ସମସ୍ୟାରେ ପଡ଼ୁଛନ୍ତି । ଯାହା ଲୋକଙ୍କୁ ସମ୍ପୂର୍ଣ୍ଣ ଅତିଷ୍ଠ କରିଦେଉଛି ।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ମୁତାବକ ଏହି ରେଲୱେ ସାଇଡିଂର ଡଷ୍ଟ ବା ଧୂଳିକଣା ଯୋଗୁଁ ଛୋଟଛୋଟ ପିଲା ଏବଂ ବୃଦ୍ଧାମାନଙ୍କ ଶ୍ୱାସ ଜନିତ ସମସ୍ୟା ଦେଖାଦେଉଛି । କୋଇଲା ଡଷ୍ଟ ଏତେ ମାତ୍ରାରେ ଉଡୁଛି ଯେ ଲୋକେ କଫ ଜନିତ ସମସ୍ୟା ଦେଇ ଗତି କରିବା ସହ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେବେ ବର୍ତ୍ତମାନ ଏହି ପ୍ରଦୂଷଣରୁ ଅତିଷ୍ଠ ହୋଇ ଲୋକେ ଦୁଇ ଦିନ ଧରି ଧାରଣା ପ୍ରଦର୍ଶନ କରୁଛନ୍ତି । ଏହି ରେଲୱେ ସାଇଡିଂଟି ଜନବସତି ଅଞ୍ଚଳରୁ ଦୂରକୁ ସ୍ଥାନାନ୍ତର କରାଯାଉ ନଚେତ ଏହି ରେଲୱେ ସାଇଡିଂକୁ ବନ୍ଦ କରିବାକୁ ଲୋକେ ଦାବି କରିଛନ୍ତି ।
ଇଟିଭି ଭାରତ, ରାଉରକେଲା