ରାଉରକେଲା: ଶିକ୍ଷା ନାମରେ ଲୋକଙ୍କୁ ଲୁଟୁଛନ୍ତି ଠକ । ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ଆଡମିଶନ କରିବା ନାମରେ ଚାଲିଛି ଠକାମୀ । ଠକାମୀର ଶିକାର ହେଉଛନ୍ତି ନିରୀହ ଲୋକ । ଏଭଳିକି ଦେଶର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ IIT ଏବଂ NITଗୁଡିକରେ ଆଡମିଶନ କରାଇଦେବା କହି ଲୁଟୁଛନ୍ତି ଲୁଟେରା । ଏଭଳି ଠକାମୀର ଶିକାର ହୋଇଛନ୍ତି ଜଣେ ପରିବାର । ଆଡମିଶନ ନାମରେ ଠକି ହେଲେ ନିରୀହ ଦମ୍ପତି । ପୁଅର କଲେଜରେ ଆଡ଼ମିଶନ କରିବା ଆଶାରେ ଠକ ଠକିନେଲା ତେତିଶ ଲକ୍ଷ ପଞ୍ଚସ୍ତରୀ ହଜାର ଟଙ୍କା । ରାଉରକେଲା ସହରରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ।
ପୁଅର ଆଡମିଶନ ପାଇଁ ଠକ ହାବୁଡ଼ରେ ପଡ଼ିଲେ । ଠକି ହେଲେ ତେତିଶ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା । ରାଉରକେଲା ସହରର ଇସ୍ପାତ କାରଖାନାରେ କାର୍ଯ୍ୟରତ ପ୍ରସନ୍ନ ସେନାପତି ଠକାମୀର ଶିକାର ହୋଇଛନ୍ତି । ତାଙ୍କ ପୁଅ ଇଞ୍ଜିନିୟରିଂ ପଢ଼ିବା ପାଇଁ JEE ପରୀକ୍ଷା ଦେଇଥିଲେ । JEE ପରୀକ୍ଷାରେ ରାଙ୍କ୍ କମ ଆସିବାରୁ ବାପା ପ୍ରସନ୍ନ ସେନାପତି ଏବଂ ମା ନମିତା ସେନାପତି ଚିନ୍ତାରେ ପଡ଼ି ଯାଇଥିଲେ । ତେଣୁ ଭୁବନେଶ୍ୱରସ୍ଥିତ ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ପୁଅର ଆଡମିଶନ ପାଇଁ ନେଇ ଯାଇଥିଲେ । ହେଲେ ସେତେବେଳେ ସେହି କଲେଜ ବାହାରେ ଜଣେ ଠକ ହାବୁଡ଼ାରେ ପଡ଼ିଥିଲେ ପ୍ରସନ୍ନ ସେନାପତିଙ୍କ ପରିବାର ।
ଦେଶର ବଡ଼ବଡ଼ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ଆଡ଼ମିଶନ କରାଇଦେବ ବୋଲି କହିଥିଲା ଦୁର୍ବୁତ୍ତ ଜଣକ । ଦୁର୍ବୁତ୍ତ ଜଣକ ଦିବ୍ୟସିଂହ ପୂଜାରୀ ବୋଲି ଜଣାପଡିଛି । ତେବେ ଦୁର୍ବୁତ୍ତ ଜଣକ କଥାରେ ପଡି ଯାଇଥିଲେ ପ୍ରସନ୍ନଙ୍କ ପରିବାର ଏବଂ ପୁଅର ଆଡ଼ମିଶନ ପାଇଁ ଚିନ୍ତାରେ ହରାଇ ବସିଲେ ହିତାହିତ ଜ୍ଞାନ । ତେଣୁ ଦୁର୍ବୁର୍ତ୍ତ ଜଣକ ଏହାର ଲାଭ ଉଠାଇବାରେ ଲାଗିଲା । ପ୍ରସନ୍ନ ସେନାପତି ଠକକୁ ପ୍ରଥମେ ଏକ ଲକ୍ଷ ଟଙ୍କା ଦେଇଥିଲେ ଏବଂ ଏହାପରେ ମୋଟ ଆଠଥର ଏଭଳି କିସ୍ତିରେ ସେ ମୋଟ ତେତିଶ ଲକ୍ଷ ପଞ୍ଚସ୍ତରୀ ହଜାର ଟଙ୍କା ଦେଇଥିଲେ ।
ତାଙ୍କ ପୁଅର ଆଡ଼ମିଶନ ଦେଶର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ IIT ଏବଂ NIT ଭଳି ଶିକ୍ଷାନୁଷ୍ଠାନ ରେ କରାଇଦେବ କହି ଠକି ନେଇଥିଲା ଦୁର୍ବୃତ୍ତ । ଗତବର୍ଷ ଅଗଷ୍ଟ 24ରୁ ସେପ୍ଟେମ୍ବର 23 ମଧ୍ୟରେ ଠକାମୀର ଶିକାର ହୋଇ ଠକି ହେଲେ ୩୩ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା । ଏହାପରେ ଦୁର୍ବୃତ୍ତ ଜଣକ ଧରାଛୁଆଁ ଦେଇ ନଥିଲା । ଶେଷରେ ପ୍ରସନ୍ନ ଚିନ୍ତାରେ ପଡ଼ି ପୋଲିସର ଆଶ୍ରୟ ନେଇଥିଲେ । ପରେ ରାଉରକେଲା ସେକ୍ଟର ୧୯ ଥାନାରେ ଏତଲା ଦେଇଥିଲେ । ପୋଲିସ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଠକ ଦିବ୍ୟସିଂହ ପୂଜାରୀକୁ ଭୁବନେଶ୍ୱରରୁ ଗିରଫ କରିଛି ।
ତେବେ ବର୍ତ୍ତମାନ ରାଉରକେଲା ପୋଲିସ ଅଭିଯୁକ୍ତ ଦିବ୍ୟସିଂହ ପୂଜାରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏଥିସହ ପ୍ରସନ୍ନଙ୍କ ପରିବାର ଦାବି କରିଛନ୍ତି ଯେ ପୋଲିସ ପ୍ରଶାସନ ତାଙ୍କ ଟଙ୍କାକୁ ଫେରସ୍ତ କରିବାରେ ସାହାଯ୍ୟ କରନ୍ତୁ ଏବଂ ଦୁର୍ବୃତ୍ତକୁ କଡା ଦଣ୍ଡ ଦିଆଯାଉ ।
ଇଟିଭି ଭାରତ, ରାଉରକେଲା