ସୁନ୍ଦରଗଡ: ପୂର୍ବ ଶତୃତା ଓ ଗୁଣିଗାରେଡି ସନ୍ଦେହରେ ଘୃଣ୍ୟ ହତ୍ୟାକାଣ୍ଡ ଅଭିଯୋଗ । ସୁନ୍ଦରଗଡ ବଣାଇଁ ଉପଖଣ୍ଡର ମହୁଲପଦା ଥାନା ଅନ୍ତର୍ଗତ ପଟାମୁଣ୍ଡ ଗାଁରେ ଗତକାଲି(ରବିବାର) ସଂନ୍ଧ୍ୟାରେ ଘଟିଛି ଏହି ହତ୍ୟାକାଣ୍ଡ । ପୂର୍ବ ଶତୃତା ଓ ଗୁଣିଗାରେଡି ସନ୍ଦେହ ଏହି ହତ୍ୟାକାଣ୍ଡର ପ୍ରମୁଖ କାରଣ ବୋଲି ଜଣାପଡିଛି । ତେବେ ପୋଲିସ ହତ୍ୟାକାରୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି ।
ପଟାମୁଣ୍ଡ ଗାଁର ଟାଙ୍ଗୁରୁ ଗିରି ଓ କାଳିଆ ଦେହୁରୀଙ୍କ ମଧ୍ୟରେ ବହୁଦିନ ହେବ ଶତୃତା ଲାଗି ରହିଥିଲା । ଗତକାଲି ପୁଣି ଦୁହିଁଙ୍କ ମଧ୍ୟରେ ବଚସା ହେବା ସହ ହତ୍ୟାକାଣ୍ଡର ରୂପ ନେଇଛି । ଟାଙ୍ଗୁରୁ ଉତ୍ୟକ୍ତ ହୋଇ କାଳିଆକୁ ତାଙ୍କ ଘର ଆଳୁ ବଗିଚାରେ ଏକ ଦାଉଲି ଦ୍ବାରା ଗୋଡେଇ ଗୋଡେଇ ହତ୍ୟା କରିବା ପରେ କାଳିଆର ଘରକୁ ନିଆଁ ଲଗାଇ ଦେଇଥିଲା । ଯେଉଁଥିରେ କାଳିଆର ସ୍ତ୍ରୀ ଓ ତା’ର 4ଟି ଛୋଟ ପିଲା ନିଆଁ ମୁହଁରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।
ଖବରପାଇ ମହୁଲପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ତେବେ ହତ୍ୟାକାରୀ ଟାଙ୍ଗୁରୁ ହତ୍ୟା କରି ଫେରାର ହୋଇଯାଇଥିଲା । ଗତକାଲି ଏହି ଘଟଣା ଘଟିଥିବାବେଳେ ପୋଲିସ ଆଜି(ସୋମବାର) ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ସାହାଯ୍ୟରେ ତଦନ୍ତ ଆରମ୍ଭ କରିବାସହ ଅଭିଯୁକ୍ତ ଟାଙ୍ଗୁରୁକୁ ଥାନାକୁ ଆଣି ପଚରା ଉଚରା କରୁଥିବା ବଣାଇଁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୟଦ ମଜବୁର୍ ରେହମାନ୍ କହିଛନ୍ତି ।
ସୁନ୍ଦରଗଡରୁ ହରହର ଦାସ ମହାପାତ୍ର, ଇଟିଭି ଭାରତ