ରାଉରକେଲା: ଗ୍ରୀଷ୍ମ ପ୍ରଭାବରେ ଅତିଷ୍ଠ ସୁନ୍ଦରଗଡ ଜିଲ୍ଲା । ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଣିର ସମସ୍ୟା ଦେଖାଯାଇଛି । ଏହାରି ମଧ୍ୟରେ ରଘୁନାଥ ପାଲ୍ଲୀ ନିର୍ବାଚନ ମଣ୍ଡଳୀରେ ଜଳକଷ୍ଟ । ଏହାକୁ ନେଇ ରଘୁନାଥ ପାଲ୍ଲୀ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ । ତେବେ ସମଗ୍ର ରାଉରକେଲାରେ ପାଣି ଦିଅ ନହେଲେ ଜୀବନ ନିଅ ଏଭଳି ସ୍ଲୋଗାନ୍ ନେଇ ସେବା କାର୍ଯ୍ୟାଳୟ କାର୍ଯ୍ୟାଳୟ ଘେରାଉ କରଛନ୍ତି ଶତାଧିକ ପୁରୁଷ ମହିଳା ।
କାର୍ଯ୍ୟାଳୟ ଗେଟ୍ ବନ୍ଦ କରି ପାନୀୟ ଜଳ ଯୋଗାଇ ଦେବାକୁ ଦାବି କରିଥିଲେ । ଘଟଣାସ୍ଥଳରେ ସିଜିଏମ ଆସି ସେମାନଙ୍କ ନ୍ୟାର୍ଯ୍ଯ ଦାବି ଶୁଣି ଏହାର ତୁରନ୍ତ ସମାଧାନ କରାଯିବ ବୋଲି କହିଥିଲେ । ହେଲେ ଆଜି ହିଁ ସମାଧାନ କରାଯାଉ ବୋଲି ଦାବିରେ ଅଡିବସିଥିଲେ ବସ୍ତିବାସୀ । ସରକାର ଏପରି ବାରମ୍ବାର ଭୂଆଁ ବୁଲାଉଛି କିନ୍ତୁ ଆଉ ନୁହେଁ ବୋଲି ଆନ୍ଦୋଳନକାରୀମାନେ କହିଥିଲେ । ପ୍ରାୟ ଘଣ୍ଟାଏରୁ ଊର୍ଦ୍ଧ୍ବ କାଳ ଶତାଧିକ ମହିଳା ପୁରୁଷ ଆରଏସପି ବିରୋଧରେ ସ୍ଲୋଗାନ୍ମାନ ଜାରି ରଖିଥିଲେ । ବସ୍ତି ବାସିନ୍ଦାଙ୍କ ମୂଳ ଦାବିକୁ ନେଇ ଆଜି ରାଉରକେଲା ଇସ୍ପାତ କାରଖାନା ସହର ସେବା କାର୍ଯ୍ୟାଳୟ ଘେରାଉ କରିଥିଲେ କଂଗ୍ରେସ ଦଳ ।
ଆନ୍ଦୋଳନର ଖବର ପାଇ ସେକ୍ଟର -୩ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ । ପରେ ଏକ ପ୍ରତିନିଧି ମଣ୍ଡଳୀ ଯାଇ ସହର ପ୍ରଶାସକ ତଥା ସିଜିଏମଙ୍କ ସହ ଆଲୋଚନା କରି ଛଆ ଦଫାର ଏକ ଦାବିପତ୍ର ପ୍ରଦାନ କରିଥିଲେ । ଉକ୍ତ ଦାବି ପତ୍ରରେ, ବସ୍ତି ଅଞ୍ଚଳରେ ପାଇପ୍ ବିଛା ହୋଇଥିବା ବେଳେ ମୁଖ୍ୟ ସ୍ରୋତ ସହ ସଂଯୋଗ ହୋଇ ନାହିଁ, ସୌରଚାଳିତ ସମସ୍ତ ପାନୀୟ ପ୍ରକଳ୍ପ ଅଚଳ ଅବସ୍ଥାରେ ରହିଛି ।
ଏହାର ସମାଧାନ ନେଇ ଆରଏସ୍ପି କର୍ତ୍ତୃପକ୍ଷ ବ୍ୟବସ୍ଥା ପାଇଁ ଉଲ୍ଲେଖ କରାଯାଇଥିଲା । ସିଜିଏମ୍ଙ୍କ ନେତୃତ୍ବରେ ଉପସ୍ଥିତ ଆଲୋଚନାରେ ଟାଉନ୍ ଇଞ୍ଜିନିୟରିଂ ବିଭାଗର ଜିଏମ୍ ସହ ସହର ସେବା ଅନ୍ୟାନ୍ୟ ଅଧିକାରୀଙ୍କ ଉପସ୍ଥିତି ଥିଲେ । ଆସନ୍ତା 7 ଦିନ ମଧ୍ୟରେ ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ସିଜିଏମ୍ । ପ୍ରତିଶ୍ରୁତି ମିଳିବା ପରେ ସମସ୍ତ ଆନ୍ଦୋଳନକାରୀ କାର୍ଯ୍ୟାଳୟ ସମ୍ମୁଖରୁ ହଟିଥିଲେ । ତେବେ ଆଗାମୀ ଦିନରେ ଏହି ରଘୁନାଥ ପାଲ୍ଲୀ ନିର୍ବାଚନ ମଣ୍ଡଳୀର ଜଳ ସମସ୍ୟା ଦୂର କରିବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି । ନଚେତ ଆଗାମୀ ଦିନରେ ପୁଣି ତୀବ୍ର ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି ।
ଇଟିଭି ଭାରତ, ରାଉରକେଲା