ରାଉରକେଲା: ଆଉ ମାତ୍ର କିଛି ସମୟର ଅପେକ୍ଷା । ପୁଣି ନିଜ ବିଜୟ ରଥକୁ ଜାରି ରଖିବାକୁ ମୈଦାନକୁ ଓହ୍ଲାଇବେ ଭାରତ ଓ ଇଂଲଣ୍ଡ । ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଆରମ୍ଭ ହେବ ବିଶ୍ବ ହକିର ମହାଯୁଦ୍ଧ । ସେଥିପାଇଁ ଖେଳାଳି ପ୍ରସ୍ତୁତ, ଦର୍ଶକ ମଧ୍ୟ ଉତ୍ସାହିତ । ତେବେ ଭାରତର ମ୍ୟାଚ ଦେଖିବାକୁ ଷ୍ଟାଡିୟମରେ ପ୍ରଶଂସକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି ।
ରାଜ୍ୟରେ ତୃତୀୟ ଦିନରେ ଜାରି ରହିଛି ହକି ବିଶ୍ବକପ ୨୦୨୩ । ନବନିର୍ମିତ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଆଜି ପୁରୁଷ ହକି ବିଶ୍ବକପ୍ର ଦୁଇଟି ମ୍ୟାଚ୍ ରହିଛି । ପ୍ରଥମ ମ୍ୟାଚ୍ ସ୍ପେନ୍ ଓ ୱେଲ୍ସ ଏବଂ ଦ୍ବିତୀୟ ମ୍ୟାଚ୍ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ । ଏହି ହାଇ ଭୋଲ୍ଟେଜ ମ୍ୟାଚ୍କୁ ଉପଭୋଗ କରିବାକୁ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ବାହାରେ ଲୋକଙ୍କ ପ୍ରବଳ ଭିଡ଼ ଜମିଛି । ଲମ୍ବା ଲାଇନରେ ଛିଡା ହୋଇଛନ୍ତି ଦର୍ଶକ । ଭାରତୀୟ ଦଳକୁ ଉତ୍ସାହିତ କରିବା ପାଇଁ ରାଜ୍ୟ ତଥା ଦେଶର ବିଭିନ୍ନ କୋଣ ଅନୁକୋଣରୁ ପ୍ରଶଂସକଙ୍କର ସୁଅ ଛୁଟିଛି ରାଉରକେଲାକୁ ।
ଉଦ୍ଘାଟନୀ ମ୍ୟାଚ୍ରେ ହକିପ୍ରେମୀଙ୍କୁ ଅଭୁଲା ଅନୁଭୂତି ଯୋଗାଇଥିଲା ହକି ଇଣ୍ଡିଆ । ଆଜିର ଭାରତୀୟ ହକି ଦଳର ଏହି ଦ୍ବିତୀୟ ମ୍ୟାଚ ଦେଖିବାକୁ ହକି ପ୍ରେମୀଙ୍କ ମନରେ ଉତ୍ସାହ ଭରିଛି । ମାତ୍ର ଆଉ କିଛି ସମୟର ଅପେକ୍ଷା । ହକି ପ୍ରେମୀ ଚାହିଁ ବସିଛନ୍ତି ବିଶ୍ଵକପ ଟ୍ରଫି ରେସ୍ରେ ନିଜ ଦଳକୁ ଦେଖିବା ପାଇଁ । ତେବେ କଥାରେ ଅଛି ସମର୍ଥକଙ୍କ କ୍ରେଜ ନିଜ ଦଳକୁ ପଡିଆ ବାହାରୁ ସାହସ ସହ ଖେଳିବାର ଦୃଢ଼ ମନୋବଳ ଯୋଗାଇ ଥାଏ । ସେପଟେ କ୍ବାଲିଫାଇ କରିବାକୁ ହେଲେ ଭାରତକୁ ଆଜିର ମ୍ୟାଚ ଜିତିବା ଜରୁରୀ । ଭଲ ପ୍ରଦର୍ଶନ ସହିତ ଭାରତ ଆଜିର ମ୍ୟାଚ ଜିତିବ ବୋଲି ଆଶା କରିଛନ୍ତି ଦର୍ଶକ ।
ଇଟିଭି ଭାରତ, ରାଉରକେଲା