ରାଉରକେଲା: ଆସନ୍ତା ମାସରେ ଆରମ୍ଭ ହୋଇଯିବ FIH ପୁରୁଷ ହକି ବିଶ୍ବକପ । ଚଳିତ ବର୍ଷ ଓଡିଶାର ଭୁବନେଶ୍ବର ଓ ରାଉରକେଲାରେ କେଳାଯିବ ବିଶ୍ବକପର ସମସ୍ତ ମ୍ୟାଚ । ଏନେଇ ଚାରିଆଡେ ଦେଖିବାକୁ ମିଳିଛି ହକି ଫିବର । ମ୍ୟାଚ ପୂର୍ବରୁ ଭୁବନେଶ୍ବର ଓ ରାଉରକେଲାକୁ ସରସ ସୁପନ୍ଦର କରିବାକୁ ଅନେକ ପଦକ୍ଷେପ ମାନ ଗ୍ରହଣ କରାଯାଉଛି । ହକି ବିଶ୍ୱକପକୁ ସ୍ମରଣଯୋଗ୍ୟ କରିବା ପାଇଁ ରାଉରକେଲା ପ୍ରଶାସନ ଚେଷ୍ଟା ଜାରି ରଖିଛନ୍ତି ।
ରାଉରକେଲା ସହରରେ ହକି ବିଶ୍ଵକପକୁ ସ୍ମରଣୀୟ ଓ ଆକର୍ଷଣ କରିବା ନେଇ ଆଜି ରାଉରକେଲା ସହରରେ ଅନୁଷ୍ଠିତ ହୋଇଛି ସାଇକ୍ଲୋଥନ । ରାଉରକେଲା ସହରର ଉଦିତନଗରରୁ ସାଇକେଲ ରେସ ବାହାରି ରିଙ୍ଗ ରୋଡ଼ ପରିକ୍ରମା କରି ମିନି ଷ୍ଟାଡିୟମ ନିକଟରେ ପହଞ୍ଚିଥିଲା । ରାଉରକେଲା ମହାନଗର ନିଗମ ପକ୍ଷରୁ ଏହାର ଆୟୋଜନ କରାଯାଇଥିଲା । ଏହି ସାଇକ୍ଲୋଥନକେ ବିଧାୟକ, ମହନଗର ନିଗମ କମିଶନର , ଡେ଼ପୁଟି କମିଶନର ସମସ୍ତେ ଚଳାଇଲେ ସାଇକେଲ।
ରାଉରକେଲାରେ ହେବାକୁ ଥିବା ହକି ବିଶ୍ୱକପକୁ ସ୍ୱାଗତ କରିବା ଲାଗି ଏହି ସାଇକ୍ଲୋଥ ର ଆୟୋଜନ କରାଯାଇଥିଲା। ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ , ମହନଗର ନିଗମ କମିଶନର ଡକ୍ଟର ଶୁଭଙ୍କର ମହାପାତ୍ର , ଡେ଼ପୁଟି କମିଶନର ସୁଧାଂଶୁ ଭୋଇଙ୍କ ଉପସ୍ଥିତିରେ ଜଣେ ଛୋଟ ପିଲା ଏହି ସାଇକ୍ଲୋଥନର ଶୁଭାରମ୍ଭ କରିଥିଲେ । ୫୦୦ ରୁ ଅଧିକ ସଂଖ୍ୟାର ଛାତ୍ରଛାତ୍ରୀ ଏଥିରେ ଯୋଗଦେଇ ସାଇକ୍ଲୋଥନରେ ସାମିଲ ହୋଇଥିଲେ।
ରାଉରକେଲା ସହରରେ ଜାନୁଆରୀ ୧୩ ତାରିଖଠାରୁ ୨୯ ତାରିଖ ପର୍ଯ୍ୟନ୍ତ ପୁରୁଷ ହକି ବିଶ୍ବକପ ଅନୁଷ୍ଠିତ ହେଉଥିବାରୁ, ମହାନଗର ନିଗମ ପକ୍ଷରୁ ଏହି ସାଇକ୍ଲୋଥନ ଆୟୋଜନ କରାଯାଇଛି। ଓଡ଼ିଶା ଦ୍ବିତୀୟ ଥର ପାଇଁ ହକି ବିଶ୍ବକପ୍ ଆୟୋଜନ କରିବାକୁ ଯାଉଥିବା ବେଳେ ରାଉରକେଲାରେ ପ୍ରଥମ ଥର ଖେଳାଯିବ ହକି ବିଶ୍ୱକପ ମ୍ୟାଚ। ଏଥିପାଇଁ ସୁନ୍ଦରଗଡ଼ ଜିଲ୍ଲା ସମେତ ରାଉରକେଲାରେ ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳୁଛି ଉତ୍ସାହ । ବିଶ୍ବକପକୁ ଦୃଷ୍ଟିରେ ରଖି ରାଉରକେଲାରେ ତିଆରି ହୋଇଛି ବିଶ୍ବର ସର୍ବ ବୃହତ ହକି ଷ୍ଟାଡିୟମ । ଏହାସହ ପୂରା ଜିଲ୍ଲାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ କ୍ରୀଡ଼ା ପ୍ରତିଯୋଗୀତା ଅନୁଷ୍ଠିତ ହେଉଛି ।
ଜାନୁଆରୀ ୧୩ ରୁ ୨୯ ତାରିଖ ଯାଏଁ ବିଶ୍ୱକପର ବିଭିନ୍ନ ମ୍ୟାଚ ଖେଳାଯିବ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ହକି ପ୍ରାକ୍ଟିସ ମ୍ୟାଚ ଖୁବ ଭଲ ଭାବରେ ଖେଳାଯାଉଛି। କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଖେଳା ଯାଉଛି ଅଭ୍ୟାସ ମ୍ୟାଚ । ବିଶ୍ବକପ ପାଇଁ ଭାରତୀୟ ହକି ଦଳ ଆଜି ଭୁବନେଶ୍ବରରେ ପହଞ୍ଚିଛି । ହରମନପ୍ରୀତଙ୍କ ନେତୃତ୍ବରେ ଦଳରେ ଅଛନ୍ତି 18 ଖେଳାଳି । ଦଳର ମୁଖ୍ୟ କୋଚ ଗ୍ରାହାମ ରିଡ ମଧ୍ୟ ଆସିଛନ୍ତି । ଦଳରେ 2 ଓଡିଆ ଖେଳାଳି ସାମିଲ ଅଛନ୍ତି । ଆସନ୍ତା ଜାନୁଆରୀ 13ରୁ ଆରମ୍ଭ ହେବ ହକି ବିଶ୍ବକପ । ଭୁବନେଶ୍ବର ଓ ରାଉରକେଲାରେ ଖେଳାଯିବ ମ୍ୟାଚ । ରାଉରକେଲାରେ ଅଭ୍ୟାସ କରିବ ଦଳ ।
ଇଟିଭି ଭାରତ, ରାଉରକେଲା